ଟିକେଟ ପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଛି ଟଣା ଓଟରା, କାହାକୁ ଟିକେଟ ଦେବ ତାକୁ ନେଇ ଅଡୁଆରେ ଦଳ

625

କନକ ବ୍ୟୁରୋ :ପଦ ପଦବୀ ଆଗରେ ସଂପର୍କରେ କେତେ ତୁଚ୍ଛ ତାହା ଆପଣ ଏହି ଘଟଣାରୁ ଅନୁମାନ କରିପାରିବେ । ସ୍ତ୍ରୀ ମନ୍ତ୍ରୀ ଓ ସ୍ୱାମୀ ସେହି ରାଜନୈତିକ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ । ଉଭୟ ଗୋଟିଏ ଆସନରୁ ବିଧାନସଭା ଟିକେଟ ପାଇଁ ଚଳାଇଛନ୍ତି ଲବି ।

ସୂଚନା ମୁତାବକ ଉତ୍ତର ପ୍ରଦେଶ ଲକ୍ଷ୍ନୌର ସରୋଜନୀ ନଗର ଆସନ ପାଇଁ ଏଭଳି ସ୍ଥିତି ଦେଖିବାକୁ ମିଳିଛି କି ତାହାକୁ ମେଣ୍ଟାଇବାରେ ଦଳର ନେତୃତ୍ୱମାନେ ବି ଛନ୍ଦି ହୋଇପଡିଛନ୍ତି । ପତ୍ନୀ ସ୍ୱାତୀ ସିଂ ଯୋଗୀ ସରକାରରେ ମନ୍ତ୍ରୀ ଥିବା ବେଳେ ତାଙ୍କ ସ୍ୱାମୀ ଦୟାଶଂକର ସିଂ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ । ଉଭୟ ଗୋଟିଏ ଆସନରୁ ଟିକେଟ ପାଇଁ ଦଳ ପାଖରେ ଦାବି କରିଛନ୍ତି ।

ସ୍ୱାତୀ ସିଂ ସରୋଜନୀ ନଗରରେ ଏବେ ବିଧାୟକ ରହିଛନ୍ତି । ସ୍ୱାତୀଙ୍କ ରାଜନୀତିରେ ପ୍ରବେଶ ଏକ ଆକଶ୍ମିକ ଘଟଣା । ଅନ୍ୟପଟେ ସ୍ୱାମୀ ଦୟାଶଂକର ସିଂ ୨୦୧୬ ମସିହାରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ବିରୋଧରେ ଆପତ୍ତି ଜନକ ମନ୍ତବ୍ୟ ଦେଇ ବିବାଦରେ ରହିଥିଲେ । ଏହି ମାମଲାରେ ଦୟାଶଂକର ଗିରଫ ହୋଇଥିବା ବେଳେ ବିଜେପି ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା । ଏହି କ୍ରମରେ ବିଜେପି ଦୟାଶଂକରଙ୍କ ସ୍ତ୍ରୀଙ୍କୁ ରାଜ୍ୟ ମହିଳା ଶାଖାର ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲା । ଏହାପରେ ସ୍ୱାତୀ ରାଜନୀତିରେ ପୁରା ପାଦ ମଜବୁତ କରିଦେଇଥିଲେ ।

ଏହାପରେ ଯେତେବେଳେ ଯୋଗୀ ସରକାରରେ ସ୍ୱାତୀ ମନ୍ତ୍ରୀ ହୋଇଥିଲେ ସେତେବେଳେ ସେ ଏକ ବିଅର ବାର ଉଦଘାଟନ କରି ବିବାଦରେ ଫଶିଥିଲେ । ଏହାପରେ ଦଳ ଦୟାଶଂକରଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ତାଙ୍କୁ ରାଜ୍ୟ କାରିଣୀର ସଦସ୍ୟ କରିଦେଇଥିଲେ ।

ଏନେଇ ଏବେ ଉଭୟ ସ୍ୱାମୀ –ସ୍ତ୍ରୀ ସରୋଜନୀ ଆସନରୁ ଟିକେଟ ପାଇବାକୁ ଦଳ ପାଖରେ ଦାବି ରଖିଛନ୍ତି । ଦୟାଶଂକର କହିଛନ୍ତି କି ସ୍ୱାତୀଙ୍କର କିଛି ଲୋକପ୍ରିୟତା ନାହିଁ ସେ ମୋ ସାଥି ସମର୍ଥକଙ୍କ ବଳରେ ବିଧାୟକ ଜିତିଥିଲେ । ଏଥର କିନ୍ତୁ ମୁଁ ନିଜେ ନିର୍ବାଚନ ଲଢିବାକୁ ଚାହୁଁଛି । ଏହା ଉପରେ ସ୍ୱାତୀ ସିଂ କିଛି ବୟାନ ଦେବାକୁ ଅମଙ୍ଗ ହୋଇଛନ୍ତି ।