ସଙ୍କଟରେ ପେଡା କାରିଗର । କୋଭିଡ ସ୍ଥିତିରେ ମାନ୍ଦା ହୋଇଛି ବ୍ୟବସାୟ । ହେଲେ ଆଶା ଛାଡ଼ି ନାହାନ୍ତି କାରିଗର ।

107

କନକ ବ୍ୟୁରୋ: ସଙ୍କଟରେ ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ ଥାନୁଆଳ ଗାଁର ପେଡା କାରିଗର । ଦିନେ ଏହି ଗାଁରେ ପଚାଶରୁ ଅଧିକ ପରିବାର ପେଡା ତିଆରି କରି ଚଳୁଥିବା ବେଳେ ଏବେ ବ୍ୟବସାୟରେ ଦେଖାଦେଇକ୍ତି ମାନ୍ଦା ଅବସ୍ଥା । ପେଡା ବ୍ୟବସାୟୀଙ୍କ ସଂଖ୍ୟା କମିଛି ସତ କିନ୍ତୁ ଆଜି ବି ପେଡାର ସ୍ୱାଦ ଯେମିତିକୁ ସେମିତି ।

ଧର୍ମଶାଳା ବ୍ଲକର ଥାନୁଆଳ ଗାଁରେ ପାଖାପାଖି ଏକ ହଜାର ଲୋକ ବସବାସ କରନ୍ତି । ଗାଁ କିଛି ଲୋକ କୃଷି ଉପରେ ନିର୍ଭର କରି ଚଳୁଥିବା ବେଳେ ଆଉ କିଛି ଲୋକ ଦୀର୍ଘ ବର୍ଷ ହେବ ପେଡା ବ୍ୟବସାୟ କରିଆସୁଛନ୍ତି । ପ୍ରାୟ ପଚାଶ ବର୍ଷତଳେ ଏହି ଗାଁର ଲୋକନାଥ ଦୋରା ନାମକ ବ୍ୟକ୍ତି ପ୍ରଥମେ ପେଡା ବ୍ୟବସାୟର ଶୁଭାରମ୍ଭ କରିଥିଲେ । ଧୀରେଧିରେ ଏହି ବ୍ୟବସାୟର ଚାହିଦା ବଢିବା ଫଳରେ ଗାଁର ପ୍ରାୟ ୪୦ରୁ ୫୦ ପରିବାର ଏହାକୁ ପ୍ରମୁଖ ବୃତ୍ତି ଭାବେ ଗ୍ରହଣ କରି ପରିବାର ଚଳାଉଥିଲେ । ମାତ୍ର ଧିରେ ଧିରେ କ୍ଷୀର,ଚିନି ଓ ଜାଳେଣୀ କାଠର ଦରବୃଦ୍ଧି ଘଟିବା ଫଳରେ ବ୍ୟବସାୟରେ ପୂର୍ବ ତୁଳନାରେ ଆଗ୍ରହ କମିବା ସହ ଲାଭ ମଧ୍ୟ କମିଛି ।

ଥାନୁଆଳ ଗାଁ ପେଡା ବେଶ୍ ପ୍ରସିଦ୍ଧ । ଚଣ୍ଡିଖୋଲ ଛକରେ ଏହି ସୁଆଦିଆ ପେଡ଼ା ବିକ୍ରି ହେଉଥିବା ଦେଖିବାକୁ ମିଳେ । ପେଡା କାରିଗରମାନେ ବିଭିନ୍ନ ଗାଁରୁ କ୍ଷୀର ସଂଗ୍ରହ କରି ପେଡା ତିଆରି କରୁଥିବା ବେଳେ ଏବେ ଓମଫେଡ କ୍ଷୀରକୁ ମଧ୍ୟ ବ୍ୟବହାର କରୁଛନ୍ତି । ଦରଦାମ ବୃଦ୍ଧି ପେଡା ବ୍ୟବସାୟର ଚାହିଦାରେ ରୋକ ଲଗାଇଥିବା ବେଳେ ଥାନୁଆଳ ଗାଁ କାରିଗରଙ୍କ ହାତ ତିଆରି ପେଡାର ସୁଆଦ କିନ୍ତୁ କମିନି । ତେଣୁ ରାଜ୍ୟ ସରକାର ବିଭିନ୍ନ ସାମଗ୍ରୀର ବ୍ୟବସାୟିକ ଅଭିବୃଦ୍ଧି ଦିଗରେ ପଦକ୍ଷେପ ନେଉଥିବା ବେଳେ ଏହି ପେଡା କାରିଗରଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାର ଆବଶ୍ୟକତା ରହିଛି ।