କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଏବେ ଭିଲେନ୍ ସାଜିଛି ବର୍ଷା । ଶୁକ୍ରବାର ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ହେବାକୁ ଥିବା ଦୁଇଟି ଯାକ ମ୍ୟାଚ୍ ବର୍ଷାରେ ଧୋଇଯାଇଛି । ଯାହାକି ଗ୍ରୁପ୍-୧ର ପଏଣ୍ଟ ଟେବୁଲକୁ ରୋଚକପୂର୍ଣ୍ଣ କରିଦେଇଛି । ଖାଲି ସେତିକି ନୁହେଁ, ଏକାଧିକ ଟିମର ସେମିଫାଇନାଲ ଆଶାରେ ମଧ୍ୟ ବର୍ଷା ପାଣି ଭରିଦେଇପାରେ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ଆକଳନ କରିବା ଆରମ୍ଭ କଲେଣି ।
ଶୁକ୍ରବାର ମେଲବର୍ଣ୍ଣରେ ଆୟରଲ୍ୟାଣ୍ଡ-ଆଫଗାନିସ୍ତାନ୍ ମ୍ୟାଚ୍ ହେବାକୁ ଥିଲା । ଏହାପରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ଭିତରେ ମ୍ୟାଚ୍ ହୋଇଥାନ୍ତା । ହେଲେ ଏହି ଦୁଇଟି ଯାକ ମ୍ୟାଚ ବର୍ଷା ଯୋଗୁ ପୂରାପୂରି ଧୋଇଯାଇଛି । ସ୍ଥିତି ଏମିତି ଯେ, ଦୁଇଟି ଯାକ ମ୍ୟାଚର ଟସ୍ ମଧ୍ୟ ପଡିନଥିଲା । ତେଣୁ ଚାରୋଟି ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡିଛି ।
ଗ୍ରୁପ-୧ର ପଏଣ୍ଟ ଟେବୁଲ ଉପରେ ନଜର ପକାଇଲେ ଜଣାପଡିବ ଯେ, ବର୍ତ୍ତମାନ ୪ଟି ଟିମର ପଏଣ୍ଟ ଟେବୁଲ ୩ ପଏଣ୍ଟ ଲେଖାଏଁ ରହିଛି । ନ୍ୟୁଜିଲାଣ୍ଡ ସହ ଇଂଲଣ୍ଡ, ଆର୍ୟଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ଦଳର ପଏଣ୍ଟ ୩ ଲେଖାଏଁ ରହିଛି । ତେବେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପାଇଁ ଏବେ ସେମିଫାଇନାଲ ରାସ୍ତା ଅଧିକ କଷ୍ଟକର ହେଲା ଭଳି ମନେ ହେଉଛି । ଅଷ୍ଟ୍ରେଲିଆ ନିଜର ପ୍ରଥମ ମ୍ୟାଚ୍ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିବାବେଳେ, ଇଂଲଣ୍ଡ ମଧ୍ୟ ଆର୍ୟଲ୍ୟାଣ୍ଡଠାରୁ ପରାସ୍ତ ହୋଇଛି । ଏପରି ସ୍ଥିତିରେ ଆଜିର ମ୍ୟାଚ୍ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ହେଲେ ବର୍ଷା ଏହି ମ୍ୟାଚକୁ ଧୋଇଦେବା ପରେ, ଗ୍ରୁପ-୧ରୁ କିଏ ସେମିଫାଇନାଲ ଯିବା ତାହା ଏବେ ଦେଖିବାକୁ ବାକି ରହିଛି ।
ପଏଣ୍ଟ ଟେବୁଲର ଟପରେ ଏବେ ନ୍ୟୁଜିଲାଣ୍ଡ ରହିଛି । ଦଳ ଦୁଇଟି ମ୍ୟାଚ୍ ଖେଳି ଏହି ତିନି ପଏଣ୍ଟ ହାସଲ କରିଛି । ଏହା ପଛକୁ ଇଂଲଣ୍ଡ ଦ୍ୱିତୀୟ, ଆର୍ୟଲ୍ୟାଣ୍ଡ ତୃତୀୟ, ଅଷ୍ଟ୍ରେଲିଆ ଚତୁର୍ଥ, ଶ୍ରୀଲଙ୍କା ପଞ୍ଚମ ଓ ଆଫଗାନିସ୍ତାନ ଷଷ୍ଠ ସ୍ଥାନରେ ରହିଛି । ସେମିଫାଇନାଲରେ ପହଞ୍ଚିବାକୁ ହେଲେ କୌଣସି ବି ଦଳକୁ ଟପ୍-୨ରେ ରହିବାକୁ ପଡିବ । ଯାହାକି ଇଂଲଣ୍ଡ- ଅଷ୍ଟ୍ରେଲିଆ ପାଇଁ ଏବେ କାଠିକର ପାଠ ହେଲା ଭଳି ମନେ ହେଉଛି । ଏହି ଦୁଇଟି ଦଳ ଏବେ ନିଜର ବାକି ମ୍ୟାଚ୍ ଜିତିବା ସହିତ ଅନ୍ୟ ଦଳର ପଏଣ୍ଟ ଉପରେ ମଧ୍ୟ ନିର୍ଭର କରିବେ ।
Follow Us