ଓଡ଼ିଶା ବିରୋଧରେ ଷଡ଼ଯନ୍ତ୍ର : ଲାଭ ଦେଉଥିବା ସତ୍ୱେ ପାଟନାକୁ ଚାଲିଯିବ କେନ୍ଦ୍ରୀୟ ପଣ୍ୟାଗାର ନିଗମର ଆଂଚଳିକ କାର୍ଯ୍ୟାଳୟ

335

କନକ ବ୍ୟୁରୋ : ଭୁବନେଶ୍ୱରରୁ ପାଟନାକୁ ଉଠିଯିବ କେନ୍ଦ୍ରୀୟ ପଣ୍ୟାଗାର ନିଗମର ଆଞ୍ଚଳିକ କାର୍ଯ୍ୟାଳୟ । ଜୁଲାଇ ୨୬ ତାରିଖରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଏଣିକି ଭୁବନେଶ୍ୱର ପରିବର୍ତ୍ତେ ଆଞ୍ଚଳିକ କାର୍ଯ୍ୟାଳୟ ପାଟନାରେ ରହିବ । ପାଟନା କାର୍ଯ୍ୟାଳୟ ସହ ଏହାର ମିଶ୍ରଣ ହେବ । ଏବଂ ଏହା ପାଟନା ଆଂଚଳିକ କାର୍ଯ୍ୟାଳୟ ରୂପେ କାମ କରିବ । ଖାଲି ସେତିକି ନୁହେଁ ଭୁବନେଶ୍ୱରରେ ଥିବା ଆଂଚଳିକ କାର୍ଯ୍ୟାଳୟର କୋଠାକୁ ଭଡାରେ ଦିଆଯିବାକୁ ନିଷ୍ପତି ହୋଇଛି । କେନ୍ଦ୍ର ସରକାର ଏଭଳି ଏକ ବିବାଦୀୟ ନିଷ୍ପତ୍ତି ନେଇସାରିଛନ୍ତି । ଆସନ୍ତା ୧୫ ତାରିଖରୁ କାର୍ଯ୍ୟକାରୀ ହେବ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ।

୧୯୯୦ରେ ଭୁବନେଶ୍ୱରରେ କେନ୍ଦ୍ରୀୟ ପଣ୍ୟାଗାର ନିଗମର ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ବର୍ତ୍ତମାନ ରାଜ୍ୟର ୧୫ଟି ଜିଲ୍ଲାରେ ୨୧ଟି ପଣ୍ୟାଗାର ରହିଛି । କର୍ମଚାରୀ ସଂଖା ୧୪୦ । ୩ ଲକ୍ଷ ୫୦ ହଜାର ମାଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଓଡିଶାର ପଣ୍ୟାଗାର ଲାଭରେ ଚାଲିଛି । ଗତ ୫ ବର୍ଷରେ ୪୧ କୋଟିରୁ ଅଧିକ ଲାଭ କରିଛି ଭୁବନେଶ୍ୱର ସେଂଟ୍ରାଲ ୱେୟାର ହାଉସିଂ କର୍ପୋରେସନ୍ । ସେପଟେ ପାଟନାରେ ଥିବା ପଣ୍ୟାଗାର କ୍ଷତିରେ ଚାଲିଛି । ୨୮ ବର୍ଷ ହେଲା ପଣ୍ୟାଗାର ସଂଖ୍ୟା ୧୯ରେ ହିଁ ସୀମିତ ରହିଥିବା ବେଳେ କ୍ଷମତା ୧ ଲକ୍ଷ ୭୦ ହଜାର ଟନ୍ ଏବଂ ମାତ୍ର ୭୦ ଜଣ କର୍ମଚାରୀ ରହିଛନ୍ତି । ଏଭଳି ସ୍ଥିତିରେ ସରକାର କେଉଁ ନ୍ୟାୟରେ ଭୁବନେଶ୍ୱର ପଣ୍ୟାଗାରକୁ ପାଟନା ସହିତ ମିଶାଇବାକୁ ନିଷ୍ପତି ନେଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।

ଯଦି କୌଣସି କାରଣରୁ ଏହି ଦୁଇଟି କାର୍ଯ୍ୟାଳୟକୁ ଏକାଠି କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଲେ, ତାହାହେଲେ ଏହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ହେବନାହିଁ କାହିଁକି ? କେନ୍ଦ୍ର ଏଭଳି ଷଡଯନ୍ତ୍ର ଯୋଗୁଁ ଓଡିଶାରେ ଥିବା ପଣ୍ୟାଗାର ବେପାର ଭୁଶୁଡିପଡିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।