ଧାନବାଦ ଜଜ୍ ହତ୍ୟା ମାମଲା । ସିବିଆଇ ତଦନ୍ତ ଦାବିକଲା ସୁପ୍ରିମକୋର୍ଟ ବାର ଆସୋସିଏନ

ଅଟୋ ଚଢାଇ ଜଜ୍ ଙ୍କୁ ହତ୍ୟା !!

131

କନକ ବ୍ୟୁରୋ : ଝାରଖଣ୍ଡ ଧାନବାଦଠାରେ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ମାମଲାର ସିବିଆଇ ଯାଂଚ ଦାବି କରିଛି ସୁପ୍ରିମକୋର୍ଟ ବାର ଆସୋସିଏସନ । ଆସୋସିଏସନର ପ୍ରମୁଖ ବିକାଶ ସିଂ କହିଛନ୍ତି କି ନ୍ୟାୟପାଳିକାର ସ୍ୱତନ୍ତ୍ର ଓ ନ୍ୟାୟିକ ଅଧିକାରୀମାନେ ସୁରକ୍ଷିତ ରହିବା ଆବଶ୍ୟକ । ଜଜ୍ ଉତ୍ତମ ଆନନ୍ଦଙ୍କ ଦୁର୍ଘଟଣା ଜନିତ ମୃତ୍ୟୁର ସିସିଟିଭି ଫୁଟେଜ ଦେଖିଲେ ତାହା ସ୍ପଷ୍ଟ ଯେ ତାଙ୍କୁ ସୁନିୟୋଜିତ ଭାବେ ହତ୍ୟା କରାଯାଇଛି । ଏଭଳି ଅଭିଯୋଗ ଆଣି ବିକାଶ ସିଂ ଏହି ମାମଲାର ସିବିଆଇ ଯାଂଚ ଦାବି କରିଛନ୍ତି ।

ବିକାଶ ସିଂ କହିଛନ୍ତି କି ଏହି ଦୁର୍ଘଟଣାର ସିସିଟିଭି ଫୁଟେଜ ଦେଖିଲେ ସ୍ପଷ୍ଟ ଦେଖାଯାଉଛି କି ସଡକ କଡରେ ଚାଲୁଥିବା ଜଜ୍ ଙ୍କୁ ଅଟୋ ଡ୍ରାଇଭର ଜାଣିଶୁଣି ଧକ୍କା ଦେଇଛି । ଜଷ୍ଟିସ୍ ଡି,ୱାଇ ଚନ୍ଦ୍ରଚୁଡ ଏହି ମାମଲାକୁ ସୁପ୍ରିମକୋର୍ଟର ମୁଖ୍ୟବିଚାରପତିଙ୍କ ନିକଟରେ ଉପସ୍ଥାପନ କରିବାକୁ ବିକାଶ ସିଂଙ୍କୁ ପରାମର୍ଶ ଦେବା ସହ ଏନେଇ ସେ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।

ଅନ୍ୟପଟେ ଜଜ୍ ଉତ୍ତମ ଆନନ୍ଦଙ୍କୁ ଧକ୍କା ଦେଇଥିବା ଅଟୋ ଡ୍ରାଇଭର ଓ ତାର ଦୁଇଜଣ ସହଯୋଗୀଙ୍କୁ ଅଟୋ ସହ ଗିରିଡିହ ଠାରେ ଗିରଫ୍ କରାଯାଇଥିବା କୁହାଯାଇଛି ।

ସୂଚନା ଥାଉକି ବୁଧବାର ସକାଳେ ଉତ୍ତମ ଆନନ୍ଦ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ତାଙ୍କୁ ଏକ ଅଟୋ ପଛରୁ ଧକ୍କା ଦେଇଥିଲା । ଏହାପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନେଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ସିସିଟିଭି ଫୁଟେଜ ଯାଂଚ ହୋଇଛି । ଏହି ଫୁଟେଜରୁ ତାଙ୍କୁ ଜାଣିଶୁଣା ଧକ୍କା ଦିଆଯାଇଥିବା ଅନୁମାନ କରାଯାଉଛି । ଜଜ୍ ଉତ୍ତମ ଆନନ୍ଦ କିଛି ଗ୍ୟାଙ୍ଗଷ୍ଟରଙ୍କ ଜାମିନ ଖାରଜ କରିଦେଇଥିବାରୁ ସେହିମାନେ ଯୋଜନା କରି ଜଜ୍ ଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି ।