ବିଜେପିକୁ ମମତାଙ୍କ ଟାର୍ଗେଟ୍ । କହିଲେ, ବିଗତ ୫ବର୍ଷ ହେଲା ସୁପର ଏମର୍ଜେନ୍ସୀ ପରିସ୍ଥିତି ଦେଇ ଗତି କରୁଛି ଦେଶ । ବିଜେପି ରଖିଲା ଜବାବ ।

158

କନକ ବ୍ୟୁରୋ : ଜରୁରୀକାଳିନ ପରିସ୍ଥିତିର ବର୍ଷପୂର୍ତି ଅବସରରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ମମତା ବାନାର୍ଜୀ । ବିଗତ ୫ବର୍ଷ ହେଲା ଦେଶ ସୁପର ଏମରଜେନ୍ସି ପରିସ୍ଥିତି ଦେଇ ଗତି କରୁଛି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାର ଜବାବ ରଖି ବିଜେପି ନେତା କହିଛନ୍ତି, ଜରୁରୀକାଳିନ ପରିସ୍ଥିତିକୁ ଟପି ଯାଇଛି ପଶ୍ଚିମବଙ୍ଗର ଅରାଜକତା ।

୧୯୭୫, ଜୁନ୍ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜାତୀୟ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଥିଲେ । ଏହି ଦିନକୁ ବିଜେପି ଗଣତନ୍ତ୍ରର କଳା ଅଧ୍ୟାୟ ବୋଲି କହୁଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ସରକାରକୁ କଟାକ୍ଷ କରିଛନ୍ତି । ବିଗତ ୫ବର୍ଷରେ ଦେଶରେ ସୁପର ଏମର୍ଜେନ୍ସୀ ଲାଗିଛି ବୋଲି ମମତା କହିଛନ୍ତି ।

ଟ୍ୱିଟ୍ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଦେଶରେ ଜରୁରୀକାଳିନ ପରିସ୍ଥିତିର ଆଜି ବର୍ଷପୂର୍ତି । ବିଗତ ୫ବର୍ଷ ହେଲା ଦେଶ ସୁପର ଏମର୍ଜେନ୍ସୀ ପରିସ୍ଥିତି ଦେଇ ଗତିି କରୁଛି । ଆମକୁ ଇତିହାସରୁ ଶିକ୍ଷା ନେବାକୁ ହେବ ଏବଂ ଗଣତାନ୍ତ୍ରିକ ସଂସ୍ଥା ଗୁଡିକର ରକ୍ଷା କରିବା ପାଇଁ ଲଢେଇ ଜାରି ରଖିବାକୁ ପଡିବ । ମମତା ବାନାର୍ଜିଙ୍କ ଏପରି ବୟାନକୁ ସମାଲୋଚନା କରିଛି ବିଜେପି । ପଶ୍ଚିମବଙ୍ଗରେ ଯେଉଁ ଅରାଜକତା ବ୍ୟାପିଛି ତାହା ଜରୁରୀକାଳିନ ପରିସ୍ଥିତିକୁ ଟପି ଯାଇଛି ବୋଲି ବିଜେପି ନେତା କୈଳାଶ ବିଜୟବର୍ଗୀୟ କହିଛନ୍ତି ।

ବିଗତ ୫ବର୍ଷ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନେକ ଥର ମୁହାଁମୁହିଁ ହୋଇଛନ୍ତି । ମମତା ବାନାର୍ଜୀ ପୁରା ଦମ୍ ଲଗାଇ ବିଜେପିର ସାମ୍ନା କରିଛନ୍ତି । ସିବିଆଇ ପ୍ରସଙ୍ଗ ହେଉ କି ଲୋକସଭା ନିର୍ବାଚନ ଓ ପଂଚାୟତ ନିର୍ବାଚନ ସବୁଠି ମୋଦି ଓ ମମତାଙ୍କ ବିବାଦ ବଢିଚାଲିଛି । ପରିସ୍ଥିତି ଏପରି ହୋଇଛି ଯେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ବି ସାମିଲ ହୋଇନଥିଲେ ମମତା । ଏବଂ ନୀତି ଆୟୋଗ ବୈଠକରେ ଯୋଗ ଦେବାକୁ ମନା କରିଦେଇଥିଲେ ।