ଅକ୍ଟୋବର ୬ରୁ ରାଜଧାନୀରେ ସ୍ୱଦେଶୀ ମେଳା !

68

କନକ ବ୍ୟୁରୋ : ସୂଚନା ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର ତଥା ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଫଳରେ ସମଗ୍ର ବିଶ୍ୱ ଆଜି ଗୋଟିଏ ବଜାରରେ ପରିଣତ ହୋଇଛି । ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ସମୟରେ ସବୁ ଦେଶ ନିଜ ବଜାରକୁ ନିଜ ଲୋକଙ୍କ ନିମନ୍ତେ ସୁରକ୍ଷିତ ରଖିବାକୁ ଚେଷ୍ଟା ଜାରି ରଖିଛନ୍ତି । ଏପରି ସ୍ଥଳେ ଆମ ଦେଶରେ ଉତ୍ପାଦିତ ସ୍ୱଦେଶୀ ଉତ୍ପାଦର ଚାହିଦା ବୃଦ୍ଧି କରିବାକୁ ହେଲେ ସେଗୁଡ଼ିକର ପ୍ରଚାର ପ୍ରସାର କରିବା ନିହାତି ଆବଶ୍ୟକ । ଏନେଇ ଗତକାଲି ନୀଳାଦ୍ରୀବିହାର ସ୍ଥିତ ସ୍ୱଦେଶୀ ଜାଗରଣ ମଞ୍ଚ କାର୍ଯ୍ୟାଳୟରେ ସ୍ୱଦେଶୀ ମେଳାର ସୂଚନା ପତ୍ରିକା (ବ୍ରୋଚର)କୁ ଉନ୍ମୋଚନ କରି ଏ କଥା କହିଛନ୍ତି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ।

ସ୍ୱଦେଶୀ ଜାଗରଣ ମଞ୍ଚ ଭୁବନେଶ୍ୱର ମହାନଗର ପକ୍ଷରୁ ଆସନ୍ତା ଅକ୍ଟୋବର ୬ରୁ ଆରମ୍ଭ ହେଉଥିବା ସ୍ୱଦେଶୀ ମେଳାର ଆୟୋଜନ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଦର୍ଶାଇ ଶ୍ରୀ ପଟ୍ଟନାୟକ କହିଲେ ଯେ ବର୍ତ୍ତମାନ ଚାଇନା ଜାତ ସାମଗ୍ରୀ ଆମ ବଜାରକୁ କବଜା କରିବାକୁ ବସିଛି । ତେଣୁ ଆମର ଦେଶୀୟ ଉତ୍ପାଦ ଗୁଡିକର ପ୍ରଚାର ପ୍ରସାର ନିମନ୍ତେ ଏହିପରି ସ୍ୱଦେଶୀ ମେଳାର ଆୟୋଜନ ଆବଶ୍ୟକତା ରହିଛି । ସମସ୍ତ ଦେଶୀୟ ଉତ୍ପାଦକଙ୍କୁ ନିଜର ଉତ୍ପାଦର ପ୍ରଦର୍ଶନ ନିମନ୍ତେ ରାଜଧାନୀରେ ଏପରି ଏକ ସୁଯୋଗ ଦେଉଥିବାରୁ ସ୍ୱଦେଶୀ ଜାଗରଣ ମଞ୍ଚର କାର୍ଯ୍ୟକର୍ତ୍ତାଙ୍କୁ ଶ୍ରୀ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିଲେ । ଏହାସହିତ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଏହି ମେଳାର ଆୟୋଜନ କରିବା, ସ୍ୱଦେଶୀ ଉତ୍ପାଦଗୁଡ଼ିକୁ ବଜାର ଅନୁକୁଳ କରିବା ନେଇ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଉଲ୍ଲେଖଯୋଗ୍ୟଯେ ଶ୍ରୀ ପଟ୍ଟନାୟକଙ୍କୁ ଏହି ମେଳାର ମୁଖ୍ୟ ଉପଦେଷ୍ଟା ଭାବରେ ମନୋନୀତ କରାଯାଇଛି ।

ସୂଚନାଯୋଗ୍ୟ, ଏହି ସ୍ୱଦେଶୀ ମେଳା ଅକ୍ଟୋବର ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ବ୍ୟାପୀ ସ୍ଥାନୀୟ ରସୁଲଗଡ଼ ଦୁର୍ଗା ପଡ଼ିଆରେ ଚାଲିବ । ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଭାରତୀୟ କମ୍ପାନିଗୁଡ଼ିକ ଦ୍ୱାରା ଉତ୍ପାଦିତ ହେଉଥିବା ସାମଗ୍ରୀ ସମେତ ହସ୍ତଶିଳ୍ପ, ହସ୍ତତନ୍ତ ସମେତ ୨୦୦ ଊର୍ଦ୍ଧ୍ୱ ଷ୍ଟଲ୍‌ ଏହି ମେଳାରେ ରହିବ । ଆଜିର ଏହି କାର୍ୟ୍ୟକ୍ରମରେ ମେଳାର ଅନ୍ୟତମ ଉପଦେଷ୍ଟା ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ଯୋଗ ଦେଇଥିଲେ । ଏହି ମେଳାର ପରିଚାଳନା ନିମନ୍ତେ ଗଠିତ ସମିତିର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ରାଉତରାୟ, ମୁଖ୍ୟ ସଂଯୋଜକ ଅଭୟ ସାମନ୍ତରାୟ, ସହସଂଯୋଜକ ପ୍ରଶାନ୍ତ ରାଉତ, ପ୍ରଭାସ ମିଶ୍ର, ବିଜୟ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚର ରାଜ୍ୟ ସଂଯୋଜକ ନିର୍ମଳ ଷଡ଼ଙ୍ଗୀ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ ।