କନକ ବ୍ୟୁରୋ : ଆଫ୍ରିକୀୟ ଦେଶ ସୁଦାନରେ ଏବେ ସେନା ମଧ୍ୟରେ ଲାଗିଥିବା ଲଢେଇ ଉଗ୍ରରୂପ ନେଇଛି । ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଆହାତ ହୋଇଛନ୍ତି । ଏହି କ୍ରମରେ ସୁଦାନରେ ଫଶି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ଭାରତ ସରକାର ‘ଅପରେଶନ କାବେରୀ’ ଆରମ୍ଭ କରିଛନ୍ତି ।

Advertisment

ଏନେଇ ବୈଦେଶିକ ମନ୍ତ୍ରୀ ଡ. ଏସ୍ ଜୟଶଂକର ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି କି, ସୁଦାନରେ ଫଶିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ‘ଅପରେଶନ କାବେରୀ’ ଆରମ୍ଭ କରାଯାଇଛି । ଭାରତୀୟଙ୍କୁ ଉଦ୍ଧାର କରିବାକୁ ୫୦୦ ଭାରତୀୟ ପୋର୍ଟ ସୁଦାନ ସୀମାରେ ପହଂଚିଛନ୍ତି ।

ସୂଚନା ଥାଉକି ସୁଦାନରେ ଦୁଇ ସପ୍ତାହ ଧରି ସେନା ଓ ଅଦ୍ଧସାମରିକ ବଳ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ସେନା ଭିତରେ ଲାଗିଥିବା ଯୁଦ୍ଧ କାରଣରୁ ଏବେ ସାଧାରଣ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଭାରତର ବିଦେଶ ମନ୍ତ୍ରଣାଳୟ ସୂଚନା ମୁତାବକ ସୁଦାନରେ ପାଖାପାଖି ୩ହଜାର ଭାରତୀୟ ନାଗରିକ ଫଶି ରହିଛନ୍ତି ।

ସେପଟେ ସଂକଟରେ ଥିବା ଦେଶମାନଙ୍କରୁ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାର ରେକର୍ଡ ଭାରତ ସରକାରଙ୍କର ରହିଛି । ପ୍ରଥମେ ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସେଠାରେ ଥିବା ଭାରତୀୟମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ଭାରତ ସରକାର । ଏହାପରେ ୟୁକ୍ରେନ ଉପରେ ଋଷର ଆକ୍ରମଣ ଫଳରେ ୟୁକ୍ରେନରେ ଫଶିଥିବା ଭାରତୀୟ ମାନଙ୍କୁ ମଧ୍ୟ ସରକାର ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।

ସୁଦାନରେ ଫଶି ରହିଥିବା ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଭାରତ ସରକାର ନୌସେନା ଓ ବାୟୁସେନାର ସହାୟତା ନେଇଛି । ବିଦେଶ ମନ୍ତ୍ରଣାଳୟର ସୂଚନା ମୁତାବକ ଭାରତୀୟ ବାୟୁସେନାର ଦୁଇଟି ଟ୍ରାନ୍ସପୋର୍ଟ ବିମାନ ସାଉଦି ଅରବର ଜେଦ୍ଦାଇ ଠାରେ ରଖାଯାଇଛି । ସେହିଭଳି ନୌସେନାର ଜାହାଜ ଆଇଏନଏସ ସୁମେଧା ସୁଦାନ ବନ୍ଦରରେ ପହଂଚିସାରିଛି । ଏହି ଜାହାଜ ସହାୟତାରେ ପ୍ରଥମେ ୫୦୦ ଭାରତୀୟଙ୍କୁ ଉଦ୍ଧାର କରାଯିବ ।