ସନ୍ଦେହ ବଢ଼ୁଛି, ରହସ୍ୟ ବଢ଼ୁଛି । ପୋଲିସ କହିଲା, ସତ ମାନିଲା ସାଇକୋ କିଲର, କିନ୍ତୁ ତଥ୍ୟକୁ ନେଇ ଘନିଭୂତ ହେଉଛି ସନ୍ଦେହର ବାଦଲ ।

562

କନକ ବ୍ୟୁରୋ : ସତ ମାନିଲା ସାଇକୋ କିଲର୍ । କଟକର ତିନି-ତିନି ହତ୍ୟାକାଣ୍ଡ ଘଟଣାରୁ ୨ଟି ହତ୍ୟା ଘଟଣାରେ ନାରାୟଣ ସାହୁ ସଂପୃକ୍ତ ଥିବା ସ୍ୱୀକାର କରିଛି । ଓଏମପି ଛକର ୨ଟି ମର୍ଡର ଘଟଣାରେ ନାରାୟଣ ସଂପୃକ୍ତ ଥିବା ଡିସିପି ସ୍ପଷ୍ଟ କରିଥିବା ବେଳେ ରାଣୀହାଟ ମର୍ଡର ଘଟଣାରେ ଅଧିକ ପଚରାଉଚୁରା କରୁଛି । ଆଜି ଅଭିଯୁକ୍ତକୁ ନେଇ ରେକି କରିବା ବେଳେ ହତ୍ୟା ବେଳେ ବ୍ୟବହାର ହୋଇଥିବା ଗୋଟିଏ କୁରାଢ଼ି ଏବଂ ୨ଟି ଗାମୁଛାକୁ ଜବତ କରିଛି ପୁଲିସ୍ ।

ସାମ୍ବାଦିକ ସମ୍ମିଳନୀରେ ଡିସିପି କହିଛନ୍ତି, ଯେଉଁ ଦୁଇ ଜଣଙ୍କୁ ହତ୍ୟା କରାଯାଇଛି, ସେମାନେ ନାରାୟଣଙ୍କୁ ସେ ରହୁଥିବା ଘରୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ । ଯେଉଁଥି ପାଇଁ ତାଙ୍କୁ ନାରାୟଣ ହତ୍ୟା କରିଛି । ତେବେ ଘଟଣାର ଗୁରୁତ୍ୱକୁ ଦେଖି ଆବଶ୍ୟକ ସ୍ଥଳେ ଡିଏନଏ ଏବଂ ପଲିଗ୍ରାଫି ଟେଷ୍ଟ ମଧ୍ୟ କରାଯିବ ବୋଲି କଟକ ଡିସିପି କହିଛନ୍ତି । ଆଉ ଏସବୁ ଭିତରେ କଟକ ହତ୍ୟାକାଣ୍ଡ ଘଟଣାରେ ସନ୍ଦିଗ୍ଧ ନାରାୟଣ ସାହୁକୁ ଆଜି କୋର୍ଟ ଚାଲାଣ କରିଛି ପୁଲିସ୍ । ଏହି ତମାମ୍ ସୂଚନା ଭିତରେ ବି, ସାଇକୋ କିଲରକୁ ନେଇ ଉଠୁଥିବା ସନ୍ଦେହ ଦୂର ହୋଇପାରିନି ।
ସାଇକୋ କିଲର୍ ଧରା ପଡ଼ିବା, ପଚରାଉଚୁରା ପରେ ସତ ମାନିବା ଏବଂ ସମସ୍ତ ଘଟଣା ନେଇ ଡିିସିପି ସାମ୍ବାଦିକ ସମ୍ମଳନୀରେ ସୂଚନା ଦେବା, ଏହି ତମାମ୍ ପ୍ରକ୍ରିୟା ଭିତରେ ଏଇୟା ଲାଗୁଛି ଯେ, ତଦନ୍ତର ଦିଗ ଠିକ୍ ବାଟରେ ଯାଉଛି । କିନ୍ତୁ ଏହାରି ଭିତରେ କିଛି ତଥ୍ୟକୁ ନେଇ ସନ୍ଦେହର ବାଦଲ ଘନିଭୂତ ହେବାରେ ଲାଗିଛି ।

ସନ୍ଦେହ ନମ୍ବର-୧ :
ହତ୍ୟାକାଣ୍ଡ ଘଟିବା ପରେ ଫରେନସିକ୍ ମେଡିସିନ୍ ବିଭାଗର ଅନୁଧ୍ୟାନ ପରେ ହତ୍ୟାକାରୀକୁ ସାଇକୋ ବୋଲି ଆଶଙ୍କା କରୁଥିଲା ପୁଲିସ । କିନ୍ତୁ ସାମ୍ବାଦିକ ସମ୍ମିଳନୀରେ ଆଜି ଡିପିସି କହୁଛନ୍ତି ନାରାୟଣ ସାହକୁ ଘରୁ ବାହାର କରିବା ଯୋଗୁଁ ସେ ଦୁଇଟି ହତ୍ୟାକାଣ୍ଡ ଘଟାଇଛି ।

