ଆବଶ୍ୟକତା ସମୟରେ ହାତ ଛାଡ଼ି ଦେଲେ ସରକାର : ପିଲାଙ୍କୁ ପାଠ ପଢ଼ାଇ ପଢ଼ାଇ ଚାଲିଗଲା ଦୃଷ୍ଟିଶକ୍ତି, ବାଧ୍ୟତାମୂଳକ ଅବସର ଦେଇଦେଲା ଗଣଶିକ୍ଷା ବିଭାଗ

ସୁନ୍ଦରଗଡ଼ରୁ ଆସିଲା ଜଣେ କର୍ତ୍ତବ୍ୟନିଷ୍ଠ ଶିକ୍ଷୟତ୍ରୀଙ୍କ ଦୁଃଖର କାହାଣୀ

417

କନକ ବ୍ୟୁରୋ : ୨୭ବର୍ଷର ଚାକିରି ଜୀବନ । ଶିକ୍ଷକତାକୁ ନିଜ ବ୍ରତ କରିନେଇଥିଲେ । ହେଲେ ଶିକ୍ଷକତା କରୁକରୁ ଦୃଷ୍ଟିଶକ୍ତି ହରାଇବସିଲେ । ତଥାପି ନିଜ କର୍ତ୍ତବ୍ୟରେ କେବେ ଅବହେଳା କରିନାହାଁନ୍ତି । ଆଖିକୁ ଦିଶୁନଥଲେ ମଧ୍ୟ ନୀତି ସ୍କୁଲ ଯାଆନ୍ତି ଏବଂ ପ୍ରତିଦିନ ଦେଶର ଭବିଷ୍ୟତ ପୀଢ଼ି ଗଢନ୍ତି । ହେଲେ ହଠାତ୍ ଗତ ୧୭ ତାରିଖ ଦିନ ତାଙ୍କୁ ଧରେଇ ଦିଆଗଲା, ଚାକିରିରୁ ବାଧ୍ୟତାମୂଳକ ଅବସର । ବର୍ତ୍ତମାନ ସେ ମାନସିକ ଚାପଗ୍ରସ୍ତ ଏବଂ ଗଭୀର ମର୍ମାହତ । ଏ ହେଉଛି ସୁନ୍ଦରଗଡ ଜିଲ୍ଲା ସଦର ବ୍ଲକ ଭେଡାବାହାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ତପେଶ୍ୱରୀ ପଣ୍ଡାଙ୍କ କାହାଣୀ । ସରକାର ଭିନ୍ନକ୍ଷମ ଏହି ଶିକ୍ଷୟିତ୍ରୀଙ୍କ ପ୍ରତି ସମବେଦନା ଜଣାଇବେ କ’ଣ ଚାକିରିରୁ ବିଦାକରି ମାନବିକତା ଭୁଲିଯାଇଛି ଗଣଶିକ୍ଷା ବିଭାଗ ସରକାର ।

ଆଖିରୁ ଝରୁଥିବା ଲୁହ ଓ କୋହଭରା କଣ୍ଠରେ ନିଜ ହୃଦୟର ବେଦନାକୁ କ୍ୟାମେରା ଆଗରେ ବଖାଣୁଥିବା ଏହି ମହିଳା ଜଣଙ୍କ ହେଉଛନ୍ତି ସୁନ୍ଦରଗଡ ରଙ୍ଗାଢିପାର ତପେଶ୍ୱରୀ ପଣ୍ଡା । ଗତ ୧୭ତାରିଖ ଦିନ ତାଙ୍କୁ ଶିକ୍ଷକତାରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର । ସୁନ୍ଦରଗଡ ଜିଲ୍ଲାର ୩୪ ଜଣ ଶିକ୍ଷକ ଏବଂ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ସେଥିରେ ଅଛନ୍ତି ତପେଶ୍ୱରୀ ପଣ୍ଡା । ତାଙ୍କର କେଉଁ ଦୋଷ ପାଇଁ ସରକାର ଏହି ପଦକ୍ଷେପ ନେଲେ ସେ ଚିନ୍ତାକରି ଆଖିରୁ ଲୁହ ଗଡ଼ାଉଛନ୍ତି ତପେଶ୍ୱରୀ ପଣ୍ଡା ।

ତପେଶ୍ୱରୀ ପଣ୍ଡା ୨୭ ବର୍ଷ ପୂର୍ବେ ନିଜ ବାପାଙ୍କ ଠାରୁ ଅନୁପ୍ରାଣିତ ହୋଇ ଶିକ୍ଷକତା କ୍ଷେତ୍ରରେ ଯୋଗଦେଇଥିଲେ । ହେଲେ ହଠାତ୍ ତିନିବର୍ଷ ପୂର୍ବେ ସେ ତାଙ୍କର ଦୃଷ୍ଟିଶକ୍ତି ହରାଇ ବସିଲେ । ଚିକିତ୍ସା ପାଇଁ ଦେଶର ଏମୁଣ୍ଡରୁ ସେ ମୁଣ୍ଡ ଘୁରିବୁଲିଲେ । ସହଯୋଗ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ସମସ୍ତଙ୍କୁ ନେହୁରା ହୋଇଛନ୍ତି । ହେଲେ କେଉଁଠୁ ବି ସହଯୋଗ ଟିକିଏ ପାଇଲେ ନାହିଁ । ଧାରକରଜ କରି ଅସ୍ତ୍ରପୋଚାର କଲେ ହେଲେ ତାହା ମଧ୍ୟ ସଫଳ ହେଲାନାହିଁ । ଆଉ ସଂପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇବସିଲେ । ତଥାପି ହାର ମାନିନଥିଲେ ସେ ପୂର୍ବଭଳି ନିଜ ଶିକ୍ଷକତାକୁ ଜାରି ରଖିଥିଲେ ।

ତପେଶ୍ୱରୀଙ୍କ ପରିବାର କହିଲେ, ଆର୍ମିରୁ ଅବସର ଗ୍ରହଣ କରିଥିବା ତାଙ୍କ ସ୍ୱାମୀ ଏବଂ ଦୁଇ ପୁଅ ଝିଅ । ପୂରା ପରିବାରର ପ୍ରତିପୋଷଣର ଦାୟିତ୍ୱ ତପେଶ୍ୱରୀଙ୍କ ଉପରେ । ହେଲେ ଅବସର ପରେ ପୁଅଝିଅଙ୍କ ପାଠପଢା କେମିତି ହେବ,କେମିତି ପରିବାର ଚଳିବ ସେ ଚିନ୍ତାରେ ପୁରା ପରିବାର ।

ହେଲେ ଏଠି ପ୍ରଶ୍ନ ଉଠୁଛି-ସରକାରୀ କର୍ମଚାରୀ ଯେତେ ବେଳେ ନିଜ ଚାକିରି ସମୟରେ ଭିନ୍ନକ୍ଷମ ହୋଇଯାଉଛନ୍ତି ସେତେ ବେଳେ କର୍ମଚାରୀଙ୍କ ପ୍ରତି ସରକାର ସାହାନୁଭୂତି ଦେଖାଇବା ପରବର୍ତ୍ତେ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଦେବା କେତେ ଦୂର ଯଥାର୍ଥ ?