ସୁପ୍ରିମକୋର୍ଟ ଶୁଣାଇଲେ ଗୀତାର ବାଣୀ! ଶ୍ରୀମନ୍ଦିରକୁ ଅଣ-ହିନ୍ଦୁ ପ୍ରବେଶ ନେଇ ଦେଲେ ପ୍ରସ୍ତାବ, କହିଲେ, ବିଶ୍ୱାସ ଓ ପୂଜାବିଧି ଅଲଗା ହେଲେ ଭଗବାନ ଗୋଟିଏ

127

କନକ ବ୍ୟୁରୋ : କୌଣସି ମନ୍ଦିରରେ କେବଳ ହିନ୍ଦୁ ହିଁ ପ୍ରବେଶ କରି ପାରିବେ କି? ଏହା ବିତର୍କର ବିଷୟ ହୋଇଥିବା ବେଳେ ସୁପ୍ରିମକୋର୍ଟରେ ବିଚାରପତି ଗୀତାର ଶ୍ଲୋକରୁ ଧର୍ମନିରପେକ୍ଷତାର ସଂଜ୍ଞା ନିର୍ଧାରଣ କରିଛନ୍ତି । ଏହା ସହ ମନ୍ଦିର ଭିତରକୁ ଅଣ ହିନ୍ଦୁ ପ୍ରବେଶ ନିଷେଧ ଉପରେ ଚିନ୍ତା କରିବାକୁ ଦୁଇ ଜଣିଆ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି ।

।। ୟେପେନ୍ନ ଦେବତା ଭକ୍ତା ୟଜନ୍ତେ ସରଧାୟାନବିତାଃ
ତେପି ମାମେବ କୌନ୍ତେୟ ୟଜନ୍ତ୍ୟବିଧିପୂର୍ବକମ୍ ।।
ଅର୍ଥାତ “ହେ କୁନ୍ତି ପୁତ୍ର, ପୂର୍ଣ୍ଣ ବିଶ୍ୱାସର ସହ ଯିଏ ଯୋଉ ଠାକୁରଙ୍କୁ ବି ପୂଜା କରନ୍ତୁ ନା କାହିଁକି ସେମାନେ ମୋତେ ହିଁ ପୂଜା କରୁଛନ୍ତି” । ଭଗବତ ଗୀତାର ଏହି ପଂକ୍ତି ସହ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ପିବି ଗଜେନ୍ଦ୍ରଗଡକରଙ୍କ ଏକ ବହି ‘ଟୁ ଦ ବେଷ୍ଟ ଅଫ ମାଇଁ ମେମୋରି’ର କିଛି ଲାଇନକୁ ଉଦ୍ଧାର କରିଥିଲେ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ । କୋର୍ଟ କହିଥିଲେ ଯେ, ଧର୍ମନିରପେକ୍ଷତା ଅର୍ଥ ଧାର୍ମିକ ସ୍ୱାଧୀନତାରେ କୌଣସି ଗୋଟିଏ ଧର୍ମର ଏକାଧିପତ୍ୟ ଚଳିବ ନାହିଁ । ଆମ ଧର୍ମନିରପେକ୍ଷତା ଭଗବତ ଗୀତାର ଏହି ଦୁଇଧାଡି ଉପରେ ପର୍ଯ୍ୟବେସିତ । ଅର୍ଥାତ ଉପାସନାସ୍ଥଳ ଓ ପୂଜା କରିବାର ବିଧି ଅଲଗା ଅଲଗା ହୋଇଥିଲେ ମଧ୍ୟ ଭଗବାନ ଏକ । ଯେଉଁ ଆଧାରରେ ପୁରୀ ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନେଇ ପ୍ରସ୍ତାବ ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ।

ସୁପ୍ରିମକୋର୍ଟଙ୍କ ଏଭଳି ପ୍ରସ୍ତାବ ଏକ ବଡ ବିତର୍କ ଆଡକୁ ମୁହାଁଉଛି । କାରଣ ସାରା ବିଶ୍ୱରେ ଅନ୍ୟାନ୍ୟ ମନ୍ଦିର ଓ ଆରାଧନା ପୀଠ ଅପେକ୍ଷା ପୁରୀ ଶ୍ରୀମନ୍ଦିରର ପୂଜାବିଧି ଓ ପରମ୍ପରା ଭିନ୍ନ ଏବଂ ବର୍ଷବର୍ଷ ଧରି ଏହା ଅପରିବର୍ତିତ ରହିଆସିଛି । ପୁରୀ ଶ୍ରୀମନ୍ଦିର ବିଧି ବ୍ୟବସ୍ଥା ଅନୁସାରେ ଅଣ ହିନ୍ଦୁମାନେ ମନ୍ଦିର ଭିରତକୁ ପ୍ରବେଶ କରିପାରିବେ ନାହିଁ । ଯେଉଁଥିପଇଁ କୁହାଯାଏ ବର୍ଷକୁ ଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୁଣ୍ଡିଚା ଯାତ୍ରା ସମୟରେ ସମଗ୍ର ବିଶ୍ୱର ଭକ୍ତଙ୍କୁ ଦର୍ଶନ ଦେବାପାଇଁ ବଡ ଦାଣ୍ଡକୁ ଓହ୍ଲାଇ ଆସନ୍ତି । ଯେଉଁଠି ଜାତି ଧର୍ମ ବର୍ଣ୍ଣ କିମ୍ବା ବର୍ଗର କୌଣସି ବାଛବିଚାର ନଥାଏ । ଯେ କୌଣସି ଧର୍ମବିଶ୍ୱାସୀ ଠାକୁରଙ୍କୁ ଆଖି ପୁରାଇ ଦେଖିବାର ସୌଭାଗ୍ୟ ପାଆନ୍ତି । ଯାହା ପୃଥିବୀରେ ଅନ୍ୟ କୌଣସି ମନ୍ଦିର ପରମ୍ପରାରେ ଦେଖିବାକୁ ମିଳେନାହିଁ । ତେବେ ସୁପ୍ରିମକୋର୍ଟଙ୍କ ଏଭଳି ପ୍ରସ୍ତାବକୁ ବିରୋଧ କରିଛନ୍ତି ସେବାୟତ । କିନ୍ତୁ ଜ୍ଞାନପୀଠ ପୁରସ୍କାର ବିଜେତା  ପ୍ରତିଭା ରାୟ ସୁପ୍ରିମକୋର୍ଟଙ୍କ ଏଭଳି ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ତେଣୁ ସୁପ୍ରିମକୋର୍ଟଙ୍କ ଏଭଳି ଏକ ପ୍ରସ୍ତାବ କେତେଦୂର ଗ୍ରହଣୀୟ ହୋଇପାରିବ ତାହା ବଡ ପ୍ରଶ୍ନବାଚୀ ।