ସୁନ୍ଦରଗଡ଼ ରାଏବଗାରେ ଡବଲ ମର୍ଡର : ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା

 କାରଣ ଅସ୍ପଷ୍ଟ, ଛାନଭିନ କରୁଛି ପୁଲିସ

77

କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲା ରାଏବଗା ଅଞ୍ଚଳରେ ଡବଲ ମର୍ଡର ।  ଘର ଭିତରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ । କାଦୋବାହାଲ ଗାଁରେ ଏହି ଘଟଣା ଘଟିଛି । ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ । ଦୁର୍ବୃତ ଧାରୁଆ ଅସ୍ତ୍ରରେ ହାଣି ଉଭୟଙ୍କୁ ହତ୍ୟା କରିଛନ୍ତି । ମୃତକ ଦୁଇଜଣ ହେଲେ ଲୁଧି ପାଡୁଆର ଓ ଲୋହା ପାଡୁଆର । ଘଟଣାସ୍ଥଳରେ ରାଏବଗା ପୁଲିସ ଛାନଭିନ ଆରମ୍ଭ କରିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ଭତ୍ତାଧାରୀ ବୃଦ୍ଧ ଦମ୍ପତିଙ୍କୁ କିଏ ଓ କେଉଁ କାରଣରୁ ହତ୍ୟା କରିଛି ତାହା ତାକୁ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଛି । ଖବର ପାଇ ରାଏବଗା ପୁଲିସ ଓ ବୀରମିତ୍ରପୁର ଏସ୍ ଡି ପି ଓ ଘଟଣାସ୍ଥଳରେ ପହଞ୍ଚି ହତ୍ୟା ଘଟଣାର ତଦନ୍ତ ଜାରି ରଖିଛନ୍ତି । ଉକ୍ତ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟଣାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରାଥମିକ ତଦନ୍ତରୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ନେଇ ପୁଲିସ ଆଶଙ୍କା କରୁଛି। କିଛି ସମୟ ପରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ପହଞ୍ଚିବା ପରେ ତଦନ୍ତ ଆରମ୍ଭ ହୋଇଥିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ, ଭାଉଜକୁ ମାଡ଼ ମାରିବା ଓ ଘରୁ ବାହାର କରିଦେବା ଅଭିଯୋଗରେ ବନ୍ଧମୁଣ୍ଡା ପୁଲିସ ଦିଅରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଜଣକ ହେଲେ ବନ୍ଧମୁଣ୍ଡା ତିଲକାନଗରର ଡକ୍ଟର ହରହର ଶମ୍ଭୁ ଚୌଧୁରୀ । ତାଙ୍କର ନୂଆଗାଁ ସୋରଡାରେ ‘ଚୌଧୁରୀ ଚିକିତ୍ସାଳୟ’ ନାଁରେ ବେଆଇନ କ୍ଲିନିକ୍ ରହିଛି । ଯେଉଁଠି ନିରୀହ ଆଦିବାସୀଙ୍କୁ ଚିକିତ୍ସା ନାଁରେ ଶୋଷଣ କରୁଥିବା ବାରମ୍ବାର ଅଭିଯୋଗ ହେଉଥିଲା । ନିକଟରେ ରୋଗୀ ଚିକିତ୍ସାକୁ କେନ୍ଦ୍ରକରି ମାଡ଼ପିଟ୍ ହୋଇଥିଲା । ସ୍ଥାନୀୟ ଲୋକ ତାଙ୍କୁ ପ୍ରାୟ ୩/୪ ଘଣ୍ଟା କ୍ଲିନିକ୍ ଭିତରେ ବନ୍ଦ ରଖିଥିଲେ । ବିଶ୍ରା ପୁଲିସ ତାଙ୍କୁ ଉଦ୍ଧାର କରିଥିଲେ । ଶମ୍ଭୁ ବନ୍ଧମୁଣ୍ଡା ତିଲକାନଗରରେ ପରିବାର ସହ ରହନ୍ତି ।

ଗତ ସେପ୍ଟେମ୍ବର ୨୦ରେ ପରିବାର କୌଣସି କଥାକୁ ନେଇ ଭାଉଜ ରାଜଶ୍ରୀ ଚୌଧୁରୀଙ୍କ ସହ ବଚସା ପରେ ମାଡ଼ ମାରିଥିଲେ । ଏପରିକି ଘରୁ ବାହାର କରିଦେବାକୁ ଧମକ ଦେଇଥିଲେ । ରାଜଶ୍ରୀ ଏ ସଂକ୍ରାନ୍ତରେ ବନ୍ଧମୁଣ୍ଡା ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲେ । ମାତ୍ର ଶମ୍ଭୁ ଚୌଧୁରୀ ଘରେ ରହୁ ନଥିବାରୁ ପୁଲିସ ଗିରଫ କରିବାରେ ବିଫଳ ହେଉଥିଲା। ଶମ୍ଭୁ ଘରେ ଥିବା ଜାଣି ପୁଲିସ ମଙ୍ଗଳବାର ଚଢ଼ଉକରି ଧରିଥିଲା ।