ଆଫଗାନିସ୍ତାନରେ ମାଡି ଚାଲିଛି ତାଲିବାନ । ଆମେରିକା ଗୁଇନ୍ଦା ସଂସ୍ଥାର ଚେତାବନୀ । ଆଗାମୀ ୯୦ ଦିନ ମଧ୍ୟରେ କାବୁଲ ଉପରେ କବଜା କରିପାରେ ତାଲିବାନ ।

380

କନକ ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନ ଆତଙ୍କ ବଢିବାରେ ଲାଗିଛି । ଆମେରିକା ସେନା ଧୀରେ ଧୀରେ ଆଫଗାନିସ୍ତାନ ଛାଡୁଥିବା ବେଳେ ଆଫଗାନ ସେନା ତାଲିବାନର ମୁକାବିଲା କରିପାରୁ ନାହାନ୍ତି । ସେଇଥିପାଇଁ ଆଫଗାନିିସ୍ତାନର ଗୋଟିଏ ପରେ ଗୋଟିଏ ସହର ତାଲିବାନ କବଜାକୁ ଚାଲିଯାଉଛି ଆଉ ତାଲିବାନ ଦଖଲରେ ଥିବା ସହର ତାଲିକାରେ ଏବେ ସାମିଲ ହୋଇଛି, ପୁଲ-ଇ-ଖୁମାରୀ, ଫୈଜାବାଦ, ଫରାହ, ସର-ଏ-ପୁଲ ।

ସେହିପରି ପଶ୍ଚିମାଞ୍ଚଳରେ ଥିବା ନିମରୋଜ ବିଭିନ୍ନ ରାଜଧାନୀ ଜରଞ୍ଜ, ଉତ୍ତର ଜୌଜଜାନ ପ୍ରୋଭିନ୍ସର ରାଜଧାନୀ ଶେବରଗାନ, ଉତ୍ତର ସୁବେ ତାଲକାନ ପ୍ରାନ୍ତର ରାଜଧାନୀ ତାଲକାନ, ହେଲମଣ୍ଡ ପ୍ରାନ୍ତର ରାଜଧାନୀ ଲସ୍କରଗାହକୁ ମଧ୍ୟ ଦଖଲ କରିଛନ୍ତି ତାଲିବାନୀ ।  ବିଭିନ୍ନ ପ୍ରାନ୍ତର ଗ୍ରାମାଞ୍ଚଳକୁ କବଜା କରିଥିବା ତାଲିବାନ ଏବେ ପ୍ରାନ୍ତର ରାଜଧାନୀକୁ ଟାର୍ଗେଟ କରି ରକ୍ତାକ୍ତ ସଂଘର୍ଷ ଚଳାଇଛି । ଅଗଷ୍ଟ ୧୧ ସୁଦ୍ଧା ଉତ୍ତର କୁଣ୍ଡୁଜ ସମେତ ଉତ୍ତର ଆଫାଗାନିସ୍ତାନର ଏକାଧିକ ସହରକୁ ଦଖଲ କରିଛି ତାଲିବାନ ସଂଗଠନ ।

ଉତ୍ତର କୁଣ୍ଡୁଜ ପ୍ରାନ୍ତର ରାଜଧାନୀ କୁଣ୍ଡୁଜ ସହରକୁ କବଜା କରିବା ପରେ ତାଲିବାନ ଯୋଦ୍ଧା ପରସ୍ପରକୁ ଶୁଭେଚ୍ଛା ଜଣାଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସାମରିକ ଓ ପ୍ରଶାସନିକ ଦୃଷ୍ଟିରୁ କୁଣ୍ଡୁଜ ସହର ଆତଙ୍କୀଙ୍କ ପାଇଁ ସୁବିଧାଜନକ ହେବ । ସେହିପରି ବଦାଖସାନ ପ୍ରୋଭିନ୍ସର ରାଜଧାନୀ ଫୈଜାବାଦ ତାଲିବାନ ଦଖଲରେ ରହିବା ଆଫଗାନିସ୍ତାନ ପାଇଁ ବଡ ଝଟକା । କାରଣ ବଦାଖସାନ ତାଜକିସ୍ତାନ, ପାକିସ୍ତାନ ଓ ଚୀନ ବର୍ଡରକୁ ଲାଗିକି ରହିଛି । ଅଗଷ୍ଟ ପ୍ରଥମ ସପ୍ତାହରେ ତାଲିବାନ ୯ ରାଜ୍ୟର ରାଜଧାନୀକୁ କବଜା କରିଥିବା ସୂଚନା ମିଳିଛି । ସହରକୁ କବଜା କରିବା ପରେ ତାଲିବାନଙ୍କ ଲୁଟତରାଜ ଓ ହିଂସାକାଣ୍ଡକୁ ନେଇ ଭାରତ ସମେତ ସାରା ବିଶ୍ୱ ଉଦବେଗ ପ୍ରକାଶ କରିଛି ।