ଅଯୋଧ୍ୟା ମାମଲାରେ ଘୁଂଚିଲା ଶୁଣାଣି । ୨୦୧୯ ଜାନୁଆରୀ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ । ଆଜିଠୁ ହେବାର ଥିଲା ନିୟମିତ ଶୁଣାଣି

44

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ଘୁଚିଂଲା ଶୁଣାଣି । ୨୦୧୯ ଜାନୁଆରୀ ପର୍ଯ୍ୟନ୍ତ ଶୁଣାଣୀ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ଜାନୁଆରୀରେ ପରବର୍ତି ତାରିଖ ଧାର୍ଯ୍ୟ ହେଲା ପରେ ମାମଲାର ନିୟମିତ ଶୁଣାଣୀ ହେବ । ଆଜିଠୁ ଅଯୋଧ୍ୟା ମାମଲାର ନିୟମିତ ଶୁଣାଣୀ ହେବାର ଥିଲା । ଅଯୋଧ୍ୟାର ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ ଅଂଚଳରେ ଥିବା ୨.୭୭ ଏକର ଜମିକୁ ନେଇ ବିବାଦ ଲାଗିରହିଛି । ଏହି ଜମିକୁ ନେଇ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗିରହିଛି । କିଛି ଗୋଷ୍ଠୀ କହୁଛନ୍ତି ଏହି ବିବାଦୀୟ ଜମିରେ ମନ୍ଦିର ଥିଲା , ତେବେ ଏହି ଦାବିକୁ କିଛି ମୁସଲମାନ ଗୋଷ୍ଠୀ ଖଣ୍ଡନ କରୁଛନ୍ତି ।

୨୦୧୦ର ଆହ୍ଲାବାଦ ହାଇକୋର୍ଟ କିଛି ଆବେଦନର ଶୁଣାଣି କରି ବିବାଦୀୟ ଜମିକୁ ୩ ଭାଗ କରିଦେଇ ରାମଲାଲା, ସୁନ୍ନି ୱାକଫ ବୋର୍ଡ ଓ ନିର୍ମୋହି ଆଖଡା ମଧ୍ୟରେ ସମାନ ସମାନ ଭାଗରେ ବାଂଟିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ସୁପ୍ରିମକୋର୍ଟ ୨୦୧୧ ମସିହାରେ ଆହ୍ଲାବାଦ ହାଇକୋର୍ଟର ରାୟ ଉପରେ ରୋକ ଲଗାଇଥିଲେ । ୨୦୧୯ ନିର୍ବାଚନ ପୂର୍ବରୁ ରାମ ମନ୍ଦିର ବିବାଦ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିବାରୁ ସୁପ୍ରିମକୋର୍ଟରେ ଏହି ଶୁଣାଣିକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି । ଶୁଣାଣି କେବେ ସରିବ ଓ ରାୟ କେବେ ଆସିବ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।

ଅଯୋଧ୍ୟା ମାମଲା କଣ?

• ଅଯୋଧ୍ୟାର ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ ଅଂଚଳରେ ଥିବା ୨.୭୭ ଏକର ଜମିକୁ ନେଇ ବିବାଦ ରହିଛି । ଏହାକୁ ନେଇ ହିନ୍ଦୁ ଓ ମସୁଲମାନଙ୍କ ମଧ୍ୟରେ ଶହେ ବର୍ଷ ହେଲା ବିବାଦ ଚାଲିଛି ।

• ହିନ୍ଦୁଙ୍କ ଦାବି ହେଲା, ଏଠାରେ ମନ୍ଦିର ରହିଥିଲା , ଯାହାକୁ ଭାଙ୍ଗି ବାବ୍ରୀ ମସଜିଦ କରାଯାଇଥିଲା । ଏହାକୁ ବିଭିନ୍ନ ମୁସଲମାନ ସଙ୍ଗଠନ ବିରୋଧ କରିଛନ୍ତି ।

• ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ଜମିକୁ ୩ ଭାଗରେ ବିଭକ୍ତ କରିଥିଲେ । ଏହାକୁ ରାମ ଲାଲା, ସୁନ୍ନି ୱାକଫ ବୋର୍ଡ ଓ ନିର୍ମୋହି ଆଖଡା ମଧ୍ୟରେ ସମାନ ସମାନ ବାଂଟିବାକୁ କୋର୍ଟ କହିଥିଲେ ।

• ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ସୁପ୍ରିମକୋର୍ଟ ୨୦୧୧ରେ ହାଇକୋର୍ଟଙ୍କ ଆଦେଶ ଉପରକେ ପ୍ରତିବନ୍ଧକ ଜାରି କରିସାରିଛନ୍ତି ।