କନକ ବ୍ୟୁରୋ: ସମଲିଙ୍ଗୀ ବିବାହକୁ ଆଇନତଃ ମାନ୍ୟତା ପ୍ରଦାନ ଦାବିରେ ହୋଇଥିବା ଆବେଦନ ଉପରେ ଆରମ୍ଭ ହୋଇଛି ସୁପ୍ରିମ ଶୁଣାଣି । ପ୍ରଧାନ ବିଚାରପତି ଜଷ୍ଟିସ ଡିଆଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ପାଂଚ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି । ସଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟଙ୍କ ସମ୍ମୁଖରେ ପକ୍ଷ ରଖି କହିଛନ୍ତି, ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର କୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି । ବିବାହ ଏକ ସାମାଜିକ ବ୍ୟବସ୍ଥା । ଏହାକୁ ମାନ୍ୟତା ଦେବା ପାଇଁ ନ୍ୟାୟପାଳିକାର ଅଧିକାର ନାହିଁ । ଏହି ପ୍ରସଙ୍ଗରେ ସଂସଦକୁ ନିଷ୍ପତି ନେବାକୁ ଦିଆଯାଉ । ଯାହାକୁ ନେଇ ବିରକ୍ତ ହେବା ସହ, ପ୍ରଧାନ ବିଚାରପତି କହିଥିଲେ, ଆମେ ନିଷ୍ପତି ନେବୁ କେଉଁ ମାମଲାରେ ଓ କେମିତି ଶୁଣାଣୀ କରିବୁ । ଶୁଣାଣୀକୁ ନେଇ ଆମକୁ କାହାର ଅନୁମତି ନେବାର ଆବଶ୍ୟକତା ନାହିଁ । ଆଗକୁ ଆମେ କେନ୍ଦ୍ରର ପକ୍ଷ ମଧ୍ୟ ଶୁଣିବୁ ।

Advertisment

ସମଲିଂଗୀ ବିବାହକୁ କେନ୍ଦ୍ର ସରକାର ବିରୋଧ କରି ଆସୁଛନ୍ତି । ଏହା ଭାରତୀୟ ପରମ୍ପରାର ବିରୋଧୀ ବୋଲି କହି ଆସୁଛନ୍ତି କେନ୍ଦ୍ର ସରକାର । ସମଲିଙ୍ଗୀ ବିବାହକୁ ଅନୁମତି ଦେଲେ ପରବର୍ତି ସମୟରେ କିଏ ସ୍ୱାମୀ, କିଏ ସ୍ତ୍ରୀ ସେ ନେଇ ବିବାଦ ଉପୁଜିବ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ସରକାରଙ୍କ ପକ୍ଷର ଯୁକ୍ତି ଶୁଣିବା ପରେ, ପ୍ରଧାନ ବିଚାରପତି କହିଥିଲେ, କାହାକୁ ମହିଳା କୁହାଯିବ ଓ କାହାକୁ ପୁରୁଷ କୁହାଯିବ ସେ ନେଇ କୌଣସି ସ୍ପଷ୍ଟ ଆଧାର ନାହିଁ । ୨୦୧୮ରେ ୩୭୭ ଧାରା ଉଚ୍ଛେଦ ପରେ ଆମ ସମାଜରେ ସମଲିଙ୍ଗୀ ସମ୍ପର୍କକୁ ନେଇ ଗ୍ରହଣୀୟତା ବଢିଛି । ଯାହା ଏକ ବଡ ଉପଲବ୍ଧି । ଏକ ବିକାଶମୁଖ ଭବିଷ୍ୟତ ପାଇଁ ଏହି ପ୍ରସଙ୍ଗକୁ ବୃହତ ଆକାରରେ ଆଲୋଚନା କରାଯିବା ଉଚିତ ।

ସମଲିଙ୍ଗୀ ବିବାହକୁ ଆଇନର ମାନ୍ୟତା ଦେବା ପାଇଁ, ଆବେଦନକାରୀ ନିଜ ଆବେଦନରେ ଦର୍ଶାଇଛନ୍ତି, ସମଲିଙ୍ଗୀମାନଙ୍କ ଏକତା ପାଇଁ ବିବାହ ନିହାତି ଜରୁରୀ । ସେହିପରି ଅନ୍ୟଜଣେ ଆବେଦନକାରୀଙ୍କ କହିଛନ୍ତି, ସେମାନେ ଦୈନ୍ୟଦିନ ଜୀବରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରିକି ବ୍ୟାଙ୍କ ଖାତା ଖୋଲିବା ପରି କାର୍ଯ୍ୟରେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବିବାହ ପାଇଁ ଅନୁମତି ମିଳିଲେ ଏହା ଦୂର ହୋଇପାରିବ । ସମଲିଙ୍ଗୀ ବିବାହକୁ ଆଇନଗତ ଅନୁମତି ଦେବା ପାଇଁ ସୁପ୍ରିମକୋର୍ଟରେ ୧୫ଟି ଆବେଦନ ହୋଇଛି । ଯାହା ଉପରେ ଶୁଣାଣୀ ଜାରି ରହିଛି ।