ତାଲିବାନୀ ଆତଙ୍କ: ଥରହର ଆଫଗାନି ମହିଳା, ଶେଷ ହେଲା ମହିଳାଙ୍କ ସ୍ୱାଧୀନତା, ସାହାଯ୍ୟ ପାଇଁ ବିଶ୍ୱସମୁଦାୟକୁ ବିକଳ ନିବେଦନ

202

କନକ ବ୍ୟୁରୋ: ଚାହୁଁ ଚାହୁଁ ସୁନାମି ଭଳି ମାଡି ଆସିଲା ତାଲିବାନ୍ । ସବୁକିଛି କବଜାରେ କରିନେଲା । ତା ଆଗରେ ମୁ୍ଣ୍ଡ ନୁଆଁଇଲା ଆଫଗାନିସ୍ତାନର ସ୍ୱାଧିନତା । ଏବେ ତାଲିବାନୀଙ୍କ ବନ୍ଧୁକ ମୁନରେ ଆଫଗାନଙ୍କ ଜୀବନ । ସାରା ବିଶ୍ୱ ଆଗରେ ତାଲିବାନ ଗୋଟେ କଥା କହୁଥିବାବେଳେ ଏଠିକାର ବାସ୍ତବ ଚିତ୍ର କିନ୍ତୁ ସମ୍ପୂଣର୍ଣ ଭିନ୍ନ, ଯାହା କ୍ରମାଗତ ଖବରରୁ ସ୍ପଷ୍ଟ । ଏଠି ମହିଳାଙ୍କ ଦୁର୍ଦ୍ଦଶା ନକହିଲେ ଭଲ । ମୁତ୍ୟୁ ଯେପରି ପାଟି ମେଲା କରି ରହିଛି ଏମାନଙ୍କୁ ଗ୍ରାସ କରିବାକୁ ।

ଆଫଗାନିସ୍ତାନର ପ୍ରତ୍ୟେକ ଛିବ ସ୍ପଷ୍ଟ ପ୍ରମାଣ କରୁଛି ତାଲିବାନୀ କବଜାରେ ଥିବା ଆଫଗାନୀସ୍ତାନରେ ଜୀବନର କରୁଣ କାହାଣୀ । ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ….ଜୀବନ ମୃତ୍ୟୁ ଭିତରେ ଚାଲିଛି ଛକାପଂଝା ଖେଳ । ଲୋକଙ୍କ ଏହି ଭୟ ଅମୂଳକ ନୁହେଁ । ୨୦ ବର୍ଷ ପୂବରୁ ତାଲିବାନୀଙ୍କ ଅତ୍ୟାଚାର ଏବେବି ଏଠିକାର ଲୋକଙ୍କ ଆଖରୁ ନିଦ ହଜାଇଦିଏ । ଏବେ ତାଲିବାନର ପ୍ରତ୍ୟାବର୍ତ୍ତନରେ ସେମାନଙ୍କ ଅବସ୍ଥା ଦୟନୀୟ । କଳିକନ୍ଦି ବନ୍ଧୁକଧାରୀ ତାଲିବାନୀ । ଆଉ ଘରେ ଥରହର ହେଉଛନ୍ତି ମହିଳା ଓ ଶିଶୁ । ତାଲିବାନ ଶାସନ ସହ ଶେଷ ହୋଇଛି ମହିଳାଙ୍କ ସ୍ୱାଧୀନତା । ନିକଟରେ କାନ୍ଦାହାର ଦଖଲ ସମୟରେ ବ୍ୟାଙ୍କ ଗୁଡିକରେ କାମ କରୁଥିବା ସମସ୍ତ ମହିଳାଙ୍କୁ ଘଉଡାଇଦେଇଥିଲେ ତାଲିବାନୀ ଆତଙ୍କବାଦୀ ଆଉ ଘରେ ରହିବାକୁ ତାଗିତ ବି କରିଥିଲେ ।
ଆଫଗାନୀ ମହିଳାଙ୍କ ସୁରକ୍ଷା ପାଇଁ ଦୁଇଦୁଇ ଥର ଲୁହ ଭରା ଆଖିରେ ସାରା ବିଶ୍ୱକୁ ଅପିଲ କରିସାରିଲେଣି ଏଠିକାର ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶିକା ଶେହରା କରିମି ।
“କେହି ତ ଆଫଗାନିସ୍ତାନକୁ ବଂଚାଅ । ଯନ୍ତ୍ରଣାସିକ୍ତ ହୃଦୟରେ ପୁରା ବିଶ୍ୱାସ ନେଇ ସମଗ୍ର ବିଶ୍ୱକୁ ମୁଁ ଅନୁରୋଧ କରୁଛି ମୋର ସୁନ୍ଦର ଦେଶକୁ ତାଲିବାନଠାରୁ ବଂଚାଇବାକୁ ସାମିଲ ହୁଅ । ଏଠାରେ ତାଲିବାନ ରକ୍ତର ହୋଲି ଖେଳୁଛି । ନିଃଷ୍ପାପ ଶିଶୁଙ୍କୁ ଅପହରଣ କରୁଛି । ସାମାନ୍ୟ ପୋଷାକ ପିନ୍ଧାକୁ ନେଇ ମହିଳାଙ୍କୁ ମାରୁଛି । ଦେଶର ପ୍ରଖ୍ୟାତ ହାସ୍ୟକଳାକାର ଓ ସାମ୍ବାଦିକଙ୍କୁ ହତ୍ୟା କଲା ।  ଏଭଳି ସ୍ଥଳେ ଆମେ ବଂଚିବୁ କେମିତି ।”

ମହିଳାଙ୍କ ଶିକ୍ଷାକୁ ନେଇ ମଧ୍ୟ ତାଲିବାନ କଠୋରତା ଦେଖାଇଛି । ମହିଳାଙ୍କ ସ୍କୁଲ କଲେଜ ଯିବା ଉପରେ କଡା ରୋକ ଲଗାଇଛି ତାଲିବାନ୍ ।ଖାଲି ସେତିକ ନୁହେଁ ଜାରି କରିଛି ମହିଳାଙ୍କ ପାଇଁ ଏକାଧିକ କଠୋର ନିୟମ ।
– ପୁରୁଷ ସାଥୀ ବିନା ଘରୁୁ ବାହାରିପାରିବେନି ମହିଳା 
– ପୁରୁଷ ସାଥୀ ତାଙ୍କ ରକ୍ତ ସମ୍ପର୍କ ହୋଇଥିବେ
– ମହିଳାଙ୍କ ପାଇଁ ବୁର୍ଖା ପିନ୍ଧିବା ବାଧ୍ୟତାମୂଳକ
– ଏପରି ଜୋତା ପିନ୍ଧିବେ ନାହିଁ ଯେଉଁଥିରେ ଶବ୍ଦ ହେବ
– ବଡ ପାଟିରେ କଥା କହିବା ମନା
– ମହିଳା ରହୁଥିବା ଘରର ଝରକା ବନ୍ଦ ରହିବ, କାଚ ଝରକା ହୋଇଥିଲେ ତାହା ରଙ୍ଗ ହେବ
– କୋରାନ ବ୍ୟତୀତ ଆଉ କିଛି ପଢିପାରିବେ ନାହିଁ
– ଶିକ୍ଷିତ ହୋଇଥିଲେ ବି କୌଣସି କାର୍ଯ୍ୟାଳୟରେ କାମ କରିପାରିବେ ନାହିଁ
– ତାଲିବାନୀ ନିୟମ ଅନୁସାରେ ତାଙ୍କ ପାଇଁ ‘ମହିଳା’ ଶବ୍ଦ ବ୍ୟବହାର ହେବ ନାହିଁ  ଏମିତି ଅନେକ ନିୟମ 

ଏହିପରି ଅଙ୍ଗେଲିଭା କଥା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଘାଜିନି ଇଲାକାରେ ରହୁଥିବା ଖାତିରା ବେଗମ୍ । ଆଗରୁ ଶାସନରେ ଥିବା ତାଲିବାନ ଆତଙ୍କିଙ୍କ ଶିକାର ହୋଇଥିଲେ ଖାତିରା । ଜଣେ ପୋଲିସ କର୍ମୀଙ୍କ ସ୍ତ୍ରୀ ହୋଇଥିବାରୁ ତାଲିବାନୀ ତାଙ୍କ ଶରୀରରେ ଏକାଧିକ ଥର ଛୁରାମାଡ କରିବା ସହ ତାଭ୍କ ଆଖି ତାଡିଦେଇଥିଳେ । ସେତେବେ ସେ ଅନ୍ତଃସତ୍ତ୍ୱ ଥିଲେ । ଖାଲି ସେତିକି ନୁହେଁ ମହିଳାଙ୍କୁ ମାଡ ମାରିବ ସହ ସେମାନଙ୍କୁ ଡାହାଳ କୁକୁରଙ୍କ ଆଗରେ ଛାଡିଦେଉଥିଲେ ।

ଏବେ ସେହି ଘଟଣାକୁ ମନେପକାଇ ଥରି ଉଠୁଛନ୍ତି ଆଫଗାନୀ ମହିଳା । ଏବେ ର ସ୍ଥିତିକୁ ଅନୁଧ୍ୟାନ କଲେ ଆଗକୁ ପୁଣି ସେହି ଅନ୍ଧାରି ଯୁଗ ମାଡି ଆସିବ ବୋଲି କହୁଛନ୍ତି ଏଠିକାର ମହିଳା । ଏବେ ଏଠାରେ ତାଲିବାନ ମାନେ ଜବରଦସ୍ତି ମହିଳାମାନଙ୍କୁ ନେଇ ବିବାହ କରୁଛନ୍ତି । ଘର ଘର ବୁଲି ଅବିବାହିତ ମହିଳାଙ୍କୁ ଖୋଜିୁଛନ୍ତି । ଆଉ ସେମାନଙ୍କୁ ନେଇ ଯୌନଦାସୀ କରିଥିବା କିଛି ଅନ୍ତର୍ଜାତୀଗ ଖବରକାଗଜରେ ପ୍ରକାଶ ପାଇଛି । ଆଉ କିଛି ଦିନ ଗଲେ ବିଶ୍ୱ ଇତିହାସରୁ ଆଫଗାନ ମହିଳାଙ୍କ ନାଁ ଲିଭିଯିବ ବୋଲି କହିଛନ୍ତି ଜାତିସଂଘ ଆଫଗାନି ଯୁବ ଗୋଷ୍ଠୀ ପ୍ରତିନିଧି ଆୟେସା ଖୁରମ ।ତାଲିବାନର ଅତ୍ୟାଚାରରେ କଲ ବଲ ହେଉଥିବା ଆଫଗାନ ମହିଳାଙ୍କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ହେଉଥିବା ବେଳେ ଜାତିସଂଘର ନିରବତା ବାସ୍ତବିକ ପରିତାପର ବିଷୟ ନୁହେଁ କି ।