କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ବିସ୍ଫୋରକ ଇନିଂସ ଖେଳି ଭାରତକୁ ସିରିଜ ବିଜୟ ଭେଟି ଦେଇଛନ୍ତି ସୂର୍ଯ୍ୟକୁମାର ଯାଦବ । ହାଇଦ୍ରାବାଦରେ ଖେଳାଯାଇଥିବା ଶେଷ ମ୍ୟାଚରେ ସୂର୍ଯ୍ୟଙ୍କ ତେଜରେ କଙ୍ଗାରୁ ଟିମ ଚିତପଟାଙ୍ଗ ମାରିଛି । ପଡିଆର ବିଭିନ୍ନ ଦିଗକୁ ଚିତାକର୍ଷକ ସଟ୍ ଖେଳି ମ୍ୟାଚର ରୋମାଞ୍ଚ ବଢାଇଥିଲେ ସୂର୍ଯ୍ୟ । ରାତିରେ ବି ଚମକିଥିଲେ ସୂର୍ଯ୍ୟ । ମାତ୍ର ୩୬ ବଲରୁ ବିସ୍ଫୋରକ ୬୯ ରନ୍ କରିଥିଲେ ସୂର୍ଯକୁମାର, ଯେଉଁଥିରେ ୫ଟି ଛକା ଓ ୫ଟି ଚୌକା ସାମିଲ ଥିଲା । ତେବେ ସୂର୍ଯ୍ୟକୁମାରଙ୍କ ପାଇଁ ଏହି ବିସ୍ଫୋରକ ଇନିଂସ ଖେଳିବା ଏତେ ସହଜ ନଥିଲା । କାରଣ ମ୍ୟାଚ୍ ପୂର୍ବରୁ ପ୍ରବଳ ଜ୍ୱରରେ କମ୍ପୁଥିଲେ ସୂର୍ଯ୍ୟକୁମାର । କିନ୍ତୁ ଏହାପରେ ମଧ୍ୟ ମୈଦାନକୁ ଓହ୍ଲାଇଥିଲେ ସୂର୍ଯ୍ୟ ଓ ପଡିଆରେ ଦେଖାଇଥିଲେ ପରାକ୍ରମ ।

