ବିଜେଡିରେ ମିଶ୍ରଣପର୍ବରୁ ବାଦ ପଡିଲେ ସାଂସଦ ତଥାଗତ ସତପଥି : ଦଳରେ ମିଶିଲେ ତଥାଗତଙ୍କ ଜଣାଶୁଣା ବିରୋଧୀ ସୁଧୀର ସାମଲ

30

କନକ ବ୍ୟୁରୋ :  ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ । କଂଗ୍ରେସର ହାତ ଛାଡ଼ି ନବୀନଙ୍କ ଶଙ୍ଖ ଦଳରେ ସାମିଲ ହୋଇଛନ୍ତି ଢ଼େଙ୍କାନାଳ ଜିଲ୍ଲାର ତୁଙ୍ଗ ନେତା ତଥା ପୂର୍ବତନ ବିଧାୟକ ସୁଧୀର ସାମଲ । ପ୍ରାୟ ୨ହଜାର କଂଗ୍ରେସ କର୍ମୀ ଓ ନେତା ବିଜେଡିରେ ସାମିଲ ହୋଇଛନ୍ତି । ଆଉ ଏଥିରେ ଅଛନ୍ତି ଢ଼େଙ୍କାନଳ ଜିଲ୍ଲାର ୨୫ ଜଣ ପ୍ରମୁଖ କର୍ମକତା । ଯାହା ଦଳ ପାଇଁ ଆସେଟ୍ ହେବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ।

ଆଉ ଏହି ମିଶ୍ରଣ ପର୍ବରେ ଢ଼େଙ୍କାନାଳ ସାଂସଦ ଅନୁପସ୍ଥିତ ରହିବା, ରାଜନୈତିକ ଚର୍ଚ୍ଚାକୁ ବଢ଼ାଇ ଦେଇଛି । ଢ଼େଙ୍କାନାଳ ରାଜନୀତିର ଦୁଇ ପ୍ରମୁଖ ରାଜନୈତିକ ଚେହେରା, ତଥାଗତ ଶତପଥୀ ଏବଂ ସୁଧୀର ସାମଲ । ଗତ ନିର୍ବାଚନରେ ଏହି ଦୁଇ ନେତା ପରସ୍ପର ବିରୋଧରେ ସାଂସଦ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିଲେ ।

କାହିଁକି ସୁଧୀରଙ୍କୁ ଦଳରେ ସାମିଲ କଲା ବିଜେଡି ? ସୁଧୀର ବିଜେଡିରେ ସାମିଲ ହେବା କ’ଣ ଇସାରା କରୁଛି ?
ତଥାଗତଙ୍କ ପତିଆରା ଉପରେ ଅଙ୍କୁଶ ଲଗାଇବା ପାଇଁ ଚାହୁଁଛି କି ଦଳ ? ନା’ ଢ଼େଙ୍କାନାଳରେ ଧର୍ମେନ୍ଦ୍ରଙ୍କ ପତିଆରାକୁ ଚେକମେଟ୍ ଦେବା ପାଇଁ ତୁଙ୍ଗ ନେତାଙ୍କୁ ଏକାଠି କରୁଛି କି ବିଜେଡି ? ଢ଼େଙ୍କାନାଳରେ ବିଜେଡି ନେତାଙ୍କ ଟଣାଓଟରାରେ ବିରାମ ଲଗାଇବା ପାଇଁ ସୁଧୀରଙ୍କୁ ସାମିଲ କଲା କି ବିଜେଡି ?

ଢ଼େଙ୍କନାଳ ଜିଲ୍ଲାର ଦୁଇ ତୁଙ୍ଗ ନେତା ସରୋଜ ସାମଲ ଏବଂ ନବୀନ ନନ୍ଦଙ୍କ ଭିତରେ ଚାଲିଥିବା ବିବାଦ କାହାରିକୁ ଅଛପା ନାହିଁ । ଆଉ ଏଭଳି ସମସ୍ୟାର ମୁକାବିଲା ପାଇଁ ତୃତୀୟ ବ୍ୟକ୍ତିଙ୍କୁ ମଝିରେ ଛିଡ଼ାକରି, ଦଳୀୟ ସଂଗଠନକୁ ମଜବୁତ କରିବାକୁ ଚାହୁଁଛି କି ବିଜେଡି ।

ଆଜି ବିଜେଡିରେ ସାମିଲ ହେବା ପୂର୍ବରୁ ଗତକାଲି ଦଳ ବିରୋଧୀ କାର୍ଯ୍ୟ କରୁଥିବା କାରଣ ଦର୍ଶାଇ ସୁଧିର ସାମଲଙ୍କୁ ବିଦା କରି ଦେଇଛି କଂଗ୍ରେସ । ଆଉ କଂଗ୍ରେସ ହାତ ଛାଡି ଦେବାର ମାତ୍ର କେଉ ଘଂଟା ପରେ ନବୀନଙ୍କ ଶଙ୍ଖକୁ ଆପଣାଇ ନେଇଛନ୍ତି ସୁଧିର ସାମଲ । କ’ଣ କାରଣ ରଖିଛନ୍ତି ଶୁଣି ନିଅନ୍ତୁ ।

ଢ଼େଙ୍କାନାଳ ରାଜନୀତିରେ ପରସ୍ପର ବିରୋଧୀ ଭାବେ ଜଣାଶୁଣା ଥିବା ତଥାଗତ ଏବଂ ସୁଧିର, ଆଗାମୀ ୨୦୧୯ ନିର୍ବାଚନରେ କାନ୍ଧକୁ କାନ୍ଧ ମିଳାଇ ଦଳ ପାଇଁ କାର୍ଯ୍ୟ କରିିବେ ନା’ ଏହି ଦୁଇ ନେତାଙ୍କ ଟଣାଓଟରା ଭିତରେ ବଳି ପଡ଼ିବ ଦଳୀୟ ସ୍ୱାର୍ଥ, ତାହା ଉପରେ ଏବେ ସମସ୍ତଙ୍କ ନଜର ।