ଦଳୀୟ ନେତାଙ୍କୁ ଟାର୍ଗେଟ କଲେ ତାରା: କହିଲେ ଫିଲ୍ଡରେ କାମ କର, ସଭାପତିଙ୍କ ପଛରେ ବୁଲିଲେ ହେବନି

119

କନକ ବ୍ୟୁରୋ: କଂଗ୍ରେସର ନବ ସଂକଳ୍ପ ସମାବେଶର ଦ୍ୱିତୀୟ ଦିନର । ହେଲେ ଏଥିରେ ଆଲୋଚନା ଅପେକ୍ଷା ଯାହା ଅଧିକ ଚର୍ଚ୍ଚା ସୃଷ୍ଟି କରିଛି, ତିନି ବରିଷ୍ଠ ନେତା ବୈଠକରୁ ଅନୁପସ୍ଥିତ ରହିବା । ଯୋଗଦେଇନଥିବା ତିନି ବିଧାୟକ ହେଲେ ତାରା ବାହିନୀପତି, ମହମ୍ମଦ ମୋକ୍କିମ, ରମେଶ ଜେନା । ଭୁବନେଶ୍ୱରରେ ଥିଲେ ସୁଦ୍ଧା ଅସୁସ୍ଥତା କାରଣ ଦର୍ଶାଇ ଦୁଇଦିନ ହେଲା ବୈଠକକୁ ଯାଉ ନାହାନ୍ତି ତାରା । ବିଧାୟକ ରମେଶ ଜେନା ଲେହ, ଲଦାଖ ଯାଇଥିବାରୁ ନବ ସଂକଳ୍ପ ସମାବେଶରେ ଯୋଗ ଦେଇପାରି ନାହାନ୍ତି । ସେହିପରି ଦୁଇ ଦିନ ହେଲା ସମାବେଶରୁ ଦୂରେଇ ରହିଛନ୍ତି ମୋକ୍କିମ । ପିସିସି ସଭାପତି ପଦବୀ ପାଇଁ ମହମ୍ମଦ ମୋକିମ ନିଜେ ଆଶାୟୀ ଥିବା ଚର୍ଚ୍ଚା ହେଉଥିଲା । ତେଣୁ ଶରତ ପଟ୍ଟନାୟକଙ୍କୁ ଏହି ପଦ ମିଳିବା ପରେ ସେ ମନଉଣା କରିଥିବା କୁହାଯାଉଛି ।

ବୈଠକରୁ ଦୂରେଇ ରହିଥିବା ତାରା ଦଳୀୟ ନେତାଙ୍କୁ ଇସାରା ଇସାରାରେ ଟାର୍ଗେଟ କରିଛନ୍ତି । ପିସିସି ସଭାପତିଙ୍କ ପଛରେ ପେଟ କାଢି ବୁଲିଲେ ହେବ ନାହିଁ , ବରଂ ଦଳକୁ ମଜଭୂତ କରିବା ପାଇଁ ଫିଲ୍ଡରେ କଠିନ ପରିଶ୍ରମ କରିବାକୁ ପଡିବ, ଆଉ ଯିଏ ପରିଶ୍ରମ କରିବ ତାଙ୍କୁ ସେ ସହଯୋଗ କରିବେ ବୋଲି ତାରା କହିଛନ୍ତି । ସେପଟେ ତାରାଙ୍କ ଏ ମନ୍ତବ୍ୟ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ହାଲୁକା ଭାବେ ନେବା ସହ କହିଛନ୍ତି ଯେ, ତାରା ଠିକ କଥା କହିଛନ୍ତି । କିନ୍ତୁ ବିଧାୟକ ମହମ୍ମଦ ମୋକ୍କିମ ନୀରବ ରହିଛନ୍ତି । ହେଲେ ଏହି ନୀରବତାର ଅର୍ଥ ସମର୍ଥନ ନା ବିରୋଧ, ଆଗାମୀ ଦିନରେ ସ୍ପଷ୍ଟ ହେବ ।