ସାବାସ୍ ଶୁଭ୍ରଜିତ୍…! ଲୁଟେରାଙ୍କ ବାଇକକୁ ଗୋଇଠା ମାରିଲେ, ତଳେ ପଡିଯିବା ପରେ ନିଦ୍ଧୁର୍ମ ଛେଚିଲେ ।

194

କନକ ବ୍ୟୁରୋ : ହାତରୁ ଏଟିଏମ୍‌ କାର୍ଡ ଛଡ଼ାଇ ଫେରାର୍‌ ହେବାକୁ ଚେଷ୍ଟା କରୁଥିବା ଲୁଟେରାକୁ ଜଣେ ୧୬ ବର୍ଷର ନାବାଳକ କାବୁ କରିବା ଘଟଣା ଶନିବାର ବାଲିଅନ୍ତା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ନାବାଳକ ଜଣକ ପାଖାପାଖି ୨ କିଲୋମିଟର ପିଛା କରି ଲୁଟେରାକୁ ଧରିବା ସହ ତା’ ନିକଟରୁ ଏଟିଏମ୍‌ କାର୍ଡ ଜବତ କରିଥିଲେ। ନାବାଳକଙ୍କ ଏହି ସାହସ ଯୋଗୁଁ ପାଖପାଖି ଅଢ଼େଇ ଲକ୍ଷ ଟଙ୍କା ଲୁଟ୍‌ ଉଦ୍ୟମ ବିଫଳ ହୋଇଛି।

ସୂଚନାନୁଯାୟୀ, ଶନିବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ସ୍ଥାନୀୟ ସତ୍ୟଭାମାପୁର ପଞ୍ଚାୟତ ଅଧୀନ ଗୋତଳବିନ୍ଧା ଗ୍ରାମର ଶୁଭ୍ରଜିତ ସୁନ୍ଦରାୟ ତାଙ୍କ ମାଆ ଗୁନେଇ ସୁନ୍ଦରାୟଙ୍କୁ ସାଙ୍ଗରେ ନେଇ ରଙ୍ଗବଜାର-ବ୍ରାହ୍ମଣଷଡ଼ଙ୍ଗୀ ଗ୍ରାମ ଉନ୍ନୟନ ମୁଖ୍ୟ ରାସ୍ତାର ପେଟ୍ରୋଲ ଟାଙ୍କି ନିକଟରେ ଥିବା ଷ୍ଟେଟବ୍ୟାଙ୍କ ଏଟିଏମ୍‌ କାଉଣ୍ଟରକୁ ଯାଇଥିଲେ। ସେଠାରେ ଏଟିଏମ୍‌ରୁ ୪ ହଜାର ଟଙ୍କା ଉଠାଇଥିଲେ। ସେହି ସମୟରେ ତାଙ୍କ ପଛରେ ଥିବା ଲୁଟେରାଜଣଙ୍କ ସିକ୍ରେଟ୍ ପିନ୍‌ ନମ୍ବର ଦେଖି ଦେଇଥିଲା। ପରେ ଲୁଟେରାଜଣଙ୍କ ଶୁଭ୍ରଜିତ୍‌ଙ୍କ ହାତରୁ ଏଟିଏମ୍‌ କାର୍ଡ ଛଡ଼ାଇ ଦୌଡ଼ିଥିଲା।

ଏଟିଏମ୍‌ ବାହାରେ ଅପେକ୍ଷା କରିଥିବା ଗୁନେଇ ତାକୁ ଅଟକାଇବାକୁ ଚେଷ୍ଟା କରିବାରୁ ସେ ତାଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥିଲା। ପରେ ବାଇକ୍‌ରେ ଫେରାର୍‌ ହୋଇଯାଇଥିଲା। ଶୁଭ୍ରଜିତ୍‌ ମଧ୍ୟ ତାକୁ ବାଇକରେ ପିଛା କରିଥିଲେ। ପାଖାପାଖି ୨ କିମି ପରେ ପୁରୁଣା ଜଗନ୍ନାଥ ରାସ୍ତାର ସୁଦର୍ଶନ ଦେବଙ୍କ ଦାରୁପୀଠ ନିକଟରେ ଶୁଭ୍ରଜିତ୍‌ ଲୁଟେରାର ବାଇକକୁ ଏକ ଶକ୍ତ ଗୋଇଠା ମାରିଦେବାରୁ ଲୁଟେରାଜଣଙ୍କ ତଳେ ପଡ଼ି ଯାଇଥିଲା। ଏହା ପରେ ସ୍ଥାନୀୟ ଲୋକେ ତାକୁ ନିର୍ଧୁମ୍‌ ଛେଚି ବାଲିଅନ୍ତା ପୁଲିସ ଜିମା ଦେଇଥିଲେ। ପୁଲିସ ଲୁଟେରାକୁ ଗିରଫ କରି ପଚରାଉଚରା ଚଳାଇଛି।

ଶୁଭ୍ରଜିତଙ୍କ ବାପା ସୁଭାଷ ସୁନ୍ଦରାୟ ବାଲିଅନ୍ତା ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଉଲ୍ଲେଖଯୋଗ୍ୟ, ଉକ୍ତ ଆକାଉଣ୍ଟରେ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ଜମା ରହିଛି ଓ ପିନ୍ ଜାଣିଯାଇଥିବାରୁ ଲୁଟେରା ସହଜରେ ଟଙ୍କା ଉଠାଇବା ଆଶଙ୍କା ଥିଲା।