ଗୋରକ୍ଷା ନାଁରେ ହିଂସାକାରୀଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ କଡା ଟିପ୍ପଣୀ ! କହିଲେ, ହିଂସାକୁ କରାଯିବନି ବରଦାସ୍ତ

29

କନକ ବ୍ୟୁରୋ : ଗୋସୁରକ୍ଷା ନାଁରେ ହିଂସାକାରୀଙ୍କ ବିରୋଧରେ କଠୋର ହୋଇଛନ୍ତି ସୁପ୍ରିମକୋର୍ଟ । ହିଂସାକାରୀଙ୍କୁ କଡା ଟିପ୍ପଣୀ କରିଛନ୍ତି ସୁପ୍ରିମକୋର୍ଟ । କୌଣସି ପରିସ୍ଥିତିରେ ହିଂସାକୁ ବରଦାସ୍ତ କରାଯିବ ନାହିଁ ରୋକଠୋକ୍ ଶୁଣାଇ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଏଭଳି ହିଂସାକାଣ୍ଡର ନିୟନ୍ତ୍ରଣ ପାଇଁ ଆସନ୍ତା ୭ ଦିନ ମଧ୍ୟରେ ଦେଶର ସବୁ ରାଜ୍ୟରେ ଟାକ୍ସ ଫୋର୍ସ ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଟାକ୍ସଫୋର୍ସରେ ବରିଷ୍ଠ ପୁଲିସ ଅଧିକାରୀ, ନୋଡାଲ ଅଫିସର ଭାବେ କାର୍ଯ୍ୟ ତୁଲାଇବେ । ସେମାନେ ତଥାକଥିତ ଗୋରକ୍ଷକ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କୋର୍ଟ କହିଛନ୍ତି ।

କେବଳ ଏତିକି ନୁହେଁ ଦେଶରେ ଗୋ-ରକ୍ଷା ନାଁରେ ହିଂସା ସୃଷ୍ଟି କରୁଥିବା ବ୍ୟକ୍ତି ବା ସଂଗଠନ ଉପରେ ନଜର ରଖିବା ପାଇଁ ପ୍ରତି ଜିଲ୍ଲାରେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗୋ-ରକ୍ଷା  ନାଁରେ ଉପୁଜୁଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଠୋସ୍ ପଦକ୍ଷେପ ନେବା ଜରୁରୀ ବୋଲି କୋର୍ଟ କହିଛନ୍ତି । କେନ୍ଦ୍ର ସରକାରଙ୍କ ଆଇନଜିବୀ ଏଏସଜି ତୁଷାର ମେହତା କୋର୍ଟରେ କହିଛନ୍ତି କି କୌଣସି ପ୍ରକାର ହିଂସା ଘଟଣାକୁ ରୋକିବା ପାଇଁ ଆଇନ ଅଛି । ତାଙ୍କ ପ୍ରତି ଜବାବରେ ଚିପ୍ ଜଷ୍ଟିସ ଦିପକ ମିଶ୍ର କହିଛନ୍ତି କି ସମସ୍ତେ ଜାଣିଛନ୍ତି ଆଇନ କାନୁନ ଅଛି କିନ୍ତୁ ଏହାକୁ ସଠିକ ସମୟରେ କାର୍ଯ୍ୟକାରୀ କରାଯାଉ ହିଂସା ଘଟଣାକୁ ରୋକିବା ପାଇଁ ।