ଟାଟା କ୍ୟାନସର ହସ୍ପିଟାଲ, ରାଜ୍ୟକୁ ନା କେନ୍ଦ୍ରକୁ ହଁ । ୨୦୧୮ରେ ଚୁକ୍ତି କରି ଓହରିଗଲା କମ୍ପାନି ହେଲେ ଏବେ କେନ୍ଦ୍ର ସରକାରଙ୍କ ସହ ମିଶି ହସ୍ପିଟାଲ କରିବାକୁ ଘୋଷଣା

206

କନକ ବ୍ୟୁରୋ: ଭୁବନେଶ୍ୱରର ବାରଙ୍ଗରେ ରାଜ୍ୟ ସରକାରଙ୍କ ସହଯୋଗରେ ପ୍ରସ୍ତାବିତ କ୍ୟାନସର ହସ୍ପିଟାଲ ପ୍ରକଳ୍ପରୁ ଓହରି ଯାଇଥିଲା ଟାଟା ଟ୍ରଷ୍ଟ । ଏବେ କିନ୍ତୁ ନାଇଜର ଠାରେ କ୍ୟାନସର ହସପିଟାଲ ପ୍ରକଳ୍ପ ପାଇଁ ଟାଟା ଟ୍ରଷ୍ଟ ଆଗେଇ ଆସିଛି । କେନ୍ଦ୍ର ସରକାରଙ୍କ ସହ ମିଳିତ ଭାବେ ଏହି ହସପିଟାଲ ତିଆରି ହେବ । ଏହାକୁ ନେଇ ରାଜନୀତି ଜୋର ଧରିଛି । ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି, ରାଜ୍ୟ ସରକାରଙ୍କ ପ୍ରକଳ୍ପ ପାଇଁ ଆନ୍ତରିକତା ନଥିଲା । ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ଶିଳ୍ପପତିମାନେ ନିଜ ହିସାବରେ ନିଷ୍ପତି ନିଅନ୍ତି ।

୨୦୧୮ ମେ ୬ ତାରିଖରେ କ୍ୟାନସର ହସପିଟାଲ୍ ପାଇଁ ଟାଟା ସହ ଚୁକ୍ତି କରିଥିଲେ ରାଜ୍ୟ ସରକାର । କ୍ୟାନସର ଚିକିତ୍ସା କ୍ଷେତ୍ରରେ ଏହା ଥିଲା ରାଜ୍ୟ ସରକାରଙ୍କ ବଡ଼ ଯୋଜନା । ଏହାର କିଛି ମାସ ପରେ ଅର୍ଥାତ ୨୦୧୯ ଫେବ୍ରୁଆରୀ ୧୭ ରେ ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ରତାଗଡରେ ୫ ଶହ ଶଯ୍ୟା ବିଶିଷ୍ଟ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟାଟା ଟ୍ରଷ୍ଟର ମୁଖ୍ୟ ରତନ ଟାଟା । କିନ୍ତୁ ପ୍ରକଳ୍ପ ଆଉ ଆଗେଇ ନଥିଲା । ପ୍ରକଳ୍ପରୁ ଓହରି ଯାଇଥିଲା ଟାଟା । ଯାହା ସମସ୍ତଙ୍କୁ ନିରାଶ କରିଥିଲା । ଏବେ ପୁଣିଥରେ ଓଡ଼ିଶାରେ କ୍ୟାନସର ହସ୍ପିଟାଲ୍ କରିବା ପାଇଁ ଟାଟା ଟ୍ରଷ୍ଟ ଆଗେଇ ଆସିଛି, ଏଥର କିନ୍ତୁ ରାଜ୍ୟ ସରକାରଙ୍କ ସହ ନୁହେଁ କେନ୍ଦ୍ର ସରକାରଙ୍କ ସହଯୋଗରେ ତିଆରି ହେବ କ୍ୟାନ୍ସର୍ ହସ୍ପିଟାଲ୍ । ଏହାକୁ ନେଇ ରାଜନୀତି ଜୋର ଧରିଛି ।

  • ରାଜ୍ୟ ସରକାରଙ୍କ ପ୍ରକଳ୍ପରୁ ଓହରି ଯାଇଥିଲା ଟାଟା
  • ଏବେ କେନ୍ଦ୍ର ସହ ମିଶି କରିବ କ୍ୟାନସର୍ ହସ୍ପିଟାଲ

ଖୁବଶୀଘ୍ର ଭୁବନେଶ୍ୱରର ନାଇଜର ଠାରେ କ୍ୟାନସର ହସ୍ପିଟାଲ୍ ତିଆରି ହେବାକୁ ଯାଉଛି । ଏହି ପ୍ରକଳ୍ପରେ ଟାଟା ଟ୍ରଷ୍ଟ ସାମିଲ ହେବ । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି । ଟାଟା ଟ୍ରଷ୍ଟର ବରିଷ୍ଠ ଅଧିକାରୀଙ୍କ ସହ ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଜିତେନ୍ଦ୍ର ସିଂହ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଲୋଚନା କରିଛନ୍ତି ।

  • କ୍ୟାନସର ହସ୍ପିଟାଲ୍ ପାଇଁ ଖର୍ଚ୍ଚ ହେବ ୬୫୦ କୋଟି ଟଙ୍କା
  • କେନ୍ଦ୍ର ସରକାର ଖର୍ଚ୍ଚ କରିବେ ୪୦୦ କୋଟି
  • ଅବଶିଷ୍ଟ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିବ ଟାଟା ଟ୍ରଷ୍ଟ
  • ଭୁବନେଶ୍ୱର ନାଇଜର ଦେବ ୧୭ ଏକର ଜମି
  • କ୍ୟାମ୍ପସକୁ ଲାଗି ୨୦ ଏକର ଜମି ଯୋଗାଇବ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରାଳୟ