ଶ୍ରୀମନ୍ଦିର ଚାରିପାଖରୁ ଉଚ୍ଛେଦ କାମ ଜାରି ରହିବ । ମାମଲାର ଶୁଣାଣି କରି ସବୁଜ ସଂକେତ ଦେଲେ ସୁପ୍ରିମକୋର୍ଟ ।

260

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ଖାରଜ ହୋଇଛି ଶ୍ରୀମନ୍ଦିର ମାମଲା । ଶ୍ରୀମନ୍ଦିର ଚାରିକଡ଼ରେ ଉଚ୍ଛେଦ କାମ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ୨ଟି ଆବେଦନ ହୋଇଥିଲା । ଦିଲ୍ଲୀ ଏବଂ ଚେନ୍ନାଇର ୨ଟି ସଂସ୍ଥା ଏହି ଆବେଦନ କରିଥିଲେ । ସୁପ୍ରିମକୋର୍ଟ ଏହି ମାମଲାକୁ ଖାରଜ କରିବା ସହ ଉଚ୍ଚେଦ କାମ ଜାରି ରହିବ ବୋଲି କହିଛନ୍ତି ।

ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ୭୫ ମିଟର ଯାଏଁ ଯେଉଁ ଉଚ୍ଛେଦ ଅଭିଯାନ ଚାଲିଛି, ତା’ ଉପରେ ରହିତାଦେଶ ଜାରି କରିବା ପାଇଁ ହୋଇଥିବା ୨ଟି ମାମଲାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସହ ପୁରୀର ଉଚ୍ଛେଦ ଅଭିଯାନ ନେଇ ଆଡଭୋକେଟ୍ ଜେନେରାଙ୍କ ବୟାନକୁ ଶୁଣିଲା ପରେ ୨ଟି ମାମଲାକୁ ଖାରଜ କରିଛନ୍ତି ।

ଶ୍ରୀମନ୍ଦିର ସଂସ୍କାର ପାଇଁ ନିଯୁକ୍ତ ଜଷ୍ଟିସ୍ ବି.ପି ଦାସ କମିଶନଙ୍କ ସୁପାରିଶ ଏବଂ ରାଜ୍ୟ କ୍ୟାବିନେଟର ସ୍ୱୀକୃତି କ୍ରମେ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା ସର୍ବୋଚ୍ଚ ନ୍ୟାୟାଳୟ ଜାଣିବା ପରେ ଦୁଇଟି ମାମଲାକୁ ଖାରଜ କରିଦେଇଛନ୍ତି । ତେବେ ଶ୍ରୀମନ୍ଦିର ଭିତର ଏବଂ ବାହାରରେ କେଉଁ ସବୁ ନୂଆ ବିକାଶ ଯୋଜନା ରହିଛି, ସେ ସଂପର୍କରେ ଏକ ବିସ୍ତୃତ ରିପୋର୍ଟ ଦେବାକୁ ଆମିକସ୍ କ୍ୟୁରୀ ଏବଂ ସୋଲିସିଟର୍ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ତେବେ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିର ସଂସ୍କାର ନେଇ ପୂର୍ବରୁ ଏକ ବିସ୍ତୁତ ରିପୋର୍ଟ କୋର୍ଟଙ୍କ ସାମ୍ନାରେ ରଖିଛନ୍ତି ଆମିକସ୍ କ୍ୟୁରୀ । ଆସନ୍ତା ୧୭ ତାରିଖରେ ହେବ ଏହାର ପରବର୍ତୀ ଶୁଣାଣୀ । ଗତ ଅଗଷ୍ଟ ୧୬ ତାରିଖରେ ପୁରୀ ଶ୍ରୀମନ୍ଦିର ଚାରିପାଶ୍ୱର୍ରେ ବେଆଇନ ନିର୍ମାଣ ସବୁକୁ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଶ୍ରୀମନ୍ଦିରର ସୁରକ୍ଷା ଏବଂ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୭୫ ମିଟର ଯାଏଁ, ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର ।