ଡୋକୋମୋକୁ ଟାଟା ଦେଲା ୭୮୦୦ କୋଟି ଟଙ୍କା

32

କନକ ବ୍ୟୁରୋ: ଦୀର୍ଘ ଦୁଇ ବର୍ଷ ହେଲାଣି ଟାଟା ସନ୍ସ ଏବଂ ଜାପାନର କଂପାନି ଏନଟିଟି ଡୋକୋମୋ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ହୋଇଯିବ । ଏହି ଦୁଇ କଂପାନି ଯୌଥ ଉଦ୍ୟୋଗ ପ୍ରତିଷ୍ଠା କରି ଟାଟା ଡୋକୋମୋ ନାମରେ ଭାରତରେ ମୋବାଇଲ୍ ସେବା ପ୍ରଦାନ କରୁଛନ୍ତି । ଦୁଇ କଂପାନି ମଧ୍ୟରେ ଚାଲିଥିବା ବିବାଦର ସମାଧାନ କରିବା ପାଇଁ ଟାଟା ସନ୍ସ ପକ୍ଷରୁ ଡୋକୋମୋକୁ ୭୮୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଟାଟା-ଡୋକୋମୋ ଯୌଥ ଉଦ୍ୟୋଗରୁ ଡୋକୋମୋ ବାହାରି ଯିବାକୁ ମନ ସ୍ଥିର କରିବା ପରେ ବିବାଦ ଆରମ୍ଭ ହୋଇଥିଲା । ସେତେବେଳେ ଟାଟା ସନ୍ସର ମୁଖ୍ୟ ଥିଲେ ସାଇରସ୍ ମିସ୍ତ୍ରୀ ।

ଦୁଇ କଂପାନି ଭିତରେ ବିବାଦ ଏତେ ବଢ଼ିଯାଇଥିଲା ଯେ ମାମଲା ଆନ୍ତର୍ଜାତିକ ଅଦାଲତରେ ପହଞ୍ଚିଥିଲା । ସେହି ଅଦାଲତର ରାୟ ଡୋକୋମୋ ସପକ୍ଷରେ ଯାଇଥିଲା । ମାତ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ ଅଦାଲତର ରାୟ ଉପରେ ଆପତ୍ତି ଉଠାଇଥିଲା । ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା ଯାହାର ରାୟ ମଧ୍ୟ ଡୋକୋମୋ ସପକ୍ଷରେ ଯାଇଥିଲା । ଡୋକୋମୋ ୨୦୦୯ରେ ୧୨,୭୪୦ କୋଟି ଟଙ୍କା ନିବେଶ କରି ଟାଟା ଟେଲିର ୨୬.୫% ଅଂଶଧନ ଖରିଦ କରିଥିଲା ।

୨୦୧୪ରେ ଯୌଥ ଉଦ୍ୟୋଗରୁ ବାହାରି ଯିବାକୁ ଡୋକୋମୋ ନିଷ୍ପତ୍ତି ନେଇଥିଲା । ନିଜ ଅଂଶଧନ ବାବଦରେ ସେୟାର ପିଛା ୫୮ ଟଙ୍କା ହିସାବରେ କଂପାନି ଟାଟାକୁ ୭୨୦୦ କୋଟି ଟଙ୍କା ମାଗିଥିଲା । କିନ୍ତୁ ଆରବିଆଇ ଗାଇଡଲାଇନର ବାହାନା ଦେଖାଇ ଟାଟା ପକ୍ଷରୁ ସେୟାର ପିଛା ୨୩ ଟଙ୍କା ୫୦ ପଇସା ପ୍ରଦାନ କରାଯିବ ବୋଲି କୁହାଯାଇଥିଲା । ଏହା ପରେ ଦୁଇ କଂପାନି ଭିତରେ ବିବାଦ ଆରମ୍ଭ ହୋଇଥିଲା ।