ତାରାଙ୍କ ମାଡତତ୍ତ୍ୱ! ବିଧାନସଭାରେ ଖୋଲାଖୋଲି କହିଲେ, ପିସି କାରବାର କଲେ ଅଫିସରଙ୍କୁ ହେବ ମାଡ଼

30

କନକ ବ୍ୟୁରୋ : ସୂର୍ଯ୍ୟଙ୍କ ପରେ ତାରା ଦୋହରାଇଲେ ମାଡ଼ତତ୍ତ୍ୱ । ବିଧାନସଭା ମୌସୁମୀ ଅଧିବେଶନ ଶୂନ୍ୟକାଳରେ ପିସି କାରବାର ରୋକିବା ପାଇଁ ମାଡ଼ ସମର୍ଥନରେ ଯୁକ୍ତି ରଖିଛନ୍ତି ତାରା ପ୍ରସାଦ ବାହିନୀପତି । ତୃତୀୟ ମହଲାର ଇଂଗିତରେ ପିସି କାରବାର ଚାଲୁଥିବା କହିଛନ୍ତି ତାରା । ଭଲ ଅଫିସଙ୍କୁ ବଦଳ କରି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ନିଯୁକ୍ତି ଦିଆଯାଉଛି । ତେଣୁ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ମାଡ଼ ଦରକାର ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ।

ପିସି ବା ଲାଂଚ ଆକାରରେ ହାତଗୁଂଜା, ଯାହାକୁ ନେଇ ସାରା ରାଜ୍ୟରେ ଉଦବେଗ । ଆଉ ସେହି ପିସି କାରବାର ପାଇଁ ତୃତୀୟ ମହଲା, ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଇଙ୍ଗିତ କରିଛନ୍ତି ତାରାପ୍ରସାଦ ବାହିନୀପତି । ତୃତୀୟ ମହଲାରୁ ପିସି କାରବାରର ଆରମ୍ଭ ହେଉଥିବା, ଅଭିଯୋଗ କରିଛନ୍ତି । ମନ୍ତ୍ରୀ ସୂର୍ଯ୍ୟପାତ୍ରଙ୍କ ଆହ୍ୱାନକୁ ବଳିଯାଇଛି ତାରାବାହିନୀ ପତିଙ୍କ ମାଡ଼ତତ୍ତ୍ୱ । କିଛି ଦିନ ପୂର୍ବରୁ ଠିକ୍ ଏକା ଢ଼ଙ୍ଗରେ ମାଡ଼ତତ୍ତ୍ୱ ସପକ୍ଷରେ ଯୁକ୍ତି ରଖିଥିଲେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ଲାଂଚ ମାଗୁଥିବା ଅଧିକାରୀ ଓ ପଂଚାୟତ ପ୍ରତିନିଧିଙ୍କୁ ଚପଲରେ ପିଟିବାକୁ ଆହ୍ୱାନ ଦେଇଥିଲେ । ପିସି କାରବାରର ମଂଜି ତୃତୀୟ ମହଲାରୁ ଉଠିଥିବା ନେଇ ବିରୋଧୀ ଦଳର ମୁଖ୍ୟ ସଚେତକ ଦେଇଥିବା ଏହି ବୟାନକୁ ବିଜେପି ସମର୍ଥନ କରିଥିବା ବେଳେ ବିଜେଡି ଉଠାଇଛି ପ୍ରଶ୍ନ ।

ଏଠି ପ୍ରଶ୍ନ ଉଠୁଛି- ପିସି ବନ୍ଦ ନେଇ ନେତା କେବଳ ବୟାନବାଜି କରୁଛନ୍ତି ନା’ ଆନ୍ତରିକତା ଅଛି ? ମାଡ଼ ସମର୍ଥନରେ ଯୁକ୍ତି ରଖି ଜନତାଙ୍କୁ ଉସୁକାଉଛନ୍ତି କି ନେତା ?