ଟାର୍ଗେଟ ୨୦୨୪ ନିର୍ବାଚନ, ଆସନ୍ତା ୨୯ରେ ସରଗରମ ହେବ ରାଜ୍ୟ ରାଜନୀତି।

109

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ଆହୁରି ଦେଢ଼ ବର୍ଷ ବାକି ଅଛି, କିନ୍ତୁ ଏବେ ଠାରୁ ରାଜ୍ୟ ରାଜନୀତି ଉଷୁମ ହେବାରେ ଲାଗିଛି । ରଣନୀତି ପ୍ରସ୍ତୁତ ପାଇଁ କସରତ ଆରମ୍ଭ କରିଛନ୍ତି ତିନି ରାଜନୈତିକ ଦଳ । ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଦୁଇ ଦିନ ରହଣି କାଳରେ ଦଳୀୟ ନେତାଙ୍କ ସହ ତୁହାକୁ ତୁହା ବୈଠକ କରିବେ । ଏପଟେ ସେହି ୨୯ ତାରିଖରେ ଦଳୀୟ ନେତା ଓ କର୍ମକର୍ତାଙ୍କୁ ସଫଳତାର ମନ୍ତ୍ର ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଗକୁ ମାରାଥନ କାର୍ଯ୍ୟକ୍ରମ ଥିବାରୁ ତାର ରୋଡ୍ମ୍ୟାପ ପ୍ରସ୍ତୁତ କରିବ ଦଳ । ରାଜ୍ୟର ୧ ନମ୍ବର, ୨ ନମ୍ବର ଦଳ ଭଳି ସେହି ୨୯ ତାରିଖରେ ଖୋର୍ଦ୍ଧାରେ ଦଳୀୟ ବୈଠକ କରିବ କଂଗ୍ରେସ । ଭାରତ ଯୋଡ଼ ଯାତ୍ରା କିପରି ସଫଳ ହେବ, ସେନେଇ ପ୍ରସ୍ତୁତ ହେବ ରଣନୀତି ।

କିଛି ଦିନ ହେଲା ରାଜ୍ୟ ବିଜେପି ଶିବିର ଚଳଚଞ୍ଚଳ ହୋଇ ଉଠିଛି । ଅମିତ ଶାହାଙ୍କ ଗସ୍ତ ପରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଦୁଇ ଦୁଇ ଥର ଓଡ଼ିଶା ଆସିଛନ୍ତି । ପୁରୀରେ ପ୍ରଶିକ୍ଷଣ ଶିବିର ଆୟୋଜନ କରିଥିଲା ଦଳ । ଏବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସୁଥିବାରୁ ଦଳୀୟ ନେତାଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି ।

ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ
୨୯ ତାରିଖରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା
ଭୁବନେଶ୍ୱର ଜନତା ମଇଦାନରେ ପ୍ରତ୍ୟେକ ପଞ୍ଚାୟତ ଶକ୍ତିକେନ୍ଦ୍ରର ୩ ଜଣ ପ୍ରମୁଖ କର୍ମକର୍ତ୍ତାଙ୍କ ସମ୍ମିଳନୀରେ ଯୋଗ ଦେବେ
ରାଜ୍ୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି, ବିଧାୟକ, ସାଂସଦ, ପୂର୍ବତନ ସାଂସଦ ଓ ବିଧାୟକ, ପ୍ରଭାରୀମାନଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରିବେ
୩୦ ତାରିଖ ସକାଳେ ପୁରୀରେ ଜଗନ୍ନାଥ ଦର୍ଶନ କରିବା ପରେ ଭଦ୍ରକ ଧାମନଗର ଯାଇ ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ପରିବାରକୁ ଭେଟିବା କାର୍ଯ୍ୟକ୍ରମ ରହିଛି
ଧାମନଗରରୁ ଫେରିବା ପରେ ୭ ମୋର୍ଚ୍ଚାର ଜିଲ୍ଲା କମିଟିର ସଦସ୍ୟଙ୍କ ସହ ଆଲୋଚନା କରିବେ ଜେପି ନଡ୍ଡା

ଏପଟେ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଜୋରଦାର ପ୍ରସ୍ତୁତି କରୁଛି ବିଜେଡି । ନିକଟରେ ଧର୍ମଶାଳାରେ ଦଳୀୟ ନେତାଙ୍କ ଟ୍ରେନିଂ କ୍ୟାମ୍ପ କରାଯାଇଥିଲା । ଆଗକୁ ରହିଛି ବିଜେଡିର ମାରାଥନ କାର୍ଯ୍ୟକ୍ରମ । ଆସନ୍ତା ୨୯ ତାରିଖରେ ଦଳର ଛାମୁଆ ସଂଗଠନ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ ।

ବିଜେଡି କାର୍ଯ୍ୟକ୍ରମ
ଛାତ୍ର, ଯୁବ, ମହିଳା ସଂଗଠନା ନେତାଙ୍କ ସହ ଆଲୋଚନା କରିବେ ନବୀନ
ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା, ବିଜୁ ଜୟନ୍ତୀ, ଦଳର ପ୍ରତିଷ୍ଠା ଦିବସକୁ ଏଥର ବଡ଼ ଆକାରରେ କରିବା ପାଇଁ ବ୍ୟାପକ ଯୋଜନା କରିଛି ଶାସକ ଦଳ
ଧର୍ମଶାଳା ପ୍ରଶିକ୍ଷଣ ଶିବିର ଭଳି ସବୁ ନିର୍ବାଚନ ମଣ୍ଡଳୀରେ ସମାନ ଭାବେ ପ୍ରଶିକ୍ଷଣ ଶିବିର କରିବା ପ୍ରସ୍ତାବ ରହିଛି
୨୯ ତାରିଖ ବୈଠକରେ ପ୍ରସ୍ତୁତ ହେବ ରୋଡମ୍ୟାପ୍

ଅକ୍ଟୋବର ୩୧ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ଭାରତ ଯୋଡ ପଦଯାତ୍ରା । ଏହାକୁ ସଫଳ କରିବା ପାଇଁ ୨୯ ତାରିଖରେ ଖୋର୍ଦ୍ଧାରେ ବଡ଼ ବୈଠକ କରିବ କଂଗ୍ରେସ । ପଦଯାତ୍ରାରେ ରାହୁଲ ଗାନ୍ଧୀଙ୍କୁ ସାମିଲ କରିବା ପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି ଦଳର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ । ଗୋଟିଏ ଦିନରେ ୩ ରାଜନୈତିକ ଦଳର କାର୍ଯ୍ୟକ୍ରମ ଥିବାରୁ ରାଜ୍ୟ ରାଜନୈତିକ ବାତାବରଣରେ ଉଷ୍ମତା ଭରିଦେଇଛି ।