କେନ୍ଦ୍ର ଓ ଦିଲ୍ଲୀ ସରକାର ଉପରେ ପୁଣି ବର୍ଷିଲେ ସୁପ୍ରିମକୋର୍ଟ: କହିଲେ, ଏବେ ବି ସୁଧୁରିନି ବାୟୁ ପ୍ରଦୂଷଣ, କଣ କରୁଛନ୍ତି ପ୍ରଶାସନିକ ଅଧିକାରୀ?

95

କନକ ବ୍ୟୁରୋ: ପ୍ରଦୂଷଣ ମାମାଲାରେ ଶୁଣାଣି କରି ପୁଣିଥରେ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ବାୟୁ ପ୍ରଦୂଷଣର ସ୍ଥିତି ଏବେ ବି ସୁଧୁରିନଥିବାରୁ କ୍ଷୁବ୍ଧ ହୋଇଛନ୍ତି ସର୍ବୋଚ୍ଚ ନାୟାଳୟ । ସରକାରୀ କର୍ମଚାରୀ, ପ୍ରଶାସନିକ ଅଧିକାରୀ ସବୁ କଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ଏବେ ବି ଯଦି ସତର୍କ ନହୁଅ ତାହାଲେ ଆଗକୁ ପରିସ୍ଥିତି ଆହୁରି ବିଗିଡିପାରେ ବୋଲି ଚେତାଇ ଦେଇଛନ୍ତି ସୁପ୍ରିମକୋର୍ଟ ।

ଦିଲ୍ଲୀ ବାୟୁ ପ୍ରଦୂଷଣ ନେଇ ପୁଣି ବର୍ଷିଲେ ସୁପ୍ରିମକୋର୍ଟ । ମାମଲାର ଶୁଣାଣି କରି କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ପୁଣି ଭତ୍ସନା କଲେ ସର୍ବୋଚ୍ଚ ନାୟାଳୟ । ଦିଲ୍ଲୀରେ ବାୟୁ ମାନରେ ବିଶେଷ କିଛି ପରିବର୍ତନ ହୋଇନାହିଁ । ଆଗକୁ ପରିସ୍ଥିତି ଭୟଙ୍କର ହୋଇପାରେ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହାସହ ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ କଟକଣା ବଳବତର ରଖିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ସବୋର୍ଚ୍ଚ ନ୍ୟାୟାଳୟ । ଦିଲ୍ଲୀରେ ବାୟୁ ମାନରେ ସୁଧାର ଆସିଥିଲେ ସୁଦ୍ଧା ମାମଲାର ଶୁଣାଣି କୁ ବନ୍ଦ ହେବନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ପ୍ରତି ଦୁଇ ତିନି ଦିନରେ ଥରେ ମମଲାର ଶୁଣାଣି କରାଯିବ ବୋଲି କହିଛନ୍ତି ମୁଖ୍ୟ ବିଚାରପତି ଏନ.ଭି ରମଣା ।

ସେପଟେ ବାୟୁ ପ୍ରଦୂଷଣ ନେଇ ଖୁବଶୀଘ୍ର ଦିଲ୍ଲୀରୁ ହଟିବ କଟକଣା । ବୈଠକ ପରେ ଏଭଳି ନିଷ୍ପତି ନେଇଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ । ବର୍ତମାନ ଦିଲ୍ଲୀରେ ବାୟୁର ମାନ ରେ ସୁଧାର ଆସିଛି ବୋଲି କହିଛନ୍ତି ପରିବେଶ ମନ୍ତ୍ରୀ ଗୋପାଳ ରାୟ । ଫଳରେ ପ୍ରଦୂଷଣ କମ କରିବା ପାଇଁ ଯେଉଁ ସବୁ କଟକଣା କରାଯାଇଥିଲା ତାହାକୁ ହଟାଯିବ ।

– ୨୯ ତାରିଖରୁ ଦିଲ୍ଲୀରେ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ
– ଆସନ୍ତା ସୋମବାର ଠାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟ ଖୋଲିବ
– ଇ- ଭେଇକିଲ୍ ଛାଡିଦେଲେ ଦିଲ୍ଲୀ ଭିତରେ ଭାରିଯାନ ଓ ଟ୍ରକ ଚଳାଚଳ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ରହିବ ବନ୍ଦ

ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରୁଥିବାବେଳେ, କେନ୍ଦ୍ର ଓ ଦିଲ୍ଲୀ ସରକାର ପ୍ରଦୂଷଣ ନିୟନ୍ତ୍ରଣ ନେଇ ଆଗକୁ କିଭଳି ପଦକ୍ଷେପ ନେଉଛନ୍ତି ତାହା ସମୟ ସାପେକ୍ଷ ।