କନକ ନ୍ୟୁଜରେ ମତ ରଖିଲେ ତାଲିବାନୀ ମୁଖପାତ୍ର । କହିଲେ, ଭାରତୀୟଙ୍କୁ ଅଟକ ରଖିବା ଖବର ମିଛ, ନୀରିହ ଲୋକଙ୍କୁ ହତ୍ୟା ପ୍ରସଙ୍ଗରେ ରହିଲେ ଚୁପ୍ । 

300

କନକ ବ୍ୟୁରୋ  : କାବୁଲ ବିମାନବନ୍ଦରରେ ବିଚିତ୍ର ସ୍ଥିତି ଲାଗି ରହିଛି । ହଜାର ହଜାର ସଂଖ୍ୟାରେ ଲୋକ ଦେଶ ବାହାରକୁ ଚାଲିଯିବା ପାଇଁ ଅପେକ୍ଷା କରି ରହିଛନ୍ତି । କାବୁଲ ବିମାନ ବନ୍ଦରର ଦୃଶ୍ୟ ଚାରିଆଡେ ଭାଇରାଲ ହେବାରେ ଲାଗିଛି । ହଜାର ହଜାର ଲୋକ ଅପେକ୍ଷା କରି ରହିଛନ୍ତ, କାଳେ ବିମାନରେ ବସିଯିବା ପାଇଁ ତାଙ୍କୁ ସୁଯୋଗ ମିଳିଯିବ । କିନ୍ତୁ କେହି ଜାଣି ନାହାନ୍ତି ତାଙ୍କ ପାଇଁ ଏ ସୁଯୋଗ ଆସିବ କି ନାହିଁ । ଏମାନଙ୍କ ମଧ୍ୟରେ ଅଧିକାଂଶ ଆମେରିକୀୟ ସେନାକୁ ବିଭିନ୍ନ ବାଟରେ ସହାୟତା କରିଥିବା ଆଫଗାନ ନାଗରିକ । ସେମାନଙ୍କର ଭୟ ହେଉଛି ଯେ କୌଣସି ସମୟରେ ତାଲିବାନୀମାନେ ତାଙ୍କୁ ମାରିଦେଇ ପାରନ୍ତି । ସେମାନେ ଆଶା ରଖିଛନ୍ତି ଯେ, ଆମେରିକା ସେନା ସେମାନଙ୍କୁ ଦେଶ ବାହାରକୁ ଚାଲିଯିବା ପାଇଁ ବାଟ ବାହାର କରିବ । ଗତ ସାତ ଦିନ ଭିତରେ କାବୁଲ ଏୟାରପୋର୍ଟରେ ଏ ଭଳି ଭିଡ ଯୋଗୁ ଦଳାଚକଟାରେ ୨୦ ଜଣଙ୍କର ମୃତ୍ୟୁ ହୋଇଗଲାଣି ।

କାବୁଲର ଏକ ଉତେଜନାପ୍ରବଣ ଅଂଚଳରୁ ଆସିଥିବା ଭିଡ଼ିଓରେ ଜଣେ ସାମ୍ବାଦିକା ସୁମେଇରା ଖାନ ଲାଇଭ ରିପୋର୍ଟିଂ କରୁଥିବା ବେଳେ  ପଛପଟେ ଆଖିବୁଜା ଗୁଳି ଫୁଟୁଛି । ଏହି ଦୃଶ୍ୟରେ ଦେଖିବାକୁ ମିଳୁଛି, ସାମ୍ବାଦିକାଙ୍କ ପଛରେ ଥିବା ଲୋକ ଧାଁ ଧପଡ କରିବା ଆରମ୍ଭ କରିଦେଲେଣି କିନ୍ତୁ ସାମ୍ବାଦିକା ଜଣକ ନିର୍ଭିକ ଭାବେ ରିପୋର୍ଟିଂ କରିଚାଲିଛନ୍ତି । ଏଭଳି ବିପଦପୂର୍ଣ୍ଣ ସ୍ଥାନରୁ ରିପୋର୍ଟିଂ ପାଇଁ  ଟୁଇଟରରେ ବେଶ୍ ପ୍ରଶଂସା କରାଯାଇଛି । ପ୍ରଥମ ଥର ପାଇଁ ଓଡିଶାର ଏକ ନ୍ୟୁଜ୍ ଚ୍ୟାନେଲ, କନକ ନ୍ୟୁଜ୍କୁ ପ୍ରତିକ୍ରିୟା ଦେଇଛନ୍ତି ତାଳିବାନ ମୁଖପାତ୍ର ଜାବିବୁଲା ମୁଜାହିଦ୍ । ସେ କହିଛନ୍ତି, ଭାରତୀୟ ମାନେ ଆଦୌ ତାଲିବାନର ଟାର୍ଗେଟରେ ନାହାନ୍ତି । ୧୫୦ ଜଣ ଭାରତୀୟଙ୍କୁ ଅଟକ ରଖିବା ଖବର ମିଛ ବୋଲି କହିଛନ୍ତି ।

ଆମ ପ୍ରତିନିଧି କଳିଙ୍ଗଶ୍ରୀ ପଣ୍ଡାଙ୍କୁ ଏହି ତାଲିବାନୀ ମୁଖପାତ୍ର କହିଛନ୍ତି, ସେଠାରେ ସରକାର ଗଠନ ହୋଇନଥିବାରୁ ଓ ଶାସନ ଲାଗୁ ହୋଇନଥିବାରୁ ଏଭଳି ଅସ୍ୱାଭାବିକ ସ୍ଥିତି ରହିଛି । କିନ୍ତୁ ତାଙ୍କର ନିଜ ସୈନିକ ମାନେ କାହିଁକି ନୀରିହ ଲୋକଙ୍କୁ ମାରୁଛନ୍ତି ବୋଲି ଆମେ ପ୍ରଶ୍ନ କରିଥିଲୁ ସେ ଏହାର କୈାଣସି ଉତର ଦେଇନଥିଲେ ।  ତାଲିବାନୀ ମାନେ ପ୍ରତିଶୃତି ଦେଉଛନ୍ତି ଯେ, ୧୯୯୬ ରୁ ୨୦୦୧ ପର୍ଯ୍ୟନ୍ତ ଯେଉଁ କଠୋର ନୀତିରେ ସେମାନେ ଶାସନ କରୁଥିଲେ, ଏବେ ସେଭଳି କରିବେ ନାହିଁ ଏବଂ ସେମାନେ ନରମ ଆଭିମୁଖ୍ୟ ପୋଷଣ କରିବେ । କିନ୍ତୁ ଆଫଗାନିସ୍ତାନରେ ଯେଉଁ ଘଟଣା ସବୁ ଘଟୁଛି ତାହା ସମ୍ପୂର୍ଣ୍ଣ ଭିନ୍ନ କଥା ବୟାନ କରୁଛି ।