କନକ ବ୍ୟୁରୋ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଅଖିଳେଶଙ୍କ ସାଇକେଲରେ ବସିଲେ ଯୋଗୀ ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ । କେବଳ ସେ ଏକା ନୁହେଁ ତାଙ୍କ ସହ ତାଙ୍କ ସମର୍ଥିତ ୬ ବିଧାୟକମାନେ ବି ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି ।

Advertisment

ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ମଞ୍ଚ ଉପରେ ଉପସ୍ଥିତ ରହିଥିଲେ । ସମାଜବାଦୀ ପାର୍ଟିରେ ସାମିଲ ହେବା ପରେ ସ୍ୱାମୀ ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି ମକରୂ ସଂକ୍ରାନ୍ତିରେ ଉତ୍ତର ପ୍ରଦେଶ ବିଜେପି ଅନ୍ତ ହେବାକୁ ଯାଉଛି । ସେ ଆହୁରି କହିଛନ୍ତି କି ଯେଉଁ ବିଜେପି ନେତାମାନେ ଲୋକଙ୍କ ସମସ୍ୟା ନଶୁଣି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବେଳେ ଏବେ ସେମାନଙ୍କର ନିଦ୍ରାଭଙ୍ଗ ହେଉଛି ।

ସ୍ୱାମୀ କହିଛନ୍ତି କି କିଛିଲୋକ ମୋତେ ପ୍ରଶ୍ନ ପଚାରୁଛନ୍ତି କି ବିଜେପିରୁ ୫ ବର୍ଷ ହେବ କାହିଁକି ଇସ୍ତଫା ଦେଉ ନଥିଲେ । ଏହାର ଉତ୍ତର ଦେବାକୁ ଯାଇ ସ୍ୱାମୀ କହିଥିଲେ କି ବିଜେପି ଗରୀବ, ପଛୁଆବର୍ଗ ଓ ଅଳ୍ପ ସଂଖ୍ୟକ ଲୋକଙ୍କ ଆଖିରେ ଧୂଳି ଦେଇ କ୍ଷମତା ହାସଲ କରିଥିଲା ।

ଯୋଗୀଙ୍କୁ ଟାର୍ଗେଟ କରି ସ୍ୱାମୀ କହିଛନ୍ତି କି, ଯୋଗୀ କେଶବ ପ୍ରସାଦ ମୌର୍ଯ୍ୟ ଓ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ନାମରେ କ୍ଷମତା ହାସଲ କରିଥିଲେ । ସେହି ସମୟରେ କେଶବ ପ୍ରସାଦ ମୌର୍ଯ୍ୟ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ସେଭଳି କିଛି ହୋଇ ନଥିଲା । ଏବେ ତାର ପରିଣାମ ଯୋଗୀ ସରକାରଙ୍କୁ ଭୋଗିବାକୁ ପଡିବ ବୋଲି ସ୍ୱାମୀ ଯୋଗୀଙ୍କୁ ଚେତାବନୀ ଦେଇଛନ୍ତି ।