ସାବାସ! କଲେକ୍ଟର। ସରକାରୀ ଗାଡି ଛାଡି ଦୁଇ ଚକିଆ ବାଇକ ଚଢି ପାହାଡି ଇଲାକାରେ ପହଞ୍ଚିଲେ ଜିଲ୍ଲାପାଳ ।

71

କନକ ବ୍ୟୁରୋ : ଅପହଞ୍ଚ ଇଲାକାରେ ବାଇକ ଚଢି ପହଞ୍ଚିଲେ ଜିଲ୍ଲାପାଳ । ଯେଉଁ ପାହାଡି ଇଲାକାରେ କେବେ ପ୍ରଶାସନର ପାଦ ପଡୁ ନଥିଲା ସେଠି ପହଁଚିଲେ ନିଜେ ଜିଲ୍ଲା ପ୍ରଶାସନର ମୁଖିଆ । ଯେଉଁ ଗାଁକୁ ରାସ୍ତା ନାହିଁ, ପିଇବା ପାଇଁ ପାଣି ନାହିଁ, ବିଜୁଳି ଏମାନଙ୍କ ପାଇଁ ସାତ ସପନ । ସେହିଭଳି ଗାଁକୁ ଆଜି ଦୁଇଟି ପାହାଡ ଅତିକ୍ରମ କରି ସରକାରୀ ଗାଡି ଛାଡି ଦୁଇ ଚକିଆ ବାଇକ ଚଢି ପହଞ୍ଚିଥିଲେ ସୁନ୍ଦରଗଡ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ।

ପ୍ରଥମେ ଗୋଟିଏ ପାହାଡକୁ ଚାରି ଚକିଆ ଯାନରେ ଅତିକ୍ରମ କଲା ପରେ ଆଉ ଆଗକୁ ଯିବା ସମ୍ଭବ ହୋଇ ନଥିଲା । ହେଲେ ଏତିକିରେ ଅଟକି ଯାଇ ନଥିଲା ପ୍ରଶାସନ । ବାଇକ ଚଢି ଅପହଞ୍ଚ ଇଲାକାରେ ପହଁଚିଥିଲେ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ଜୋସ ଦେଖି ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ବି ଗାଁକୁ ବଢିଥିଲେ । ପ୍ରାୟ ତିନି କିଲୋମିଟରର ଏହି ପାହାଡି ରାସ୍ତାକୁ ଅତିକ୍ରମ କରି କରୁଅଡେରା ଗାଁରେ ପହଁଚିଥିଲେ ଜିଲ୍ଳାପାଳ । ସେଠାରେ ଥିବା ଭଙ୍ଗା ଦଦରା ସ୍କୁଲ ଘର ଓ କାଦୁଆ ଚୁଆଁର ସ୍ଥିତିକୁ ବି ଅନୁଧ୍ୟାନ କରିଥିଲେ ।

ସୁନ୍ଦରଗଡ ସହର ଠାରୁ ମାତ୍ର ୧୦ କିଲୋମିଟରର ଦୂରରେ ଥିବା ଏହି ପାହାଡି ଇଲାକାରେ ୫୫ରୁ ଅଧିକ ଆଦିବାସୀ ପରିବାର ରୁହନ୍ତି । ହେଲେ ବର୍ଷ ବର୍ଷ ଧରି ଏମାନଙ୍କ ପାଇଁ ବିକାଶ ସ୍ୱପ୍ନ ପାଲଟିଥିବା ବେଳେ ଆଜି ପାହାଡି ଇଲାକାରେ ପଡିଛି ଜିଲ୍ଳାପାଳଙ୍କ ପାଦ । ଏହା ସହ ଲୋକଙ୍କ ଭିତରେ ବିକାଶର ଆଶ ସଂଚାର ହୋଇଛି । ସେପଟେ ସୁନ୍ଦରଗଡ ଜିଲ୍ଲାପାଳଙ୍କ ଏଭଳି ଅଭିନବ କାର୍ଯ୍ୟ ଦେଖିଲେ କେବଳ ଗୋଟି କଥା କୁହାଯାଇପାରେ । ସାବାସ! କଲେକ୍ଟର ।