ସୁନ୍ଦରଗଡ଼ରେ ହାତୀ ଆତଙ୍କ ! ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଭାଙ୍ଗିଲେ ୧୦ ଘର

22

କନକ ବ୍ୟୁରୋ : ସୁନ୍ଦରଗଡ଼ରେ ହାତୀ ଆତଙ୍କ । ଗତକାଲି ରାତିରେ ୩ଟି ହାତୀ ଆସି ସୁନ୍ଦରଗଡ଼ର ଭଷ୍ମା, କାମତଲିଆ ଓ ବଡ଼ମାଲ ଗାଁରେ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି । ହାତୀଙ୍କୁ ଦେଖି ଯିଏ ଯୁଆଡ଼େ ପ୍ରାଣ ବିକଳରେ ପଳାଇ ଯାଇଥିଲେ । ହାତୀଙ୍କ ଉପଦ୍ରବରେ କାହାର କାନ୍ତ ଭୁଷୁଡ଼ି ଯାଇଛି ତ କାହାର ଛପର ନଷ୍ଟ ହୋଇଯାଇଛି ।

ଗତକାଲି ରାତିରେ ଆସି ଏହି ହାତୀମାନେ ଲୋକଙ୍କ ନିଦ ହଜାଇ ଦେଇଛନ୍ତି । ହାତୀ ଆକ୍ରମଣରେ ପାଖାପାଖି ୧୦ଟି ଘର ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । ଧାନ ଚାଉଳ ଖାଇବା ଉଦ୍ଦେଶ୍ୟରେ ନାରଖାର କରିଦେଇଛନ୍ତି ଘରଦ୍ୱାର । ହାତୀ ଆକ୍ରମଣରେ ଅନେକ ଘରର କାନ୍ଥ ଭାଗିଯାଇଛି । ସୌଭାଗ୍ୟବସତଃ ଭିତରେ ଶୋଇଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ରାତି ପ୍ରାୟ ୧୦ଟାରୁ ୨ ଟା ପର୍ଯ୍ୟନ୍ତ ଚାଲିଥିଲା ହାତୀଙ୍କ ତାଣ୍ଡବ । ବାମରା ଫରେଷ୍ଟ ଡିଭିଜନର ବଡ଼ମାଲ ରିଜର୍ଭ ଫରେଷ୍ଟ ଅଞ୍ଚଳରୁ ଏହି ୩ଟି ହାତୀ ଆସିଥିବା ସୂଚନା ।

ସୂଚନାଯୋଗ୍ୟ ସୁନ୍ଦରଗଡ଼ ଫରେଷ୍ଟ ଡ଼ିଭିଜନରେ ବର୍ଷ ସାରା ଚାଲିଛି ହାତୀଙ୍କ ଉପଦ୍ରବ । ଲୋକେ ହାତୀଙ୍କ ଯୋଗୁଁ ଆତଙ୍କରେ କାଳାତିପାତ କରୁଛନ୍ତି । ତେବେ ଗତ ଚାରି ମାସ ମଧ୍ୟରେ ହାତୀ ଆକ୍ରମଣରେ ୬ ଜଣଙ୍କ ମୃତ୍ୟୁ ହୋଇସାରିଥିବା ଜଣାପଡ଼ିଛି । ଚଳିତ ବର୍ଷ ହାତୀ ଆକ୍ରମଣରେ ପାଖାପାକି ୧୬୦ ଏକରର ଚାଷ ନଷ୍ଟ ମଧ୍ୟ ହୋଇଯାଇଛି । କେବଳ ଏତିକି ନୁହଁ ହାତୀ ଆକ୍ରମଣରେ ନଷ୍ଟ ହୋଇଛି ୧୦୫ଟି ଘର । ଏବାବଦରେ ବତ୍ତର୍ମାନ ସୁଦ୍ଧା ୪୪ ଲକ୍ଷ ଟଙ୍କା କ୍ଷତିପୁରଣ ଦେଇସାରିଛନ୍ତି ବୋଲି ସୁନ୍ଦରଗଡ଼ ଡିଏଫଓ କହିଛନ୍ତି ।

ହାତୀକୁ ଘଉଡ଼ାଇବା ପାଇଁ ମଧ୍ୟ ସମସ୍ତ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି । ତେବେ ଏଇଠି ସବୁଠାରୁ ବଡ଼ କଥା ହେଲା ସବୁବେଳେ ଏପରି ଘଟଣା ଘଟିବା ଦ୍ୱାରା ପାଖାପାଖି ଅଞ୍ଚଳର ଲୋକେ ବହୁତ କ୍ଷତି ସହୁଛନ୍ତି । ଚଳିତ ବର୍ଷ ସୁନ୍ଦରଗଡ଼ର ସଦର ଫରେଷ୍ଟ ରେଂଜର ପ୍ରାୟ ସବୁ ସମୟରେ ହାତୀ ଆତଙ୍କ ଲାଗି ରହିଥିବା କଥା ଶୁଣିବା ପାଇଁ ମିଳୁଛି । ହାତୀମାନଙ୍କ ଉପଦ୍ରବ ଏତେ ବଢିଯାଇଛି ଯେ ଲୋକେ ବାହରକୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି । ଧନ ଜୀବନ ହାନି ହେବା ସହ ବ୍ୟାପ କ୍ଷୟକ୍ଷତି ଘଟାଉଛନ୍ତି ହାତୀ । ହାତୀଙ୍କ ପାଇଁ ଲୋକଙ୍କ ଜୀବନ ଦୁର୍ବସହ ହୋଇଗଲାଣି ।