ତାଲିବାନ ମୁଖପାତ୍ରଙ୍କ ବିବାଦୀୟ ବୟାନ, କାଶ୍ମୀର ମୁସଲମାନମାନଙ୍କ ପାଇଁ ସ୍ୱର ଉଠାଇବାକୁ ଚେତାବନୀ

230

କନକ ବ୍ୟୁରୋ : ଆଜି ଆଫଗାନିସ୍ତାନରେ ସରକାର ଗଠନ କରିପାରେ ତାଲିବାନ । ଏହାପରେ ଆଫଗାନିସ୍ତାନକୁ ବିଶ୍ୱ ଆତଙ୍କବାଦୀମାନେ ନିଜର ଆଡ୍ଡାସ୍ଥଳ ବନାଇପାରନ୍ତି ବୋଲି ବିଶ୍ୱ ସମୁଦାୟ ସନ୍ଦେହ କରିବା ଆରମ୍ଭ କରିଥିବା ବେଳେ ତାଲିବାନ ମୁଖପାତ୍ର ସୁହେଲ ଶାହୀନଙ୍କ ମନ୍ତବ୍ୟ ଭାରତ ପାଇଁ ଚିନ୍ତା ବଢାଇଛି ।

ଗୋଟେପଟେ ତାଲିବାନ ଆତଙ୍କୀ ସମୁହ ସାରା ବିଶ୍ୱକୁ ଆଶ୍ୱାସନା ଦେଇ କହିଥିଲେ କି ଆଫଗାନିସ୍ତାନରୁ ତାଲିବାନୀମାନେ ଅନ୍ୟଦେଶ ପ୍ରତି କେବେ ବି ବିପଦ ଆଣିବେ ନାହିଁ । ହେଲେ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ତାଲିବାନ ମୁଖପାତ୍ର ସୁହେଲ ଶାହୀନ କହିଛନ୍ତି କି କାଶ୍ମୀର ହେଉ କି ଅନ୍ୟ କେଉଁ ସ୍ଥାନ, ମୁସଲମାନଙ୍କ ହକ୍ ପାଇଁ ସେମାନଙ୍କର ସ୍ୱର ଉର୍ତ୍ତୋଳନ କରିବାର ଅଧିକାର ରହିଛି ।

ଆମେ ସ୍ୱର ଉତ୍ତୋଳନ କରିବୁ ଏବଂ କହିବୁ ମୁସଲମାନମାନେ ଆପଣଙ୍କ ଲୋକ, ଆପଣଙ୍କ ଦେଶର ନାଗରିକ । ଆପଣଙ୍କ ଆଇନ ଅନୁଯାୟୀ, ସେମାନେ ମଧ୍ୟ ସମାନ । ତେଣୁ ସେମାନଙ୍କୁ ମଧ୍ୟ ସମାନ ଅଧିକାର ମିଳିବା ଉଚିତ ବୋଲି ଶାହିନ ମତ ରଖିଛନ୍ତି । ଏହାପୂର୍ବରୁ ତାଲିବାନର ଅନ୍ୟ ଜଣେ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା କଶ୍ମୀର ବିବାଦ ସମ୍ପର୍କରେ କହିଥିଲେ ଯେ ଏ ପ୍ରସଙ୍ଗରେ ଭାରତ ଏକ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ।

ସେ ଏହା ମଧ୍ୟ କହିଥିଲେ ଯେ ଭାରତ ଏବଂ ପାକିସ୍ତାନ ଏକାଠି ବସି ସମସ୍ୟାର ସମାଧାନ କରନ୍ତୁ, ଯେହେତୁ ଉଭୟ ପଡୋଶୀ ଏବଂ ସେମାନଙ୍କର ହିତ ପରସ୍ପର ସହିତ ଜଡିତ ।