ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଖସି ଯାଉଥିଲେ ସ୍ୱାଧୀ! ଚେତାବନୀ ପରେ ଏନଆଇଏ ଅଦାଲତରେ ହେଲେ ହାଜର, ମାଲେଗାଓଁ ବିସ୍ଫୋରଣ ଘଟଣାରେ ରଖିଲେ ବୟାନ ।

211

କନକ ବ୍ୟୁରୋ: ଏନଆଇଏ ଅଦାଲତରେ ହାଜର ହେଲେ ବିଜେପି ସାଂସଦ ସ୍ୱାଧୀ ପ୍ରଜ୍ଞା । ୨୦୦୮ରେ ମାଲେଗାଓଁରେ ହୋଇଥିବା ବିସ୍ଫୋରଣର ଅଭିଯୁକ୍ତ ତଥା ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଆଜି କୋର୍ଟରେ ହାଜର ହୋଇଛନ୍ତି । ଗତକାଲି ତାଙ୍କୁ  ହାଜର ହେବାକୁ ଅଦାଲତ ପକ୍ଷରୁ କୁହାଯାଇଥିବା ବେଳେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ହାଜର ହୋଇ ନଥିଲେ । ଯାହା ପରେ ଏଏନଆଇ ଅଦାଲତ ପକ୍ଷରୁ ସାଧ୍ୱୀ ପ୍ରଜ୍ଞାଙ୍କୁ ୨୪ ଘଣ୍ଟା ଭିତରେ ହାଜର ହେବା ପାଇଁ ଚେତାବନୀ ଦିଆଯାଇଥିଲା । ଚେତାବନୀ ପରେ ଆଜି ସାଧ୍ୱୀ ପ୍ରଜ୍ଞା ହାଜର ହୋଇଥିଲେ ।

ସେପଟେ ଅଦାଲତରେ ଶୁଣାଣି ସମୟରେ ଏଏନଆଇର ସ୍ୱତନ୍ତ୍ର ବିଚାରପତି ମାଲେଗାଓଁରେ ହୋଇଥିବା ବିସ୍ଫୋରଣକୁ ନେଇ ସାଧ୍ୱୀ ପ୍ରଜ୍ଞାଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ରଖି ମୁଁ ଜାଣି ନାହିଁ ବୋଲି କହିଥିଲେ ସାଧ୍ୱୀ ପ୍ରଜ୍ଞା । ତେବେ ଏଯାବତ୍ ଯାଞ୍ଚ କରାଯାଇଥିବା ସବୁ ସାକ୍ଷୀଙ୍କ ଅନୁଯାୟୀ, ସେପ୍ଟେମ୍ବର ୨୯ ୨୦୦୮ରେ ଏକ ବଡ଼ ଧମାକା ହୋଇଥିଲା । ଯେଉଁଥିରେ ଅନେକ ଲୋକଙ୍କ ପ୍ରାଣହାନୀ ହୋଇଥିଲା ।

ମୁମ୍ବାଇ ମାଲେଗାଓଁ ବିସ୍ଫୋରଣ ମାମଲାର ଅନ୍ୟତମ ଅଭିଯୁକ୍ତ ଥିବା ପ୍ରଜ୍ଞା ଠାକୁରଙ୍କୁ ପତ୍ର ସପ୍ତାହରେ ଆସି ମୁମ୍ବାଇ ଏନଆଇଏ ଅଦାଲତରେ ହାଜିରା ଦେବାର ସର୍ତ୍ତ ସହ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ଏଏନଆଇ ଅଦାଲତ। ମାଲେଗାଁଓ ବିସ୍ଫୋରଣ ମାମଲାରେ ସାଧ୍ୱୀଙ୍କୁ କୋର୍ଟରେ ହାଜର ହେବାର ଥିଲା । ତେବେ ଅସୁସ୍ଥତା ଥିବା ଦର୍ଶାଇ ସାଧ୍ୱୀ ପ୍ରଜ୍ଞା କୋର୍ଟ ଆସିନଥିଲେ । ଏହାର ଠିକ ପରେ କିନ୍ତୁ ଏକ ସଭାରେ ସାଂସଦଙ୍କୁ ଦେଖିବାକୁ ମିଳିଥିଲା । ମହାରାଣାପ୍ରତାପଙ୍କ ଏକ ଜୟନ୍ତୀ କାର୍ଯ୍ୟକ୍ରମରେ ପ୍ରଜ୍ଞା ଠାକୁର ଯୋଗଦେଇଥିଲେ ।