ଗାମ୍ବିଆରେ କଫ ସିରଫ ପିଇ ୬୬ ପିଲାଙ୍କ ମୃତ୍ୟୁକୁ ନେଇ ହଇଚଇ : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସର୍ତକ କରାଇବା ପରେ ଭାରତରେ ତନାଘନା

101

କନକ ବ୍ୟୁରୋ : ଆଫ୍ରିକୀୟ ଦେଶ ଗାମ୍ବିଆରେ କଫ୍ ସିରଫ ଖାଇ ୬୬ରୁ ଅଧିକ ଶିଶୁଙ୍କ ମୃତ୍ୟୁକୁ ନେଇ ସାରା ବିଶ୍ୱରେ ହଇଚଇ ଖେଳି ଯାଇଛି । ଭାରତର ହରିୟାଣା ସ୍ଥିତ ମେଡେନ କମ୍ପାନୀ ପକ୍ଷରୁ ପ୍ରସ୍ତୁତ କଫ୍ ସିରଫକୁ ବ୍ୟବହାର ନକରିବା ପାଇଁ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୟାନ ଜାରି କରି କହିଛି, ହରିୟାଣାର ମେଡେନ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ୪ଟି କଫ ସିରଫ୍ ଭାରତରେ ବିକ୍ରି ହେଉ ନାହିଁ ।

ମେଡେନ କଂପାନୀଙ୍କୁ କେବଳ ରପ୍ତାନୀ ପାଇଁ କଫ୍ ସିରଫ୍ ପ୍ରସ୍ତୁତ କରିବାକୁ ଅନୁମତି ରହିଥିଲା । ତେବେ କୌଣସି ଔଷଧ ଆମଦାନୀ କରିବା ଆଗରୁ ଏହାର ବିଧିବଦ୍ଧ ଯାଞ୍ଚ କରି ଔଷଧ ନେବା ସଂପୃକ୍ତ ରାଷ୍ଟ୍ରର ଦାୟିତ୍ୱ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି । ଏହାଛଡା ରପ୍ତାନୀ ପାଇଁ ଉଦ୍ଧିଷ୍ଟ କଫ୍ ସିରଫ୍ ଭାରତରେ ଚୋରା ଚାଲାଣ ହୋଇଛି ନା ନାହିଁ ତଦନ୍ତ କରିବାକୁ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗାମ୍ବିଆରେ ୬୬ ଶିଶୁଙ୍କ ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଇଛନ୍ତି ଭାରତ ସରକାର । ମେଡିସିନ ପ୍ରସ୍ତୁତକାରୀ କମ୍ପାନୀ ହରିଆଣାର ମେଡେନ ଫାର୍ମାସିଟିକାଲର ୪ଟି ଔଷଧକୁ ପରୀକ୍ଷା ପାଇଁ ପଠାଯାଇଛି ।

ଯାଞ୍ଚ ରିପୋର୍ଟ ଆସିବା ଯାଏଁ ସଂପୃକ୍ତ କଂପାନୀ କାର୍ଯ୍ୟାଳୟକୁ ସିଲ୍ କରାଯାଇଥିବା ସୂଚନା ମିଳିଛି । ରିପୋର୍ଟ ଆସିବା ପରେ ପରବର୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଛି । ମେଡେନ୍ ଫାର୍ମାସିଟ୍ୟୁକାଲ ସିରଫ ଗୁଡ଼ିକ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛି ଡବ୍ଲୁଏଚଓ । ଭାରତୀୟ ଡ୍ରଗସ୍ କମ୍ପାନୀ ଦ୍ୱାରା ନିର୍ମିତ ଥଣ୍ଡା ଓ କାଶ ସିରଫ ସେବନ ପରେ ଶିଶୁମାନଙ୍କ ଠାରେ କିଡନୀ ସମସ୍ୟା ଦେଖାଯିବା ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ଏଭଳି ସମ୍ବେଦନଶୀଳ ଘଟଣାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅତ୍ୟନ୍ତ ଗୁରୁତର ସହ ନେଇଛି ।