ସଂସଦ ଭବନକୁ ମିଳିବ ନୂଆକୋଠା : ୮୯୨ କୋଟିରେ ଟେଣ୍ଡର ଜିତିଲା ଟାଟା ଗ୍ରୁପ୍; ବର୍ତ୍ତମାନର ସଂସଦ ଭବନ ନିକଟରେ ହେବ ନୂଆ ବିଲ୍ଡିଂ, ୨୧ ମାସରେ ସରିବ କାମ

225

କନକ ବ୍ୟୁରୋ : ଦିଲ୍ଲୀରେ ତିଆରି ହେବ ସଂସଦ ଭବନର ନୂଆ କୋଠା । ଏଥିପାଇଁ ଟେଣ୍ଡର ଜିତିଲା ଟାଟା ପ୍ରୋଜେକ୍ଟସ୍ ଲିମିଟେଡ୍ । ୮୯୧ କୋଟି ୯୦ ଲକ୍ଷରେ ସଂସଦ ଭବନର ନୂଆ କୋଠା ତିଆରି କରିବା ଟେଣ୍ଡର ଜିତଛି ଟାଟା ଗ୍ରୁପ୍ । ୮୬୫ କୋଟି ଟଙ୍କାରେ ଟେଣ୍ଡର ପକାଇଥିବା ଏଲଆଣ୍ଡଟି ଗ୍ରୁପ୍ ଏଥିରେ ପଛରେ ପଡି ଯାଇଛି । ବୁଧବାର କେନ୍ଦ୍ରୀୟ ଲୋକସେବା ନିର୍ମାଣ ବିଭାଗରେ ଏହାର ଟେଣ୍ଡର ହୋଇଥିଲା । ଏଥିରେ ଟାଟାଗ୍ରୁପ୍ ସହିତ ଏଲଆଣ୍ଡଟି, ଲାର୍ସନ୍ ଆଣ୍ଡ୍ ଟର୍ବୋ ସାମିଲ ହୋଇଥିଲେ । ତେବେ ପ୍ରାରମ୍ଭିକ ବାଜି ଟାଟା ଗ୍ରୁପ୍ ଜିତିବା ପରେ ଏବେ ସଂସଦ ଭବନର ନୂଆ କୋଠା ଟାଟା ଗ୍ରୁପ୍ ତିଆରି କରିବା ସ୍ପଷ୍ଟ ହେଉଛି ।

ବର୍ତମାନ ସଂସଦ ଭବନର କୋଠା ବହୁ ପୁରୁଣା ହୋଇଗଲାଣି । ସୁରକ୍ଷା ଗତ କାରଣରୁ ଏହାକୁ ନେଇ ମଧ୍ୟ ଚିନ୍ତା ଦେଖା ଦେଉଛି । ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ସଂସଦ ଭବନର ନୂଆ କୋଠା ତିଆରି କରିବାକୁ ଚିନ୍ତା କରିଛନ୍ତି । ବର୍ତମାନ ଯେଉଁ ସ୍ଥାନରେ ସଂସଦ ଭବନ ରହିଛି ତାହାର ପାଖରେ ନିର୍ମାଣ ହେବ ନୂଆ ସଂସଦ ଭବନ । ଏହାର ନିର୍ମାଣ ସେଂଟ୍ରାଲ ୱିଷ୍ଟା ରିଡେବଲପେମେଂଟ ପ୍ରୋଜେକ୍ଟ ଅନୁସାରେ ହେବ । ଅନୁମାନ କରାଯାଉଛି ଆଗାମୀ ୨୧ ମାସ ମଧ୍ୟରେ ଏହାର ନିର୍ମାଣ କାମ ଶେଷ ହୋଇଯିବ । ସୂଚନା ଅନୁସାରେ ସଂସଦର ନୂଆ କୋଠା ୧୧୮ ନଂବର ପ୍ଲଟରେ ତିଆରି ହେବ ।  ତଳ ମହଲାକୁ ମିଶାଇ ଏହା ମୋଟ୍ ଉପରେ ଦୁଇ ମହଲା ବିଶିଷ୍ଟ ରହିବ ।