ଏବେ ଚୁଟିକାଟିବା ପାଇଁ ବି ବାଧ୍ୟତାମୂଳକ ଆଧାର…ଆଧାରକାର୍ଡ ନଥିଲେ ଆପଣଙ୍କ ପାଇଁ ଖୋଲିବନି ସେଲୁନ-ବିୟୁଟି ପାର୍ଲରର ଦ୍ୱାର…କରୋନା ନିୟନ୍ତ୍ରଣ ପାଇଁ ସରକାରଙ୍କ ନୂଆ ଗାଇଡଲାଇନ୍ସ

1,754

କନକ ବ୍ୟୁରୋ: ଏଣିକି ସେଲୁନ ଏବଂ ବିୟୁଟି ପାର୍ଲରରେ ବି ଆଧାର ବାଧ୍ୟତାମୂଳକ । ଆଧାର କାର୍ଡ ନଥିଲେ ଏଣିକି କାଟିପାରିବେନି ଚୁଟି ଆଉ ପଶିପାରିବେନି ବିୟୁଟି ପାର୍ଲର । ଖାଲି ଏତିକି ନୁହେଁ ଏଥିପାଇଁ ସରକାରଙ୍କ ତରଫରୁ ଏକ ସ୍ୱତନ୍ତ୍ର ନିୟମାବଳୀ ମଧ୍ୟ ଜାରି କରାଯାଇଛି । ଯଦି କେହି ସରକାରଙ୍କ ଏହି ନିୟମକୁ ଅବମାନନା କରନ୍ତି ତେବେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ତେବେ ଦେଶରେ ଲକଡାଉନ କଟକଣା କୋହଳ ହେବା ପରେ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ତାମିଲନାଡୁ ସରକାର ।

ଦେଶରେ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଇତି ମଧ୍ୟରେ ଲକଡାଉନ କଟକଣାକୁ ମଧ୍ୟ କିଛି ମାତ୍ରାରେ କୋହଳ କରିଦିଆଯାଇଛି । ଫଳରେ ଚଳିତ ମାସରୁ ଅଧିକାଂଶ ରାଜ୍ୟରେ ଦୋକାନ ବଜାର ଖୋଲିବାକୁ ଅନୁମତି ମଧ୍ୟ ମିଳିଛି । ତେବେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ତାମିଲନାଡୁରେ ମଧ୍ୟ ଲକଡାଉନ କଟକଣାକୁ କୋହଳ କରାଯାଇଛି । ଫଳରେ ଏଠାରେ ଦୋକନା ବଜାର ଖୋଲିବା ସହ ସେଲୁନ ଏବଂ ବିୟୁଟି ପାଲର ମଧ୍ୟ ଖୋଲିବାକୁ ଅନୁମତି ମିଳିଛି । ହେଲେ ଚୁଟିକାଟିବା ପାଇଁ ଏବେ ଏଠାରେ ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯାଇଛି । ତାମିଲନାଡୁ ସରକାର ସେଲୁନ ଏବଂ ପାର୍ଲର ପାଇଁ ଏସଓପି ମଧ୍ୟ ଜାରି କରିଛନ୍ତି ।

ତାମିଲନାଡୁ ସରକାରଙ୍କ ତରଫରୁ ଜାରି ହୋଇଥିବା ନିୟମାବଳୀ ଅନୁସାରେ, ଯଦି ଆପଣ ଚୁଟି କାଟିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପ୍ରଥମେ ନିଜ ଆଧାର କାର୍ଡ ଦେଖାଇବାକୁ ପଡିବ । ସେହିଭଳି ସେଲୁନ ମାଲିକ ମଧ୍ୟ ପ୍ରତିଟି ଗ୍ରାହକଙ୍କର ନାଁ, ଗାଁ , ଠିକଣା, ଫୋନ ନମ୍ବର ଏବଂ ଆଧାର କାର୍ଡ ନମ୍ବର ଆଦି ତଥ୍ୟ ରଖିବାକୁ ହେବ । ଆଉ ଯଦି ସେ ଏଭଳି ନ କରନ୍ତି ତେବେ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡା ନିର୍ଦ୍ଦେଶ ଦେଇଛନ୍ତି ତାମିଲନାଡୁ ସରକାର । ସେହିଭଳି ଗାଇଡଲାଇନ୍ସ ଅନୁସାରେ, ସାମାଜିକ ଦୂରତା ପାଳନ କରିବା ସହ କୌଣସି ବି ସେଲୁନ ତଥା ପାର୍ଟରରେ ୫୦ ପ୍ରତିଶତରୁ ଅଧିକ କର୍ମଚାରୀ ରହିବେ ନାହିଁ ।

ଏପରିକି ସେଲୁନରେ ଏସି ଚାଲିବ ନାହିଁ । ସେହିଭଳି ସେଲୁନକୁ ଆସୁଥିବା ପ୍ରତିଟି ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଏବଂ ପ୍ରଥମେ ହାତ ସାନିଟାଇଜର କରିବା ପରେ ଆରୋଗ୍ୟ ସେତୁ ଆପ ନିଜ ମୋବାଇଲରେ ଇନଷ୍ଟଲ କରିବାକୁ ହେବ । ଏହା ସହ ସେଲୁନ ମାଲିକ ନିଜ ଗ୍ରାହକଙ୍କୁ ଡିସ୍ପୋଜେବୁଲ ଆଫ୍ରନ ଏବଂ ଜୋତା କଭର ଦେବେ । ଯଦି ଜଣେ ଗ୍ରାହକଙ୍କର ବିଲ୍ ହଜାରେ ଟଙ୍କା ଆସେ ତେବେ ତାଙ୍କୁ ୧୫୦ ଟଙ୍କା ଡିସ୍ପୋଜାଲ ଆଫ୍ରନ ଏବଂ ଫୁଟ କଭର ପାଇଁ ଅତିରିକ୍ତ ଟଙ୍କା ପରିଶୋଧ କରିବାକୁ ପଡିବ ।