ସନ୍ଦେହ ନମ୍ବର-୨ :
ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଅସ୍ତ୍ର । ପୂର୍ବରୁ ଏକ ଧାରୁଆ ଅସ୍ତ୍ରରେ ଗଳାକାଟି ନାରାୟଣ ବା ସାଇକୋ କିଲର ୩ଜଣଙ୍କୁ ହତ୍ୟା କରିଥିବା ସୂଚନା ଦେଇଥିଲା ପୋଲିସ । କିନ୍ତୁ ଆଜି ଗୋଟିଏ କୁରାଢ଼ି ଜବତ କରିଛି । ଯଦିଓ କୁରାଢ଼ିକୁ ଧାରୁଆ ଅସ୍ତ୍ର ବୋଲି ଗ୍ରହଣ କରାଯାଏ, ତେବେ କୁରାଢ଼ିରେ ଗଳାକାଟି ହତ୍ୟା କରିବା ଘଟଣା ଆହୁରି ସନ୍ଦେହ ସୃଷ୍ଟି କରୁଛି ।

ସନ୍ଦେହ ନମ୍ବର-୩ :
ହତ୍ୟାପରର ଆଶଙ୍କା ଅନୁସାରେ ଅଭିଯୁକ୍ତ ଜଣକ ସାଇକୋ । ଅର୍ଥାତ୍ ତା’ର ମାନସିକ୍ ଅବସ୍ଥା ଠିକ୍ ନୁହେଁ । ତେବେ ଏଭଳି ଜଣେ ଅଭିଯୁକ୍ତକୁ କେମିତି ଡାକ୍ତରୀ ପରୀକ୍ଷା କରିବାର ଆବଶ୍ୟକତା ଅନୁଭବ କଲାନି ପୁଲିସ । କାରଣ ସଂପୃକ୍ତ ବ୍ୟକ୍ତି କହିପାରିବ ନା ନାହିଁ, ଜେରାକୁ ସମ୍ମୁଖୀନ ହୋଇପାରିବ ନା ନାହିଁ । ଏଦିଗରେ ବିଚାର କରିବା ପୂର୍ବରୁ କେମିତି ଘନଘନ ଜେରା କରାଗଲା ।

ସନ୍ଦେହ ନମ୍ବର-୪ :
ଅଭିଯୁକ୍ତ ନାରାୟଣ ସାହୁକୁ ଧରିବାର ତିନି ଦିନ ଯାଏଁ କାହିଁକି ଅପେକ୍ଷା କରିବାକୁ ପଡ଼ିଲା । ଆଉ ଆଜି କ୍ୟାମେରା ଆଗରେ ଘଟଣାସ୍ଥଳକୁ ଯାଇ କ୍ୟାମେରା ସାମ୍ନାରେ କୁରାଢ଼ି ଏବଂ ଗାମୁଛା ଜବତ କରିବା ବି ଘଟଣାକୁ ନେଇ ସନ୍ଦେହ ବଢ଼ାଉଛି ।

ସନ୍ଦେହ ନମ୍ବର-୫ :
ଅଭିଯୁକ୍ତ ନାରାୟଣଙ୍କ ଗାଁ ଲୋକ ତଥା ତାଙ୍କ ପରିବାର ଲୋକଙ୍କ ଯୁକ୍ତି ହେଉଛି, ନାରାୟଣ ମାଛିକୁ ମ’ କହିବା ବ୍ୟକ୍ତି ନୁହଁନ୍ତି । ଯଦି ଗାଁ ଲୋକଙ୍କ କଥାକୁ ବିଶ୍ୱାସକୁ ନିଆଯାଏ, ତେବେ ଏଭଳି ଜଣେ ବ୍ୟକ୍ତି ହଠାତ୍ କେମିତି ହତ୍ୟାକାଣ୍ଡ ଘଟାଇବ ।

ହତ୍ୟାକାରୀ କିଏ ଓ କାହିଁକି ହତ୍ୟା କଲା ଏହାର ଉତ୍ତର ପୁଲିସ୍ ହିଁ ଦେଇ ପାରିବ । କାରଣ ପୁଲିସ୍ ତଦନ୍ତ କରିବା ସହ ଘଟଣାକୁ ଅତି ନିକଟରୁ ଦେଖିଛି । କିନ୍ତୁ ଡିସିପି ଏବଂ ପୁଲିସ୍ କମିଶନରଙ୍କ ବୟାନରେ ତଫାତ୍ ଏବଂ ସାଧାରଣରେ ଆସୁଥିବା ସନ୍ଦେହ ଘଟଣାର ଗୁରୁତ୍ୱକୁ ବଢ଼ାଇ ଦେଇଛି ।