ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ପ୍ରସ୍ତୁତି । ସ୍ଥାପନ ହେଲା ଶୁଭଖୁଣ୍ଟି, ୨୮ ଧରି ଚାଲିବ ଯାତ୍ରା ।

89

କନକ ବ୍ୟୁରୋ: ଠାକୁରାଣୀ ଯାତ୍ରା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି । ବ୍ରହ୍ମପୁରର ପ୍ରସିଦ୍ଧ ତଥା ଐତିହାସିକ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ହୋଇଛି । ଅପ୍ରେଲ ୪ ତାରିଖରୁ ଯାତ୍ରା ଆରମ୍ଭ ହୋଇ ମେ ମାସ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା । ହଜାର ହଜାର ଭକ୍ତଙ୍କ ଗହଣରେ ବାଜା ବାଣ ରୋଷଣୀରେ ବାପା ଦେଶୀବେହେରା ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରି ଶୋଭାଯାତ୍ରାରେ ଆଣିଲେ ଶୁଭଖୁଣ୍ଟି । ୨୮ ଦିନ ଧରି ଚାଲିବ ମା’ ବୁଢ଼ୀଠାକୁରାଣୀଙ୍କ ଯାତ୍ରା । ଦେଶୀ ବେହେରା ସାହିରେ ଗତକାଲି ରାତିରେ ସର୍ବସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଶୁଭ ସମୟ ନେଇ ସିଦ୍ଧାନ୍ତ ଗୁରୁ ଦିନ ଧାର୍ଯ୍ୟ କରି ଜଣାଇଥିଲେ । ଏହାପରେ ଏକ ବିରାଟ ପଟୁଆରରେ ଦେଶୀବେହେରାଙ୍କ ଘର ଠାରୁ ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ଅଭିମୁଖେ ଯାତ୍ରା କରି ପୂଜାର୍ଚ୍ଚନା କରିଥିଲେ । ପରେ ମା’ଙ୍କ ଆଜ୍ଞାମାଳ ପାଇବା ପରେ ମନ୍ଦିର ଠାରୁ ଦେଶୀବେହେରାଙ୍କ ଘର ପର୍ଯ୍ୟନ୍ତ ଏକ ପଟୁଆରରେ ଆସି ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା ।