ସୂର୍ଯ୍ୟମୁଖୀ ଓ ବାଦାମ ଚାଷ କରି ସଫଳତା ପାଇଛନ୍ତି ଯାଜପୁରର ୫ଶହରୁ ଅଧିକ ମହିଳା । ଉନ୍ନତ ଚାଷ ପ୍ରଣାଳୀର ପ୍ରଶିକ୍ଷଣ କଲା ଆତ୍ମନିର୍ଭରଶୀଳ ।

95

କନକ ବ୍ୟୁରୋ: ଜମିରେ ହସୁଛି ସୂର୍ଯ୍ୟମୁଖୀ ଆଉ ଫଳିଛି ବାଦାମ । ଏହି ଚାଷ କରି ବେଶ୍ ସ୍ୱାବଲମ୍ବୀ ହୋଇଛନ୍ତି ଚାଷୀ । ସବୁଠୁ ବଡ କଥା ହେଉଛି ଏହି ଚାଷ କୌଣସି ପୁରୁଷ କରୁନାହାନ୍ତି ବରଂ ମହିଳାମାନେ କରିଛନ୍ତି । ନାବାର୍ଡ ସହାୟତାରେ ପାଖାପାଖି ୫ ଶହରୁ ଅଧିକ ମହିଳା ବାଦାମ ଓ ସୂର୍ଯ୍ୟମୁଖୀ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ।

ଚାଷକୁ ଚାଷ ହେବ ରୋଜଗାରର ବାଟ ବି ଫିଟିବ । ବିଶେଷଭାବେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ “ନାବାର୍ଡ’’ ଯାଜପୁରର ସହେଲୀ ଅନୁଷ୍ଠାନ ଜରିଆରେ ୫୧୭ ଜଣ ମହିଳାଙ୍କୁ ଚାଷୀ ଉତ୍ପାଦନ ସଂଗଠନରେ ସାମିଲ କରିଛି। ଏହି ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଚାଷ ପ୍ରଣାଳୀ, ଚାଷର ସୁରକ୍ଷା ସଂପର୍କରେ ପ୍ରଶିକ୍ଷଣ ଦେବା ସହ ବିନା ମୂଲ୍ୟରେ ଯୋଗାଇ ଦେଉଛି ଉନ୍ନତ କିସମର ବାଦାମ ଓ ସୂର୍ଯ୍ୟମୁଖୀ ବିହନ । ପ୍ରାଥମିକ ପର୍ଯ୍ୟାୟରେ “ଚାଷୀ ଅଂଚଳ ଉନ୍ନତି ପାଣ୍ଠି ମାଧ୍ୟମରେ ଶହେ ଚାଷୀଙ୍କୁ ଶହେ ଏକର ଜମି ପାଇଁ ବାଦାମ ବିହନ ଓ ୫୦ ଚାଷୀଙ୍କୁ ଶହେ ଏକର ଜମି ଚାଷ ପାଇଁ ସୂର୍ଯ୍ୟମୁଖୀ ବିହନ ଯୋଗାଇ ଦିଆଯାଇଥିଲା । ତେବେ ନିଜର ଉଦ୍ୟମ ଓ ଇଚ୍ଛା ଶକ୍ତି ବଳରେ ମହିଳାମାନେ ଆଜି ସଫଳତାର ସହ ଉନ୍ନତ ବାଦାମ ଓ ସୂର୍ଯ୍ୟମୁଖୀ ଫୁଲ ଚାଷ କରିପାରିଛନ୍ତି ।

ବର୍ତମାନ ଜଳବାୟୁ ପରିବର୍ତନ ଓ ବଜାର ମୂଲ୍ୟ ହ୍ରାସ ଯୋଗୁ ଚାଷୀ ଚାଷରୁ ମୁହଁ ଫେରାଉ ଥିବା ବେଳେ ନାବାର୍ଡର ଏହି ପ୍ରୟାସ ମହିଳାମାନଙ୍କୁ ସଫଳ ଚାଷୀ ଭାବେ ପରିଚୟ ଦେବାରେ ସକ୍ଷମ ହୋଇପାରିଛି । ଯାଜପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିମିଳିଆ ପଂଚାୟତର ଏହି ମହିଳା ଚାଷୀମାନେ ଏବେ ନିଜ ଚାଷକୁ ନେଇ ବେଶ ଗର୍ବିତ ଥିବା ବେଳେ କ୍ଷେତର ସବୁଜିମା ଓ ସୂର୍ଯ୍ୟମୁଖୀ ଫୁଲର ହସ ଦେଖି ବେଶ ଉତ୍ସାହିତ ଅଛନ୍ତି । ଅମଳ ପରେ ବାଦାମ ଓ ସୂର୍ଯ୍ୟମୁଖୀ ଫୁଲରୁ ତେଲ ପ୍ରସ୍ତୁତ କରିବା ପାଇଁ ନାବାର୍ଡ ପକ୍ଷରୁ ମଲଟି ସିଡ୍ ଅଏଲ୍ ପ୍ରସ୍ତୁତକାରୀ ମେସିନ୍ ମଧ୍ୟ ଯୋଗାଇ ଦିଆଯାଇଛି । ଫଳରେ ଏହି ମହିଳାମାନେ ବଜାରକୁ ସିଧା ସଳଖ ନିଜର ଉତ୍ପାଦିତ ତୈଳ ବିକ୍ରି କରିବାର ସୁଯୋଗ ସୃଷ୍ଟି ହୋଇଛି । ମହିଳାମାନଙ୍କୁ ନିଆରା କୃଷି ପଦ୍ଧତି ମାଧ୍ୟମରେ ଆତ୍ମନିର୍ଭରଶୀଳ କରାଇ ପାରିଥିବା ନାବାର୍ଡକୁ ଏହି ମହିଳାମାନେ ଧନ୍ୟବାଦ୍ ଦେଇଥିବାବେଳେ ଆସନ୍ତାବର୍ଷକୁ ଏହି ଚାଷକୁ ଦ୍ୱିଗୁଣିତ କରିବା ପାଇଁ ଅଂଟା ଭିଡିଛନ୍ତି ।