ଆଇପିଏଲ ଉପରେ ସଙ୍କଟର କଳାବାଦଲ! ଭାରତୀୟ ଖେଳାଳୀଙ୍କ ଉପରେ ବିସିସିଆଇର ନଜର ।

359

କନକ ବ୍ୟୁରୋ : ଆଇପିଏଲ ଉପରେ ଘୂରି ବୁଲୁଛି ସଙ୍କଟର କଳାବାଦଲ । ଇଂଲଣ୍ଡ-ଭାରତ ଶେଷ ଟେଷ୍ଟ ମ୍ୟାଚ୍ ରଦ୍ଦ ହେବା ପରେ ଏବେ ଆଇପିଏଲ ଉପରେ ସମସ୍ତଙ୍କର ନଜର ରହିଛି । କିନ୍ତୁ ଏବେ ଆଇପିଏଲ ଉପରେ ମଧ୍ୟ କରୋନାର କାଳ ନଜର ପଡିଛି । ଖାସକରି ଯେତେବେଳେ ଟିମ୍ ଇଣ୍ଡିଆର କ୍ୟାମ୍ପରେ କରୋନା ଏଣ୍ଟ୍ରି ମାରିଛି । ଟିମ୍ ଇଣ୍ଡିଆର ସହଯୋଗୀ ଫିଜିଓ ଯୋଗେଶ ପରମାର କରୋନାରେ ସଂକ୍ରମିତ ହେବା ପରେ ଶେଷ ଟେଷ୍ଟ ମ୍ୟାଚ୍ ରଦ୍ଦ ହୋଇଛି । ତେବେ ଏହା ଭାରତୀୟ ଖେଳାଳୀଙ୍କ ପାଇଁ ଚିନ୍ତା ବଢାଇ ଦେଇଛି । କାରଣ ଯୋଗେଶଙ୍କ ସଂସ୍ପର୍ଶରେ ମଧ୍ୟ କିଛି ଭାରତୀୟ ଖେଳାଳୀ ଆସିଛନ୍ତି ଯେଉଁମାନେ ଆଇପିଏଲ ଖେଳିବେ ।

ଚତୁର୍ଥ ଟେଷ୍ଟ ପରେ ସହକାରୀ ଫିଜିଓଙ୍କ ସଂସ୍ପର୍ଶରେ ଆସିଥିଲେ ଭାରତୀୟ ଖେଳାଳୀ । ଯେଉଁମାନଙ୍କ ମଧ୍ୟରେ ରୋହିତ ଶର୍ମା, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଚେତେଶ୍ୱର ପୂଜାରା, ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସିରାଜ ରହିଛନ୍ତି । ଯେଉଁମାନଙ୍କୁ ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସହକାରୀ ଫିଜିଓ ସଂକ୍ରମିତ ହେବା ପରେ ହୋଇଥିବା କରୋନା ଟେଷ୍ଟରେ ଏହି ଖେଳାଳୀଙ୍କର ରିପୋର୍ଟ ନେଗେଟିଭ ଆସିଛି ସତ କିନ୍ତୁ କରୋନାର ଲକ୍ଷଣ ପ୍ରାୟତଃ ୨ ରୁ ୩ ଦିନ ପରେ ଦେଖିବାକୁ ମିଳେ । ତେଣୁ ଏହି ଖେଳାଳୀଙ୍କ ଉପରେ ଫ୍ରାଞ୍ଚାଇଜ ଗୁଡିକ ନଜର ରଖିଛନ୍ତି । କାରଣ ଏମାନଙ୍କ ମଧ୍ୟରୁ କାହାକୁ କରୋନା ହେଲେ କିମ୍ବା ଏମାନେ କାହାକୁ ସଂକ୍ରମିତ କଲେ ତେବେ ଆଇପିଏଲକୁ ନେଇ ପୁଣି ଘୁଞ୍ଚାଇବାକୁ ପଡିପାରେ । ଆଉ ଏଭଳି ସ୍ଥିତି ପୁଣିଥରେ ଯେପରି ନଉପୁଜୁ ସେଥିପାଇଁ ଫ୍ରାଞ୍ଚାଇଜ ମାନେ ମଧ୍ୟ ବେଶ ସତର୍କ ହୋଇ ଉଠିଛନ୍ତି ।

ଇଂଲଣ୍ଡରୁ ଆସୁଥିବା ଖେଳାଳୀଙ୍କୁ ୬ ଦିନିଆ କ୍ୱାରେଣ୍ଟିନରେ ରହିବାକୁ କୁହାଯାଇଛି । ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳୀ ଦୁବାଇରେ ପହଞ୍ଚି ସାରିଥିବା ବେଳେ କ୍ୱାରେଣ୍ଟିନରେ ରହିଛନ୍ତି । ଅନ୍ୟପଟେ ଆସନ୍ତାକାଲି ଆରସିବି ଟିମ୍ ଚାଟାର୍ଡ ଫ୍ଲାଇଟ ପଠାଇ ବିରାଟ କୋହଲି ଓ ମହମ୍ମଦ ସିରାଜଙ୍କୁ ଦୁବାଇ ଆଣିବ । ସେହିଭଳି ଚେନ୍ନାଇ ଓ ପଞ୍ଜାବ ସେମାନଙ୍କ ଖେଳାଳୀଙ୍କୁ କମର୍ସିଆଲ ଫ୍ଲାଇଟ ପଠାଇ ଦୁବାଇ ଆଣିବ ।