ଜଗନ୍ନାଥ ମନ୍ଦିରକୁ ପଶିପାରିବେ କି ଅଣହିନ୍ଦୁ ? ବିଚାର କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେଲେ ସୁପ୍ରିମକୋର୍ଟ

86

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ସଂସ୍କାର ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାପରେ ଆଜି ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି । ଜଗନ୍ନାଥ ମନ୍ଦିରକୁ ହିନ୍ଦୁ ଧର୍ମବିଶ୍ୱାସୀଙ୍କ ଛଡା ଅନ୍ୟମାନେ ଯାଇପାରିବେ କି ନା ସେନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇବାକୁ କହିଛନ୍ତି କୋର୍ଟ । ଏପରିକି କିଛି କଟକଣା ମଧ୍ୟରେ ଅନ୍ୟ ଧର୍ମବିଶ୍ୱାସୀଙ୍କୁ ମଧ୍ୟ ଜଗନ୍ନାଥ ମନ୍ଦିର ଭିତରକୁ ଛାଡିବା ନେଇ ବିଚାର କରିବାକୁ ପ୍ରସ୍ତାବ ଦେଇଛନ୍ତି । ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ବନ୍ଦ ହୋଇନାହିଁ ସେବାୟତଙ୍କ ଦୌରାତ୍ମ୍ୟ । ପୁରୀ ଜିଲ୍ଲା ଜଜ୍ କୋର୍ଟରେ ରିପୋର୍ଟ ଦାଖଲ କରିବା ପରେ ପୁଣି ପୂର୍ବ ନିର୍ଦ୍ଦେଶକୁ ଦୋହରାଇଛନ୍ତି ସୁପ୍ରିମକୋର୍ଟ । ଅର୍ଥାତ ଦାନ ଟଙ୍କା ପାଇଁ ଭକ୍ତଙ୍କୁ ବାଧ୍ୟ କରିପାରିବେନି ସେବାୟତ ।

ପୁରୀ ଶ୍ରୀମନ୍ଦିରକୁ ଆସୁଥିବା ବିଦେଶୀ ଭକ୍ତଙ୍କୁ ବିଧର୍ମୀ କହି ପ୍ରବେଶ ଅନୁମତି ନଦେବାର ଅନେକ ନଜିର ରହିଛି । ଏପରିକି ଗୋରା ଦେଖାଯାଉଥିବା ହିନ୍ଦୁ ଧର୍ମ ବିଶ୍ୱାସୀଙ୍କୁ ବି ସେବାୟତଙ୍କ ଦୁର୍ବ୍ୟବହାରର ଅଭିଯୋଗ ଭିତରେ ଏକ ଗରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ ପରାମର୍ଶ ଦେଇ କହିଛନ୍ତି, ହିନ୍ଦୁମାନଙ୍କ ଛଡା ଅନ୍ୟ ଧର୍ମବିଶ୍ୱାସୀମାନେ ମଧ୍ୟ ଶ୍ରୀମନ୍ଦିରକୁ ଯାଇପାରିବେ କି ? ଏନେଇ ବିଚାର କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେଇଛନ୍ତି ସୁପ୍ରିମକୋର୍ଟ ।ଡ୍ରେସକୋର୍ଡ ପରି କିଛି ନିର୍ଦ୍ଦିଷ୍ଟ କଟକଣା ଭିତରେ କାର୍ଯ୍ୟକାରୀ କରିହୋଇପାରିବ କି?ମନ୍ଦିରକୁ ଯିବା ପୂର୍ବରୁ ରେଜିଷ୍ଟରରେ ଦସ୍ତଖତ କରିବା ଭଳି ପଦକ୍ଷେପ ନିଆ ଯାଇପାରେ ।ମନ୍ଦିରରେ କେତେ ଭିତରକୁ ଯାଇ ପାରିବେ ତାହା ସ୍ଥିର କରିପାରିବେ ଶ୍ରୀମନ୍ଦିର ପ୍ରଶାସନ ।

ଗତ ଜୁନ ୮ ତାରିଖରେ ଏକ ପିଆଇଏଲର ଶୁଣାଣି କରି ସୁପ୍ରିମକୋର୍ଟ ପୁରୀ ଶ୍ରୀମନ୍ଦିରରେ ସଂସ୍କାର ପାଇଁ କିଛି ବଳିଷ୍ଠ ନିର୍ଦ୍ଦେଶ ଦେଇଥିଲେ । ଯାହା ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା, ଭକ୍ତଙ୍କୁ ଦାନ ଅର୍ଥ ପାଇଁ ହଇରାଣ କରିପାରିବେ ନାହିଁ ସେବାୟତ । ତେବେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ସେବାୟତମାନେ ଭକ୍ତଙ୍କୁ ଦାନ ଟଙ୍କା ପାଇଁ ବାଧ୍ୟ କରୁଥିବା କୋର୍ଟଙ୍କୁ ଜଣାଇଥିଲେ ପୁରୀ ଜିଲ୍ଲା ଜଜ୍ । ଏହାପରେ ପୁଣି ନିଜ ନିର୍ଦ୍ଦେଶକୁ ଦୋହରାଇଛନ୍ତି ସୁପ୍ରିମକୋର୍ଟ । ଅର୍ଥାତ ଭକ୍ତମାନେ ଦାନ ଟଙ୍କା ସେବାୟତମାନଙ୍କୁ ନଦେଇ ମନ୍ଦିର ହୁଣ୍ଡିରେ ପକାଇବେ । ଏବଂ ସେବାୟତମାନେ ମଧ୍ୟ ଏଥିପାଇଁ ବାଧ୍ୟ କରିପାରିବେ ନାହିଁ ।

ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କୁ ଦୁର୍ବ୍ୟବହାର ଆଦି ପ୍ରସଙ୍ଗ ଉଠାଇ ଯୋଜନାବଦ୍ଧ ଭାବେ ସେବାୟତମାନଙ୍କୁ ନିନ୍ଦିତ କରାଯାଉଥିବା ଅଭିଯୋଗ କରି ନୀରବ ପ୍ରତିବାଦ କରିଛି ପୁରୀ ଜଗନ୍ନାଥ ସେବାୟତ ସମ୍ମିଳନୀ । ଶ୍ରୀମନ୍ଦିରରେ ସଂସ୍କାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ପୁରୀ ଜିଲ୍ଲା ଜଜ ଏକ ରିପୋର୍ଟ ପ୍ରସ୍ତୁତ କରି କୋର୍ଟରେ ଦାଖଲ କରିସାରିଛନ୍ତି । ଯାହା ସୁପ୍ରିମକୋର୍ଟ ଓ ଶ୍ରୀମନ୍ଦିର ପ୍ରଶାସନ ୱେବସାଇଟରେ ସର୍ବସାଧାରଣ ଦେଖିପାରିବେ । ଏବଂ ଲୋକେ ଚାହିଁଲେ ଆମିକସ କ୍ୟୁରୀଙ୍କ ଜରିଆରେ ସେମାନଙ୍କ ପ୍ରସ୍ତାବ ଦେଇପାରିବେ ବୋଲି କୁହାଯାଇଛି । ଆଗାମୀ ସେପ୍ଟେମ୍ବର ୫ରେ ପରବର୍ତି ଶୁଣାଣୀ ବେଳେ କୋର୍ଟ ଏନେଇ ବିଚାର କରିବେ ।