ବିଜୟ ହଜାରେ ଟ୍ରଫିରେ ବିଶ୍ୱ ରେକର୍ଡ: ୫୦ ଓଭରରେ ୫୦୬ ରନ କଲା ତାମିଲନାଡୁ, ଭାଙ୍ଗିଲା ଇଂଲଣ୍ଡ ରେକର୍ଡ  

1,981

କନକ ବ୍ୟୁରୋ: ଭାରତରେ ଜାରି ରହିଛି ଘରୋଇ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି । ଆଉ ଏହି ଟୁର୍ଣ୍ଣାମେଣ୍ଟରେ ସୃଷ୍ଟି ହୋଇଛି ବିଶ୍ୱରେକର୍ଡ । ତାମିଲନାଡୁ ଟିମ ୫୦ ଓଭରରେ ୫୦୬ ରନର ବିଶାଳ ସ୍କୋର କରି ସମସ୍ତଙ୍କୁ ଚମକାଇ ଦେଇଛି । ଅରୁଣାଚଳ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ତାମିଲନାଡୁ ଏହି ବିଶ୍ୱ ରେକର୍ଡ ହାସଲ କରିଛି । ଏହି ମ୍ୟାଚରେ ତାମିଲନାଡୁ ବ୍ୟାଟ୍ସମ୍ୟାନ ଏନ ଜଗଦିସନ ୨୭୭ର ବିଶାଳ ପାଳି ଖେଳିଛନ୍ତି । ଆଉ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ପଛରେ ପକାଇଛନ୍ତି ।

ଏହି ମ୍ୟାଚରେ ଅରୁଣାଚଳ ପ୍ରଦେଶ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଆଉ ବ୍ୟାଟିଂ ପାଇଁ ମୈଦାନକୁ ଆସିଥିଲେ ତାମିଲନାଡୁର ଦୁଇ ଦୁର୍ଦ୍ଦଶ ବ୍ୟାଟର ସାଇ ସୁର୍ଦ୍ଦଶନ ଓ ଏନ ଜଗଦିଶନ । ଉଭୟ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଆଉ ୪୧୬ ରନର ବଡ ପାର୍ଟନରସିପ କରିଥିଲେ । ଫଳରେ ଦଳ ୫୦ ଓଭର ଖେଳି ୫୦୬ ରନର ବିଶାଳ ସ୍କୋର କରିପାରିଥିଲା । ଆଉ ଏକ ବିଶ୍ୱ ରେକର୍ଡ ନିଜ ନାଁରେ କରିଥିଲା ।

ତାମିଲନାଡୁ ଏହି ରେକର୍ଡ କରି ୫୦୦ ରନରୁ ଅଧିକ ରନ କରିବାରେ ପ୍ରଥମ ଦଳ ହୋଇପାରିଛି । ଏଥିରେ ତାମିଲନାଡୁ ଇଂଲଣ୍ଡ କ୍ରିକେଟ ଟିମକୁ ମଧ୍ୟ ପଛରେ ପକାଇଛି । ଇଂଲଣ୍ଡ କ୍ରିକେଟ ଟିମ ଚଳିତ ବର୍ଷ ନେଦରଲାଣ୍ଡ ବିପକ୍ଷରେ ୫୦ ଓଭରରେ ୪୯୮ ରନ କରିଥିଲା । ଯାହାକୁ ଏବେ ଭାଙ୍ଗି ଦେଇଛି ତାମିଲନାଡୁ ଦଳ । ତମିଲନାଡୁ ପକ୍ଷରୁ ସାଇ ସୁର୍ଦ୍ଦଶନ ୧୫୪ ବଲରେ ୧୦୨ କରିଥିଲେ । ସେହିପରି ଏନ ଜଗଦିଶନ ୧୪୧ ବଲରୁ ୨୭୭୬ ରନ କରିଛନ୍ତି, ଯେଉଁଥିରେ ୧୫ ଛକା ଓ ୨୫ ଚୌକା ସାମିଲ ଅଛି ।

ଏନ ଜଗଦିଶନ କେବଳ ଏହି ଗୋଟିଏ ମ୍ୟାଚ ନୁହେଁ, ସେ ବିଜୟ ହଜାରେ ଟ୍ରଫିରେ ଲଗାତାର ୫ ମ୍ୟାଚରେ ୫ ଶତକ ହାସଲ କରିସାରିଲେଣି । ତେବେ ନଜର ପକାନ୍ତୁ ତାଙ୍କର ସେଞ୍ଚୁରୀ ଉପରେ –

ଆନ୍ଧପ୍ରଦେଶରେ ୧୧୪ ରନ୍ 

ଛତିଶଗଡ ବିପକ୍ଷରେ ୧୦୭ ରନ୍ 

ଗୋଆ ବିପକ୍ଷରେ ୧୬୮ ରନ୍ 

ହରିୟାଣା ବିପକ୍ଷରେ ୧୨୮ ରନ୍ 

ଅରୁଣାଚଳ ପ୍ରଦେଶ ବିପକ୍ଷରେ ୨୭୭ ରନ୍       

ଏହି ବିଶ୍ୱ ରେକର୍ଡ ସହ ଏନ ଜଗଦିଶନ ରୋହିତ ଶର୍ମାଙ୍କୁ ମଧ୍ୟ ପଛରେ ପକାଇଛନ୍ତି । ରୋହିତ ଶର୍ମା ଦିନିକିଆରେ ୨୬୪ ରନ କରିଥିଲେ । ସେହିପରି ଲିଷ୍ଟ ଏ କ୍ରିକେଟରେ ସବୁଠାରୁ ଅଧିକ ରନ କରିଥିବା ଅଲି ବ୍ରାଉନଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ଏନ ଜଗଦିଶନ । ଅଲି ୨୬୮ ରନ କରିଥିବା ବେଳେ ଜଗଦିଶନ ଏବେ ୨୭୭ ରନ କରି ଏକ ନମ୍ବରରେ ରହିଛନ୍ତି ।

୨୬ ବର୍ଷିୟ ଏନ ଜଗଦିଶନ ଏବେ ଘରୋଇ କ୍ରିକେଟରେ ଧମାଲ ମଚାଉଛନ୍ତି । ସେ ତାମିଲନାଡୁ ପାଇଁ ୱିକେଟ କିପିଂ କରିବା ସହ ଓପନିଂ ଦାୟିତ୍ୱ ମଧ୍ୟ ସମ୍ଭାଳୁଛନ୍ତି । ଏବେ ଯାଏଁ ଜଗଦିଶନ ୪୧ ଲିଷ୍ଟ ଏ ମ୍ୟାଚ ଖେଳିବା ସହ ୪୫ରୁ ଅଧିକ ଆଭରେଜରେ ରନ କରିଛନ୍ତି । ଯେଉଁଥିରେ ୭ ଶତକ ସାମିଲ ଅଛି । ସେ ଆଇପିଏଲରେ ଚେନ୍ନାଇ ଦଳ ପାଇଁ ଖେଳୁଛନ୍ତି । ଆଉ ଏବେ ଯାଏଁ ମୋଟ ୭ଟି ମ୍ୟାଚ ଖେଳି ୭୩ ରନ କରିଛନ୍ତି ।