କନକ ବ୍ୟୁରୋ: ରାଜନୀତିକୁ ନେଇ ଏବେ ଫାଳ ଫାଳ ସୁର ରାଉତରାୟଙ୍କ ପରିବାର । ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସରୁ ନିର୍ବାଚନ ଲଢିବେ ନାହିଁ ବୋଲି ମନ୍ତବ୍ୟ ଦେବା ପରେ ଉତ୍କ୍ଷୀପ୍ତ ହୋଇ ଉଠିଛନ୍ତି ଜଟଣୀ ବିଧାୟକ । ଆଉ କହିଛନ୍ତି ମୁଁ ଯାହା କହିବି, ପୁଅ ସେଇଆ କରିବ । ୨୦୨୪ରେ ଜଟଣୀରୁ କଂଗ୍ରେସ ଟିକେଟ୍ ପାଇ ଲଢିବ ପୁଅ ମନ୍ମଥ ।

Advertisment

୨୦୨୪ ନିର୍ବାଚନ ପାଇଁ ରାଜନୈତିକ ଦଳ ଓ ନେତାମାନେ ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଘରେ ଆରମ୍ଭ ହୋଇଗଲାଣି ମହାଭାରତ । ବୁଧବାର ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ କହିଥିଲେ ଯେ, ସେ କଂଗ୍ରେସରୁ ଲଢିବେ ନାହିଁ । ବଡ଼ ବଡ଼ ରାଜନୈତିକ ଦଳ ସହ ସେ ଯୋଗାଯୋଗରେ ଅଛନ୍ତି । ଆଉ ଟିକେଟ୍ ମିଳିଲେ କୌଣସି ବଡ଼ ଦଳ ପାଇଁ ନିର୍ବାଚନ ଲଢିବେ । ଏହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ବାପା ସୁର ରାଉତରାୟ । କହିଛନ୍ତି, ମୁଁ ଯାହା କହିବି ପୁଅ ସେଇୟା କରିବ । ପୁଅ ମନ୍ମଥ ନିଶ୍ଚିତ ଜଟଣୀରୁ କଂଗ୍ରେସ ଟିକେଟ୍ରୁ ୨୦୨୪ ନିର୍ବାଚନ ଲଢିବ ।

ଚଳିତ ବର୍ଷ ଫେବ୍ରୁଆରୀ ମାସରେ ବିଧାୟକ ସୁର ରାଉତରାୟ ଘୋଷଣା କରିଥିଲେ ଯେ, ସେ ରାଜନୀତିରୁ ଅବସର ନେବେ । ଏହାସହ ସେ ଆହୁରି ମଧ୍ୟ ଘୋଷଣା କରିଥିଲେ ତାଙ୍କ ସାନ ପୁଅ ମନ୍ମଥ ଜଟଣୀରୁ କଂଗ୍ରେସ ଟିକେଟ୍ରେ ୨୦୨୪ ନିର୍ବାଚନ ଲଢିବେ । ହେଲ ଏବେ ଏହାକୁ ରୋକ ଠୋକ ମନା କରିଦେଇଛନ୍ତି ମନ୍ମଥ ରାଉତରାୟ । ଏପରିକି ବାପା ରାଜି ନହେଲେ ସେ ନିର୍ବାଚନରୁ ଦୂରେଇ ରହିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

ସୁର ରାଉତରାୟ ଓ ସାନ ପୁଅ ମନ୍ମଥଙ୍କ କଳି ଭିତରେ ଏବେ ଭାଇରାଲ ହେଉଛି ଆଉ ଏକ ପୁରୁଣା ଫଟୋ । ଯେତେବେଳେ ବଡ ପୁଅ ସିଦ୍ଧାର୍ଥଙ୍କୁ ସାଙ୍ଗରେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଯାଇଥିଲେ ଜଟଣୀ ବିଧାୟକ । ଚର୍ଚ୍ଚା ହେଉଛି ବଡ ପୁଅ ବିଜେଡିରେ ମିଶିବେ ଆଉ ସାନ ପୁଅ କଂଗ୍ରେସରୁ ଲଢିବେ । ଏଭଳି ଯୋଜନା ଥିଲା ସୁର ରାଉତରାୟଙ୍କର । ସିଦ୍ଧାର୍ଥ ମଧ୍ୟ ସୁଯୋଗ ମିଳିଲେ ବିଜେଡିରୁ ଲଢିବାକୁ ଆଗ୍ରହୀ ବୋଲି କହିଥିଲେ । ଏବେ ସାନ ପୁଅ କଂଗ୍ରେସରୁ ଲଢିବେ ନାହିଁ ବୋଲି କହିବା ପରେ ସୁରଙ୍କ ପାରିବାରି କିଭଳି ୩ ଫାଳ ହୋଇଯାଇଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।