କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାର ଘୁଂଚିଲା ଶୁଣାଣି । ଆସନ୍ତା ଅଗଷ୍ଟ ୪ ତାରିଖରେ ମାମଲା ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି କୋର୍ଟ । ଏନେଇ ସୁପ୍ରିମକୋର୍ଟ ଆବେଦନକାରୀ ତଥା ବିଜେପି ବିଧାୟକ ପୁର୍ଣ୍ଣେସ ମୋଦୀ ଏବଂ ଗୁଜରାଟ ସରକାରଙ୍କୁ ନୋଟିସ୍ ଜାରି ପକ୍ଷ ରଖିôବାକୁ କହିଛନ୍ତି । ବିଚାରପତି ଜଷ୍ଟିସ୍ ବି.ଆର ଗାଭାଇ ଏବଂ ଜଷ୍ଟିସ୍ ପି.କେ ମିଶ୍ର ମାମଲାର ଶୁଣାଣି କରିଛନ୍ତି । । ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ରାୟର ପୁନଃବିଚାର କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

Advertisment

ମୋଦୀ ସାଙ୍ଗିଆ ମାମଲାରେ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ସଜା ଶୁଣାଇଥିଲେ । ଏହା ବିରୋଧରେ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ ରାହୁଲ ଗାନ୍ଧୀ । କିନ୍ତୁ ଗୁଜରାଟ ହାଇକୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ନିରାଶ ହେବାକୁ ପଡିଥିଲା । ସୁରଟ କୋର୍ଟଙ୍କ ରାୟ ସଂରକ୍ଷିତ ରଖିଥିଲେ ଗୁଜରାଟ ହାଇକୋର୍ଟ । ତେବେ ୨୦୨୪ ନିର୍ବାଚନ ରାହୁଲ ଲଢିପାରିବେ କି ନାହିଁ ତାହା ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିର୍ଭର କରୁଛି । ଯଦି ସୁପ୍ରିମକୋର୍ଟ ମାମଲାର ସଜା ଦୁଇ ବର୍ଷରୁ କମ କରିଦିଅନ୍ତି ତେବେ ରାହୁଲ ନିର୍ବାଚନ ଲଢିପାରିବେ । ନଚେତ୍ ନିୟମ ଅନୁଯାୟୀ, ରାହୁଲ ଗାନ୍ଧୀ ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ ।

୨୦୧୯ରେ କର୍ଣ୍ଣାଟକରେ ଏକ ନିର୍ବାଚନୀ ରାଲିରେ ମୋଦୀ ସାଙ୍ଗିଆକୁ ନେଇ ବିବାଦୀୟ ବୟାନ ଦେଇଥିଲେ ରାହୁଲ ଗାନ୍ଧୀ । ସବୁ ମୋଦୀ ସାଙ୍ଗିଆଧାରୀ ଚୋର ବୋଲି କହିଥିଲେ ରାହୁଲ । ଯାହା ବିରୋଧରେ କୋର୍ଟରେ ମାନହାନୀ ମାମଲା କରିଥିଲେ ବିଜେପି ବିଧାୟକ ପୂର୍ଣ୍ଣେସ ମୋଦୀ । ଏହି ମାମଲାର ଶୁଣାଣି କରି ଗତ ମାର୍ଚ୍ଚ ୨୩ ତାରିଖରେ ରାହୁଲଙ୍କୁ ଦୁଇ ବର୍ଷ ସଜ୍ଜା ଶୁଣାଇଥିଲେ ସୁରଟ କୋର୍ଟ । ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା