ଆସନ୍ତାକାଲି ସୁପ୍ରିମକୋର୍ଟରେ ‘ସୁପ୍ରିମ’ ନିଷ୍ପତ୍ତି । ଅଯୋଧ୍ୟା ଜମି ବିବାଦ ମାମଲାର ହେବ ଶୁଣାଣି ।

117

କନକ ବ୍ୟୁରୋ : ଆସନ୍ତାକାଲି ସୁପ୍ରିମକୋର୍ଟରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ହେବ । ଏ ସଂପର୍କରେ ସୁପ୍ରିମକୋର୍ଟ ଓ୍ବେବସାଇଟରେ ଏକ ନୋଟିସ ଦିଆଯାଇଛି । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଥିବା ଏକ ପାଞ୍ଚ ଜଣିଆ ବେଞ୍ଚ ଏହାର ଶୁଣାଣି କରିବେ । ଗତ ଜାନୁୟାରୀରେ ଏହି ମାମଲାର ବିଚାର ଲାଗି ଉଦ୍ଦିଷ୍ଟ ସୁପ୍ରିମକୋର୍ଟ ଖଣ୍ଡପୀଠକୁ ପୁର୍ନଗଠନ କରିଥିଲେ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ୍ ଗୋଗୋଇ । ମୁଖ୍ୟ ବିଚାରପତି ଏହି ଖଣ୍ଡପୀଠରେ ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଅବ୍ଦୁଲ ନାଜିରଙ୍କୁ ସାମିଲ କରିଥିଲେ ।

୨୦୧୮ ଅକ୍ଟୋବରରେ ଶୁଣାଣି ହେବାକୁ ଥିବା ରାମ ଜନ୍ମଭୂମୀ-ବାବ୍ରୀ ମସଜିଦ୍ ମାମଲାର ଶୁଣାଣି ଘୁଞ୍ଚିଘୁଞ୍ଚି ଚାଲିଛି । ଗତ ଜାନୁଆରି ୪ ତାରିଖରେ ମୁଖ୍ୟ ବିଚାରପତି ଗୋଗୋଇ ଏହି ମାମଲାର ବିଚାର ଲାଗି ଏକ ଖଣ୍ଡପୀଠ ଗଠନ କରିଥିଲେ । କିନ୍ତୁ ସେହିମାସ ୧୦ ତାରିଖରେ ଜଷ୍ଟିସ୍ ୟୁ.ୟୁ ଲଲିତ ବିଚାରରୁ ଓହରି ଯିବାକୁ ଇଚ୍ଛାପ୍ରକାଶ କରିଥିଲେ । କାରଣ ୨୦ ବର୍ଷ ପୂର୍ବରୁ ସେ ଏହି ମାମଲାରେ ଗୋଟିଏ ପକ୍ଷର ଓକିଲ ଭାବେ କାର୍ଯ୍ୟ କରିଥିଲେ ।

ରାମ ଜନ୍ମଭୂମି ବାବ୍ରି ମସଜିଦ୍ ବିବାଦ ବିଗତ କିଛି ଦଶନ୍ଧୀ ଧରି ଲଟକି ରହିଛି । ୬, ଡିସେମ୍ବର ୧୯୯୨ରେ ଅଯୋଧ୍ୟାରେ ବାବ୍ରି ମସଜିଦ୍କୁ ଭାଙ୍ଗି ଦିଆଯାଇଥିଲା । ଏ ବାବଦରେ ଅପରାଧିକ ମାମଲା ସହିତ ଜମିଜମା ମକଦମା ମଧ୍ୟ ଚାଲିଛି । ମୂଳ ବିବାଦ ସହିତ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ।