ବିଧାନସଭାରେ ତାରାଙ୍କ ଉଗ୍ରରୂପ : ପୋଡ଼ିୟମ୍ ନିକଟରେ ହଙ୍ଗାମା କଲେ, ବାଚସ୍ପତିଙ୍କ କାଗଜପତ୍ର ଛଡ଼ାଇନେଲେ . . .

152

କନକ ବ୍ୟୁରୋ : ଗୃହରେ ତାରାଙ୍କ ଉଗ୍ରରୂପ । ବିଧାନସଭାରେ ଆଜି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ହଙ୍ଗାମା କରିଛନ୍ତି । କୃଷି ଓ କୃଷକ ପ୍ରସଙ୍ଗ ନେଇ ବିଧାନସଭା ଆଲୋଚନା ହେଉ ବୋଲି ବାରମ୍ବାର ଦାବି କରିଥିଲେ । ଏପ୍ରସଙ୍ଗରେ ଆଲୋଚନା ହେଉ ବୋଲି ଗୃହରେ ତାରାଙ୍କ ସମେତ ଅନ୍ୟ କଂଗ୍ରେସ ବିଧାୟକମାନେ ନାରା ମଧ୍ୟ ଦେଇଥିଲେ । ଏପ୍ରସଙ୍ଗରେ ଆଲୋଚନା ନହେବାରୁ ବିଧାନସଭାରେ ଦେଖିବାକୁ ମିଳଥିଲା ତାରାଙ୍କ ଉଗ୍ର ରୂପ । ତାରା ବାଚସ୍ପତିଙ୍କ ନିକଟକୁ ଯାଇ କାଗଜପତ୍ର ଛଡ଼ାଇ ଆଣିଥିଲେ । ପୋଡ଼ିୟମକୁ ବାଡ଼େଇ ତାର ମଧ୍ୟ ଛିଣ୍ଡାଇ ଆଣିବା ପାଇଁ ଉଦ୍ୟମ କରୁଥିବାର ଦେଖିବାକୁ ମିଳିଛି । କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

ଏପଟେ ତାରା ଅଭିଯୋଗ କରିଛନ୍ତି ଦୀର୍ଘ ଦିନ ହେବ ବାଚସ୍ପତିଙ୍କୁ ଚାଷୀଙ୍କୁ ପ୍ରସଙ୍ଗରେ ଆଲୋଚନା ପାଇଁ ଲିଖିତ ମୁଲତବୀ ପ୍ରସ୍ତାବ ଦିଆଯାଇଛି । ହେଲେ ବାଚସ୍ପତି ମହାଶୟ ଆଲୋଚନା ପାଇଁ ସୁଯୋଗ ଦେଉନାହାନ୍ତି । ଚାଷୀ ପ୍ରସଙ୍ଗ ଉଠାଇଲେ ବାଚସ୍ପତି ଧମକାଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ।  ବାଚସ୍ପତି କେବଳ ଇଂରାଜୀରେ କହି ଚାଷୀ ପ୍ରସଙ୍ଗକୁ ଅଣଦେଖା କରୁଛନ୍ତି । ନିରପେକ୍ଷ ନହୋଇ ଏକପାଖିଆ ହୋଇଯାଉଛନ୍ତି  ବାଚସ୍ପତି । ତାଙ୍କର ଏପରି ବ୍ୟବହାର ରାଜ୍ୟ ପାଇଁ ଶୁଭଙ୍କର ନୁହେଁ । ଚାଷୀ ଆଜି ତ୍ରାହି ତ୍ରାହି ଡାକିଲେଣି । ଚଳିତ ବଜେଟରେ ଚାଷୀଙ୍କ ପାଇଁ କିଛି ନୂତନ ସମ୍ଭାବନା ଆଣିନାହାନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପାଖରେ କୃଷକଙ୍କ ଉପରେ ଆଲୋଚନା କରିବା ପାଇଁ ସାହସ କରୁନାହନ୍ତି । କୃଷକଙ୍କ ବିଷୟରେ ସଠିକ ତଥ୍ୟ ନାହିଁ । ଜାଣିଶୁଣି ବାଚସ୍ପତି ମହୋଦୟ କୃଷକ ଓ କୃଷି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ କୁଣ୍ଠାବୋଧ କରୁଛନ୍ତି ବୋଲି କହିଛନ୍ତି ତାରା ।

ସେପଟେ ଏ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,ରାଜ୍ୟ ସରକାର କୃଷି ଓ କୃଷକଙ୍କ ସମସ୍ୟାରେ ଆଲୋଚନା କରିବା ପାଇଁ ଭୟଭୀତ । ରାଜ୍ୟରେ କୃଷକଙ୍କ ସଂଖ୍ୟା ନେଇ ସରକାରଙ୍କ ପାଖରେ ସଠିକ ତଥ୍ୟ ନାହିଁ । ଏଥିପାଇଁ ପୂର୍ବରୁ ବିଧାନସଭାରେ ସରକାର ଅପଦସ୍ତ ହୋଇସାରିଛନ୍ତି । କୃଷକଙ୍କ ପ୍ରତି ବୀତସ୍ପୃହ ମନୋଭାବ ଯୋଗୁଁ ଗୃହରେ ଏ ପ୍ରସଙ୍ଗରେ ଆଲୋଚନ ହୋଇପାରୁ ନାହାନ୍ତି ।

Comments are closed.