Advertisment

ମ୍ୟାଚ୍ ପରେ ବିସିସିଆଇ ନିଜର ଟ୍ୱିଟର ପେଜରେ ଏକ ଇଣ୍ଟରଭ୍ୟୁ ସେୟାର କରିଛି । ଯେଉଁଥିରେ ସୂର୍ଯ୍ୟକୁମାରଙ୍କ ସହ ବାର୍ତ୍ତାଳାପ କରୁଥିଲେ ଅକ୍ଷର ପଟେଲ । ଆଉ ଏହି ସମୟରେ ସୂର୍ଯ୍ୟକୁମାର କହିଥିଲେ କିଭଳି ମ୍ୟାଚ୍ ପୂର୍ବରୁ ତାଙ୍କର ଦେହ ଖରାପ ଥିଲା, ଆଉ ମନୋବଳ ଦୃଢ କରି ସେ ମୈଦାନକୁ ଓହ୍ଲାଇଥିଲେ । ଇଣ୍ଟରଭ୍ୟୁ ସମୟରେ ଅକ୍ଷର କହିଥିଲେ, ନିର୍ଣ୍ଣାୟକ ମ୍ୟାଚର ସକାଳେ ଫିଜିଓ ଭାରି ବ୍ୟସ୍ତ ଥିଲେ । ଆଉ ସମସ୍ତେ ସୂର୍ଯ୍ୟକୁମାରଙ୍କ ବାବଦରେ କଥା ହେଉଥିଲେ । ତେବେ ପୂରା ଘଟଣା ଉପରୁ ପରଦା ହଟାଇଥିଲେ ସୂର୍ଯ୍ୟକୁମାର । ଇଣ୍ଟରଭ୍ୟୁରେ ସୂର୍ଯ୍ୟକୁମାର କହିଥିଲେ, ଯେହେତୁ ପାଣିପାଗ ବଦଳୁଥିଲା ଓ ଆମେ ଲଗାତାର ଗୋଟିଏ ସହରରୁ ଅନ୍ୟ ସହରକୁ ଯାତ୍ରା କରୁଥିଲୁ । ତେଣୁ ଦେହ ମ୍ୟାଚ ଦିନ ସକାଳୁ ଦେହ ଅସୁସ୍ଥ ହୋଇଥିଲା । ପେଟରେ ଯନ୍ତ୍ରଣା ହେବା ସହ ଜ୍ୱର ଆସିଥିଲା । କିନ୍ତୁ ଏହା ନିର୍ଣ୍ଣାୟକ ମ୍ୟାଚ ଥିବାରୁ ଡାକ୍ତରଙ୍କ ସହ ଆଲୋଚନା ବେଳେ ସୂର୍ଯ୍ୟକୁମାର କହିଥିଲେ, ଯଦି ଏହା ବିଶ୍ୱକପର ଫାଇନାଲ ମୁକାବିଲା ହୋଇଥାନ୍ତା ତେବେ କଣ ଚୁପ୍ ବସିଥାନ୍ତି । ଯେହେତୁ ଏହା ନିର୍ଣ୍ଣାୟକ ମ୍ୟାଚ୍ ତେଣୁ ଖେଳିବାକୁ ନିଷ୍ପତ୍ତି ନେଇଥିଲି । ଆଉ ଏଥିପାଇଁ ଡାକ୍ତରଙ୍କୁ କହିଥିଲି, ମୋତେ ଯାହା ବି ଔଷଧ ଦିଅନ୍ତୁ କି ଇଞ୍ଜେକସନ ଦିଅନ୍ତୁ କିନ୍ତୁ ସନ୍ଧ୍ୟା ସୁଦ୍ଧା ଫିଟ୍ କରି ଦିଅନ୍ତୁ । ଆଉ ଯେତେବେଳେ ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ମୈଦାନରେ ଏଣ୍ଟ୍ରି କଲି ତାହାପରେ ସବୁକିଛି ମୋ ପାଇଁ ସାମାନ୍ୟ ହୋଇଗଲା । ଜ୍ୱରରେ ପୀଡିତ ଥାଇ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ମୈଦାନକୁ ଓହ୍ଲାଇ ନିଜ କ୍ରୀଡାପ୍ରେମ ସହ ଦେଶପ୍ରେମ ଦେଖାଇଛନ୍ତି ସୂର୍ଯ୍ୟକୁମାର । କେବଳ ଏତିକି ନୁହେଁ କୋହଲିଙ୍କ ସହ ମିଶି ଭାରତକୁ ବିଶ୍ୱକପ ପୂର୍ବରୁ ଭେଟି ଦେଇଛନ୍ତି ବଡ ବିଜୟ ।

ଗତ ବର୍ଷେ ହେବ ଟି-୨୦ ଫର୍ମାଟରେ ବଡ ଚେହେରା ଭାବେ ଉଭା ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ । ଅନେକ ମ୍ୟାଚରେ ଭାରତ ପାଇଁ ଟ୍ରମ୍ପକାର୍ଡ ସାଜିଛନ୍ତି ସୂର୍ଯ୍ୟ । ଯେଉଁଥିପାଇଁ ଆଗାମୀ ଟି-୨୦ ବିଶ୍ୱକପରେ ସୂର୍ଯ୍ୟଙ୍କୁ ଭାରତୀୟ ଟିମରେ ମିଳିଛି ସୁଯୋଗ । ଏଯାବତ ସୂର୍ଯ୍ୟ ୩୧ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିବା ସହ ୯୨୬ ରନ୍ କରିଛନ୍ତି । ଯେଉଁଥିରେ ୭ ଅର୍ଦ୍ଧଶତକ ଓ ଗୋଟିଏ ଶତକ ସାମିଲ ରହିଛି । ଆସନ୍ତା ୧୬ ଅକ୍ଟୋବରରୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳାଯିବ । ତେବେ ସୁପର-୧୨ ପର୍ଯ୍ୟାୟ ମ୍ୟାଚ୍ ୨୨ ଅକ୍ଟୋବରରୁ ଆରମ୍ଭ ହେବ । ୨୩ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ ।