ପେସାରେ ଶିକ୍ଷକ, ହେଲେ ରୁଚି ଗଛ ଲଗାଇବା । ଖାଲି ଜାଗାରେ ଲଗାଇ ଆସୁଛନ୍ତି ଗୋଟିଏ ପରେ ଗୋଟିଏ ଗଛ । ନିଜ ଉଦ୍ୟମରେ ସବୁଜିମା ସୃଷ୍ଟି କରିଛନ୍ତି ବ୍ରହ୍ମପୁରର ସୁଧୀର ରାଉତ ।

93

କନକ ବ୍ୟୁରୋ: ଦୁନିଆରେ ଦିନକୁ ଦିନ ବଢି ଚାଲିବାରେ ଲାଗିଛି ସହର, ନିର୍ମାଣ ହବାରେ ଲାଗିଛି ଅଟାଳିକା । ଆଉ ଏହା ଭିତରେ ଜଙ୍ଗଲ ହେବାକୁ ଲାଗିଛି ନଷ୍ଟ । କୋଉଠି ଗଛ କାଟି ସେହି ସ୍ଥାନକୁ ଅଟାଳିକା ପାଇଁ ପ୍ଲଟ କରାଯାଉଛି ତ ଆଉ କୋଉଠି ଜଙ୍ଗଲରେ ନିଆ ଲଗାଇ ଜଙ୍ଗଲ ଜମିକୁ ଜବର ଦଖଲ କରାଯାଉଛି । ଦିନକୁ ଦିନଏବେ ବିଶ୍ୱରେ କମିବାରେ ଲାଗିଲାଣି ଗ୍ରୀନ ବଳୟ । ଆଉ ଏହାରି ଭିତରେ ପ୍ରକୃତି ପ୍ରେମୀ ସୁଧୀରଙ୍କ ସବୁଜିମାଙ୍କୁ ନେଇ ଏବେ ଚର୍ଚ୍ଚା ବଢିଛି ।

ଗୋଟିଏ ପରେ ଗୋଟିଏ ଗଛ ଲଗାଇ ସବୁଜିମା ସୃଷ୍ଟି କରିଛନ୍ତି ପ୍ରକୃତି ପ୍ରେମୀ ସୁଧୀର ରାଉତ । ସେ ପେସାରେ ଜଣେ ଶିକ୍ଷକ ହେଲେ ରୁଚି ହେଉଛି ଗଛ ଲଗାଇବା । ସେ ସମୟ ମିଳିଲେ ବାହାରି ପଡନ୍ତି ସ୍ତ୍ରୀ ଓ ସହଯୋଗୀଙ୍କୁ ଧରି ଗଛ ଲଗାଇବା ପାଇଁ । ଆଉ ଯେଉଁଠି ଖାଲି ଜାଗା ଦେଖନ୍ତି ସେଠି ଗଛ ଲଗାନ୍ତି ।

ଅନେକ ବର୍ଷ ଧରି ସୁଧୀର ଏପରି ଗଛ ଲଗାଇ ଆସୁଛନ୍ତି । ପାହାଡ଼ ହେଉ କି ଟାଙ୍ଗର ଭୂଇଁ ସବୁଠି ଲାଗିପଡ଼ନ୍ତି ବୃକ୍ଷରୋପଣରେ । ପ୍ରଥମେ ଥଟା ପରିହାସର ଶିକାର ହୋଇଥିଲେ । ହେଲେ ନିଜ ଗଛ ଲଗାଇବା ଅଭିଯାନ ବନ୍ଦ କରି ନଥିଲେ ଆଉ ତାଙ୍କର ବହୁ ବର୍ଷର ପ୍ରୟାସ ସଫଳତା ଆଣିଛି । ଏବେ ତାଙ୍କ ସହ ଅନେକ ସହକର୍ମୀ ଏକାଠି ହୋଇ ଗଛ ଲଗାଇବା କାମରେ ସହଯୋଗ କରନ୍ତି । ପ୍ରକୃତିର ସୁରକ୍ଷା ପାଇଁ ଗଛ ଓ ସବୁଜିମା ଅତି ଗୁରୁତ୍ୱପୂର୍ଣ୍ଣ । ସୁଧୀରଙ୍କ ଏହି ଗଛ ଲଗାଇବାର ମହତ କାମ ଏବେ ଚର୍ଚ୍ଚା ଓ ପ୍ରଶଂସା ସାଉଁଟୁଛି ।