ଚୀନରେ ଆରଆଇସି ବୈଠକରେ ଉଠିଲା ପୁଲୱାମା-ପିଓକେ ପ୍ରସଙ୍ଗ  ! ବୈଦେଶିକ ମନ୍ତ୍ରୀ କହିଲେ, ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛୁ

200

କନକ ବ୍ୟୁରୋ : ଚୀନରେ ଆରମ୍ଭ ହୋଇଥିବା ଆରଆଇସି ବୈଠକରେ ଯୋଗଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ । ଏହି ତ୍ରୀପାକ୍ଷିକ ବୈଠକରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି ସୁଷମା । ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ଲି ଓ ଋଷିଆ ବିଦେଶ ମନ୍ତ୍ରୀଙ୍କୁ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ସର୍ମ୍ପକରେ ଅବଗତ କରିଛନ୍ତି । ଏହାସହ ଭାରତ ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇଛି ବୋଲି ସୁଷମା କହିଛନ୍ତି ।

ଭାରତର ଏୟାର ଷ୍ଟ୍ରାଇକ ପ୍ରସଙ୍ଗ ଉଠାଇ ସୁଷମା କହିଛନ୍ତି ଯେ, ତାଙ୍କର ଗସ୍ତ ଏପରି ସମୟରେ ଅଛି ଯେଉଁ ସମୟରେ ଭାରତରେ ଦୁଃଖ ଓ କ୍ରୋଧ ଭରିରହିଛି । କିଛି ଦିନ ପୂର୍ବରୁ ଜାମ୍ମୁକାଶ୍ମୀରରେ ବଡ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏବଂ ପାକିସ୍ତାନ ଦ୍ୱାରା ପରିଚାଳିତ ଆତଙ୍କୀ ସଂଗଠନ ଜୈଶ ଏ ମହମ୍ମଦ ଦ୍ୱାରା ଏହି ଆକ୍ରମଣ କରାଯାଇଥିଲା । ଏବଂ ଭାରତ ଏହାର ଜବାବ ଦେଇଛି ବୋଲି ବୈଦେଶିକ ବ୍ୟାପରମନ୍ତ୍ରୀ କହିଛନ୍ତି ।

ଜୈଶ ଏ ମହମ୍ମଦ ବିରୋଧରେ ପାକିସ୍ତାନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଭାରତ ଏପରି ପଦକ୍ଷେପ ନେଇଥିବା ଚୀନ୍ ଓ ଋଷିଆକୁ ଅବଗତ କରାଇଛନ୍ତି ସୁଷମା ସ୍ୱରାଜ । ଏହାସହ ଏୟାର ଷ୍ଟ୍ରାଇକ ସର୍ମ୍ପକରେ ସୂଚନା ଦେଇ ସୁଷମା କହିଛନ୍ତି ଯେ, ଗୁଇନ୍ଦା ସୂଚନା ଆଧାରରେ ଜୈଶ ଏ ମହମ୍ମଦ ଆତଙ୍କୀ ସଂଗଠନର ଠିକଣା ଉପରେ ଆକ୍ରମଣ କରାଯାଇଛି । ଏଥିରେ ଅନେକ ଆତଙ୍କବାଦୀ ନିହତ ହୋଇଥିବା ସୁଷମା ସ୍ୱରାଜ କହିଛନ୍ତି ।