ସେବି ନିକଟରେ ଥିବା ସାହାରା ଟଙ୍କାକୁ ନେଇ ସରକାର ନେଇପାରନ୍ତି ବଡ ନିଷ୍ପତ୍ତି । ଅଣ ଦାବିଦାର ରାଶିକୁ ଗରିବ କଲ୍ୟାଣ ଯୋଜନାରେ ହେବ ବିନିଯୋଗ
କନକ ବ୍ୟୁରୋ : ସାହାର-ସେବି ରିଫଣ୍ଡ ଆକାଉଣ୍ଟରେ ଥିବା ଟଙ୍କାକୁ ସରକାରଙ୍କ ସଂଯୁକ୍ତ ପାଣ୍ଠିକୁ ସ୍ଥାନାନ୍ତର କରିବା ବୈଧତା ଉପରେ ସରକାର ବିଚାର କରୁଥିବା ଜଣାପଡିଛି । ତେବେ ଭବିଷ୍ୟତରେ ଦାବି କରୁଥିବା ନିବେଶକଙ୍କ ପାଇଁ ବ୍ୟବସ୍ଥା କରାଯିବା ବୋଲି ଆଶା କରାଯାଉଛି । ଗତ ସପ୍ତାହରେ ସହାରାର ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ଦେହାନ୍ତ ପରେ ଏହି ନିଷ୍ପତ୍ତି ଉପରେ ବିଚାର କରାଯାଉଛି ବୋଲି ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ ସାହାରା ରିଫଣ୍ଡ ଆକାଉଣ୍ଟ ତିଆରି କରାଯିବା ପରେ ଗତ ୧୧ ବର୍ଷ ମଧ୍ୟରେ ମାତ୍ର ଅଳ୍ପ କେତୋଟି ଦାବିଦାର ସାମ୍ନାକୁ ଆସିଛନ୍ତି । ନିବେଶକଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ଏହି ରାଶିକୁ ଏକ ପୃଥକ ଆକାଉଣ୍ଟ ସହିତ କନସୋଲିଡେଟେଡ ଫଣ୍ଡ ଅଫ୍ ଇଣ୍ଡିଆରେ ରୂପାନ୍ତରିତ କରିବାର ବିକଳ୍ପ ଅନୁସନ୍ଧାନ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି । ଯଦି ସେବି ଦିଆଯାଇଥିବା ବିବରଣୀ ଯାଂଚ କରିବା ପରେ ସମସ୍ତ କିମ୍ବା କୌଣସି ଗ୍ରାହକଙ୍କ ଠିକଣା ଜାଣିବାରେ ଅସମର୍ଥ ହୁଏ, ତେବେ ସେହି ଗ୍ରାହକଙ୍କ ଠାରୁ ଆଦାୟ ହୋଇଥିବା ରାଶି ସରକାରଙ୍କୁ ହସ୍ତାନ୍ତର କରାଯିବ ।
ରିପୋର୍ଟରେ କୁହାଯାଇଛି କି, ଦାବିଦାର ନଥିବା ଟଙ୍କାକୁ ଗରିବଙ୍କୁ ସାହାଯ୍ୟ କିମ୍ବା ଅନ୍ୟ ଜନକଲ୍ୟାଣ କାର୍ଯ୍ୟରେ ବିନିଯୋଗ କରାଯିବ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସାହାରା ଗ୍ରୁପରୁ ଆଦାୟ କରି ରାଷ୍ଟ୍ରାୟତ ବ୍ୟାଙ୍କରେ ଜମା ହୋଇଥିବା ମୋଟ ୨୫,୧୬୩ କୋଟି ଟଙ୍କା ଥିବା ବେଳେ ୪୮,୩୨୬ ଆକାଉଣ୍ଟ ସହିତ ଜଡିତ ୧୭,୫୨୬ ଆବେଦନ ବଳରେ ନିବେଶକଙ୍କୁ ୧୩୮ କୋଟି ଟଙ୍କା ପ୍ରଦାନ କରାଯାଇଛି ।