ଆଜି ରାଜଧାନୀ ଆକାଶରେ କମାଲ ଦେଖାଇବ ଭାରତୀୟ ବାୟୁସେନା : କୁଆଖାଇ ନଦୀ ପଠାରେ ପଦର୍ଶନ ହେବ ସୂର୍ଯ୍ୟକିରଣ ଏୟାର ସୋ’

98

କନକ ବ୍ୟୁରୋ : ଆକାଶରେ ଆଜି ବାୟୁସେନା ପକ୍ଷରୁ ପଦର୍ଶନ କରାଯିବ ଏୟାର ସୋ’ । ଆୟୋଜିତ ହେବାକୁ ଥିବା ସୂର୍ଯ୍ୟକିରଣ ଏୟାର ସୋ ପାଇଁ ଗତାକାଲି ରିହର୍ସଲ ଶେଷ ହୋଇଛି । ଗୁରୁବାର ଦିନ ଭୁବନେଶ୍ବରସ୍ଥିତ ବାଲିଯାତ୍ରା ପଡ଼ିଆଠାରେ ଏହାର ରିହର୍ସାଲ ଅନୁଷ୍ଠିତ ହୋଇଥିଲା । ଗତକାଲି ବାୟୁସେନାର ୨ଟି ବିମାନ ରିହର୍ସାଲ କରିଥିବା ବେଳେ ଗୁରୁବାର ଦିନ ଅଭ୍ୟାସରେ ୯ଟି ବିମାନ ସାମିଲ ହୋଇଥିଲେ ।

ଆଜି ୧୮ରୁ ୨୦ ମିନିଟ୍‌ ଧରି ଚାଲିବାକୁ ଥିବା ଏହି ଏୟାର ସୋ’ରେ ୧୧ଟି ହକ୍ ବିମାନ ସାମିଲ ହେବେ । ବିମାନଗୁଡ଼ିକ ୫ଶହରୁ ୧ହଜାର ଫୁଟ୍ ଉଚ୍ଚରେ ନିଜର କଳାକୌଶଳ ପ୍ରଦର୍ଶନ କରିବେ ବୋଲି ଜଣାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୨ଟି ଲେଖାଏଁ ବିମାନ ଘଣ୍ଟା ପ୍ରତି ୧୬୦୦ କିଲୋମିଟର ବେଗରେ ୨୦୦ରୁ ୩୦୦ ଫୁଟ୍ ଉଚ୍ଚରେ କୌଶଳ ଦେଖାଇବେ ।

ଗୁରୁବାରର ଏହି ଅଭ୍ୟାସ କାର୍ଯ୍ୟକ୍ରମରେ ଲିଟ୍ୟୁନାଣ୍ଟ ମିହିର ରଞ୍ଜନ ଏହି ହକ୍‌ ବିମାନ ଓ ସୋ’ର କୌଶଳ ସଂପର୍କରେ ସୂଚନା ଦେଇଥିଲେ। ଓଡ଼ିଶାର ପ୍ରତିଟି ଯୁବପିଢ଼ିକୁ ବାୟୁସେନା ପ୍ରତି ଉତ୍ସାହିତ କରିବା ଏହି ସୋ’ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ । ସୁରକ୍ଷା ଦୃଷ୍ଟିରୁ ଏହି ସୋ’କୁ ନଦୀପଠାରେ କରାଯାଇଛି । ସୋ’ରେ ସୁଇସାଇଡାଲ୍ କ୍ରସ୍, ଭର୍ଟିକାଲ୍ ଚାର୍ଲି, ଆରୋହାଇଡ୍ ଫର୍ମିସନ୍, ବମ୍ବ୍ରଷ୍ଟ, ଇନୋଭେଟେଡ୍ ଫ୍ଲାଇଙ୍ଗ୍ ପ୍ରମୁଖ ସୋ’ ପ୍ରଦର୍ଶିତ ହେବ ।

ଅପରପକ୍ଷେ, ଏହି ଏୟାର୍‌ ସୋ’ ପାଇଁ ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଯୋଗଦେବାର ଥିବାରୁ ଆଇନ ଶୃଙ୍ଖଳା ଓ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୪୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ ବୋଲି ଡିସିପି ପ୍ରତୀକ ସିଂଙ୍କ ସୂଚନା ଦେଇଛନ୍ତି । ଏହାବ୍ୟତୀତ ଓଡ୍ରାଫ୍ ଟିମ୍‌କୁ ମଧ୍ୟ ସଜାଗ ରଖାଯିବ ବୋଲି ସେ କହିଛନ୍ତି ।