ରବୀନ୍ଦ୍ର ଜାଡେଜା ବିଜେପି କାର୍ଯ୍ୟକର୍ତ୍ତା, ତାଙ୍କ ପାଇଁ ଚେନ୍ନାଇ ହେଲା ଆଇପିଏଲ ଚାମ୍ପିୟନ । ତାମିଲନାଡୁର ବିଜେପି ସଭାପତିଙ୍କ ବୟାନକୁ ନେଇ ଚର୍ଚ୍ଚା ।

232

କନକ ବ୍ୟୁରୋ : ଆଇପିଏଲରେ ଚେନ୍ନାଇର ବିଜୟକୁ ନେଇ ବଡ ବୟାନ ଦେଇଛନ୍ତି ତାମିଲନାଡୁ ବିଜେପି ଅଧ୍ୟକ୍ଷ କେ. ଅନ୍ନମଲ୍ଲାଇ । ପଞ୍ଚମ ଥର ଚାମ୍ପିୟନ ହୋଇଥିବା ଚେନ୍ନାଇ ସୁପର କିଙ୍ଗସ ଓ ରବୀନ୍ଦ୍ର ଜାଡେଜାଙ୍କୁ ଶୁଭେଚ୍ଛା ଜଣାଇବା ସହ ଜାଡେଜାଙ୍କୁ ବିଜେପି କାର୍ଯ୍ୟକର୍ତ୍ତା ବୋଲି କହିଛନ୍ତି । ତାମିଲନାଡୁ ବିଜେପିର ଅଧିକାରିକ ଟ୍ୱିଟର ହ୍ୟାଣ୍ଡେଲରୁ ହୋଇଥିବା ଟ୍ୱିଟରେ ଅନ୍ନମଲ୍ଲାଇଙ୍କ ବୟାନକୁ ଦର୍ଶାଯାଇଛି । କ୍ରିକେଟର ରବୀନ୍ଦ୍ର ଜାଡେଜା ବିଜେପି କାର୍ଯ୍ୟକର୍ତ୍ତା । ତାଙ୍କ ପତ୍ନୀ ରିଭାଭା ଜାମନଗର ବିଧାନସଭାରୁ ବିଜେପି ବିଧାୟିକା । ଜାଡେଜା ନିଜେ ଗୁଜୁରାଟୀ । ବିଜେପି କର୍ମୀ ଜାଡେଜା ହିଁ ସିଏସକେକୁ ବିଜୟୀ କରାଇଛନ୍ତି ।

ଗଣମାଧ୍ୟମ ସହ ଆଲୋଚନା ବେଳେ ଅନ୍ନମଲ୍ଲାଇ କହିଛନ୍ତି, ସିଏସକେ ପୁଣିଥରେ ଚାମ୍ପିୟନ ହେଲା ଏହା ଆମ ପାଇଁ ଗର୍ବ । ଗୁଜୁରାଟ ଟାଇଟନ୍ସ ବି ଉତ୍ସବ ମନାଇବା କଥା । କାରଣ ତାଙ୍କ ପାଖରେ ସିଏସକେ ଅପେକ୍ଷା ଅଧିକ ତାମିଲ ଅଛନ୍ତି । ସାଇ ସୁଦର୍ଶନ ୯୬ ରନ୍ ଗୁଜୁରାଟ ପାଇଁ କରିଥିଲେ । ତେଣୁ ସେଥିପାଇଁ ମଧ୍ୟ ଆମେ ଖୁସି । ଆମେ ଏଥିପାଇ ଖୁସି କାରଣ ବିଜେପି କାର୍ଯ୍ୟକର୍ତ୍ତା ହିଁ ବିଜୟୀ ରନ୍ କରିଥିଲେ । ଯାହାର ଭିଡ଼ିଓ କ୍ଲିପ୍ ଏବେ ଭାଇରାଲ ହେବାରେ ଲାଗିଛି । ଗତବର୍ଷ ଗୁଜୁରାଟ ବିଧାନସଭା ନିର୍ବାଚନରେ ଜାଡେଜାଙ୍କ ପତ୍ନୀ ରିଭାଭା ବିଜେପି ଟିକେଟରେ ନିର୍ବାଚନ ଲଢିଥିଲେ ଏବଂ ଜାଡେଜା ତାଙ୍କ ପାଇଁ ପ୍ରଚାର କରିଥିବାର ନଜର ଆସିଥିଲେ ।

ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଚାମ୍ପିୟନ ହୋଇଛି । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଗୁଜୁରାଟ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୧୪ ରନ କରିଥିଲା । ତେବେ ଡିଏଲଏସ ନିୟମ ଅନୁଯାୟୀ ଚେନ୍ନାଇକୁ ୧୫ ଓଭରରେ ୧୭୧ ରନର ବିଜୟ ଲକ୍ଷ୍ୟ ମିଳିଥିଲା । ଏହି ବିଜୟଲକ୍ଷ୍ୟକୁ ଶେଷ ବଲରେ ହାସଲ କରି ଚାମ୍ପିୟନ ହୋଇଥିଲା ଚେନ୍ନାଇ ।